ଭୁବନେଶ୍ବର: ଦୟାୱେଷ୍ଟ କେନାଲର ଭାଗ୍ୟକୁ ନେଇ ସରକାର ଏକ ସ୍ପଷ୍ଟ ଚିତ୍ର ଆଙ୍କିଛନ୍ତି। ୩୮କିମି ବିଶିଷ୍ଟ ଏହି କେନାଲ ଓ ଏହାର ଦୁଇ କଡ଼ ଦେଇ ୬ ଥାକିଆ ରାସ୍ତା ନେବା ପାଇଁ ଗତ ମାସରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିବା ବେଳେ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ପୂର୍ତ୍ତ ବିଭାଗ ଏହାର ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରିଛି। ବାରଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ୩୮ କିମି କେନାଲ ଓ ରାସ୍ତା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୭୧୮.୯ କୋଟି ଟଙ୍କାର ଡିପିଆର୍ ପ୍ରସ୍ତୁତ କରାଯାଇଛି। ଚୂଡ଼ାନ୍ତ ହୋଇଥିବା ରୂପରେଖ ଅନୁଯାୟୀ, ହ୍ୟୁମ୍-ପାଇପ୍ ଜରିଆରେ କେନାଲ ପାଣି ମାଟି ତଳେ ପରିଚାଳନା ହେବ। ଏହାର ଠିକ୍ ଦୁଇ କଡ଼ରେ ୬ ଥାକିଆ ରାସ୍ତା ନିର୍ମାଣ ସହ ସୌନ୍ଦର୍ଯ୍ୟୀକରଣ କରାଯିବ। ଏହାଦ୍ବାରା ପୁରୀ-କଟକ ବାଇପାସ୍ ରୋଡ୍ରୁ ରବି ଟକିଜ୍ ପର୍ଯ୍ୟନ୍ତ ଦେଖାଦେଉଥିବା ନିତିଦିନିଆ ଅସମ୍ଭାଳ ଗହଳି ଅନେକାଂଶରେ ହ୍ରାସ ପାଇବ ବୋଲି କୁହାଯାଉଛି।
ସୂଚନାନୁଯାୟୀ, ଦୟାୱେଷ୍ଟ କେନାଲ ବାରଙ୍ଗ ନିକଟରେ ପୁରୀ କେନାଲରୁ ବାହାରି ଜଟଣୀ ପର୍ଯ୍ୟନ୍ତ ଯାଇଛି। ଏହି ୩୮ କିମିର କେନାଲ ଏବେ ମୃତପ୍ରାୟ ହୋଇଯାଇଛି। କେନାଲକୁ ପୋତି ଜବରଦଖଲ କରାଯିବା ସହ ଦଳ, ପଙ୍କ କାଦୁଅ ଓ ଆବର୍ଜନା ସଫା ହେଉନଥିବାରୁ ଏ ଅବସ୍ଥା ସୃଷ୍ଟି ହୋଇଛି। କିଛି ସ୍ଥାନରେ ବିଏମ୍ସି ସିଧାସଳଖ ଆବର୍ଜନା ପାଣି ଛାଡ଼ି ଦେଉଥିବାରୁ କେନାଲର ପାଣି ଆଉ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ଫଳରେ, ଦିନେ ଚଳଚଞ୍ଚଳ ଥିବା ୫୦ ଫୁଟ୍ ଚଉଡ଼ା ଏହି କେନାଲ୍ ଏବେ ୧୫ ଫୁଟ୍ରେ ସୀମିତ ହୋଇଗଲାଣି। ସେହିପରି ୧୫ ଫୁଟ୍ ଗଭୀର ଥିବା ଏହି କେନାଲ୍ ଏବେ ମାତ୍ର ୩ରୁ ୪ଫୁଟ୍କୁ ଆସି ଗଲାଣି। ତେଣୁ ଏହି କେନାଲକୁ ପୁନରୁଦ୍ଧାର କରିବା ସହ ଏହା ବନ୍ଧେ ବନ୍ଧେ ରାସ୍ତା ନେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବହୁବାର ବୈଠକ ବସି ଏହାର ରୂପରେଖ ସଂପର୍କରେ ଆଲୋଚନା ହୋଇଥିଲା।
ସୂଚନା ଅନୁସାରେ, କେନାଲର ଉଦ୍ଧାର ପାଇଁ ମୁଖ୍ୟତଃ ତିନୋଟି ପ୍ରସ୍ତାବ ଉପରେ ଗୁରୁତ୍ବ ଦିଆଯାଇଥିଲା। ରିଟେନିଂ ୱାଲ୍, ବକ୍ସ କଲଭର୍ଟ ଏବଂ ହ୍ୟୁମ୍ ପାଇପ୍ ଦ୍ବାରା କେନାଲ ଜଳକୁ ପରିଚାଳନା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଗତ କିଛି ଦିନ ତଳେ ହୋଇଥିବା ଡିପିଆର୍ରେ ‘ହ୍ୟୁମ୍-ପାଇପ୍’ରେ ଚୂଡ଼ାନ୍ତ ମୋହର ବାଜିଛି। ଭୁବନେଶ୍ବରର ଏସ୍.ଏମ୍ କନସଲଟାଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଇଛି।
ପୂର୍ତ୍ତ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, କେନାଲର ପୁନରୁଦ୍ଧାର ଓ ରାସ୍ତା ତିଆରି ପାଇଁ ଏହାକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ବାରଙ୍ଗ-ପଳାସୁଣି ୧୩.୩୦୦ କିମି ରାସ୍ତା ପାଇଁ ୨୮୦.୮୯ କୋଟି, ପଳାସୁଣି-ଗ୍ୟାରେଜ୍ ଛକ (୧୩.୭୪୨ କିମି ୨୦.୯୪୦ କିମି) ଯାଏ ୨୦୧.୨୬ କୋଟି, ଗ୍ୟାରେଜ୍ ଛକ-ସୁନ୍ଦରପଦା (୨୦.୯୪୦ରୁ ୨୪.୨୦୦ କିମି) ପର୍ଯ୍ୟନ୍ତ ୭୯.୧୩ କୋଟି ଏବଂ ସୁନ୍ଦରପଦା-ଜଟଣୀ (୨୪.୨୦୦ ରୁ ୩୮.୦୪୩ କିମି) ଯାଏ ସର୍ବାଧିକ ୩୭୫.୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
କେନାଲ ପୁନରୁଦ୍ଧାର ଓ ୬ ଥାକିଆ ରାସ୍ତା ପାଇଁ ଚୂଡ଼ାନ୍ତ ଡିପିଆର୍ ପ୍ରସ୍ତୁତ
ହ୍ୟୁମ୍- ପାଇପ୍ରେ ମାଟି ତଳେ ଆସିବ ପାଣି
ବାଇପାସ୍-କଟକ ରୋଡ୍ର ବିକଳ୍ପ ରାସ୍ତା ହେବ
କେନାଲ କଡ଼ରୁ ହଟିବ ଜବରଦଖଲ
ଏଥିରେ କେନାଲରେ ୧.୮ (୨ମିଟରୁ କମ୍) ଡାୟାରର ଦୁଇଟି ହୋମ୍ ପାଇପ୍ ପଡ଼ି ସେଥିରେ କେନାଲ ପାଣି ଛଡ଼ାଯିବ। ଏଥିରେ ଆବଶ୍ୟକ ଅନୁଯାୟୀ ୧୦ରୁ ୧୫ ମିଟର ବ୍ୟବଧାନରେ ଚାମ୍ବର କରାଯିବ। ଚାମ୍ବରରୁ କେନାଲ ପାଣିକୁ ବ୍ୟବହାର କରାଯିବା ପାଇଁ ବ୍ୟବସ୍ଥା ରହିବ। ଏହି ଦୁଇ ପାଇପ୍ ପାଖାପାଖି ୧୨ରୁ ୧୫ ଫୁଟ୍ ପରେ କେନାଲର ଅବଶିଷ୍ଟ ଅଂଶକୁ ସମ୍ପୂର୍ଣ୍ଣ ପୋତି ଦିଆଯିବ। ଏହି ୧୨ରୁ ୧୫ଫୁଟ୍ ସ୍ଥାନରେ ସୌନ୍ଦର୍ଯ୍ୟୀକରଣ କରାଯାଇ ଫୁଲ ଗଛ ଓ ଲାଇଟ୍ ଲଗାଯିବ। କେନାଲର ଦୁଇ ପାଖରେ ଏବେ କେଉଁଠି ଦୁଇ ଲେନ୍ ରାସ୍ତା ଅଛି ତ କେଉଁଠି ମୂଳରୁ ରାସ୍ତା ନାହିଁ। ଉଭୟ ପାର୍ଶ୍ବରେ ୧୦.୫ ଅର୍ଥାତ ପାଖାପାଖି ୩୫ ମିଟର ଲେଖାଏଁ ୭୦ ମିଟରର ତିନି ଲେନ୍ ରାସ୍ତା କରାଯିବ। ରାସ୍ତାକୁ ଲାଗି ୪.୨ ମିଟର ପାଖାପାଖି ୧୪ ଫୁଟ ଲେଖାଏଁ ଦୁଇ କଡ଼ରେ ୨୮ ଫୁଟ୍ ଫୁଟ୍ପାଥ୍ କରାଯିବ। ଏହାପରେ ଦୁଇ କଡ଼ରେ ଦେଢ଼ ଫୁଟ ଲେଖାଏ କର୍ଭ ରହିବ। କର୍ଭ ପରେ ୧ ମିଟର ଭିତରେ ଛୋଟ ଛୋଟ ଗଛ ଲଗାଯିବ।
ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏକଦା ଅଧା ରାଜଧାନୀବାସୀଙ୍କ ଜୀବନରେଖା ପାଲଟିଥିବା ଏହି କେନାଲଟି ଏବେ ନର୍ଦ୍ଦମାରେ ପରିଣତ ହୋଇଯିବାରୁ ପାଖରେ ରହୁଥିବା ଲୋକମାନେ ନାନା ସମସ୍ୟାରେ ପଡ଼ୁଛନ୍ତି। ତେଣୁ ନୂତନ ଜ୍ଞାନକୌଶଳ ବ୍ୟବହାର କରାଯାଇ ତଳେ ହୋମ୍ପାଇପ୍ରେ ପାଣି ଛାଡ଼ିବା ସହ କଟକ ରୋଡ୍ ଓ ପୁରୀ ବାଇପାସ୍ର ବିକଳ୍ପ ରାସ୍ତା ଭାବେ ଏହି କେନାଲ ବନ୍ଧକୁ ବ୍ୟବହାର କରାଯିବ। ବାରଙ୍ଗରୁ ପୁରୀ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ସହର ଭିତରେ ନ ପଶି ସିଧା ଏହି ରାସ୍ତାରେ ଯାଇପାରିବେ।
ପଳାସୁଣି, ରସୁଲଗଡ଼, ଜିଜିପି କଲୋନି, ଲକ୍ଷ୍ମୀସାଗର, ଝାରପଡ଼ା, ବଡ଼ଗଡ଼, ଟଙ୍କପାଣି ରୋଡ୍ ଆଦି ଅଞ୍ଚଳର ଲୋକ ମଧ୍ୟ ଏହି ରାସ୍ତା ଦେଇ ସହରରୁ ବାହାରି ପାରିବେ। ଏହାଦ୍ବାରା ସହର ଭିତରେ ଥିବା ରାସ୍ତାର ଭିଡ଼ କମିବ। କେନାଲର ଦୁଇ ପାର୍ଶ୍ବରେ ବହୁ ଅଞ୍ଚଳ ଜବରଦଖଲରେ ଅଛି। ୩୮କିମି ଲମ୍ବ ବିଶିଷ୍ଟ ଏହି ବନ୍ଧର ଦୁଇ ପାର୍ଶ୍ବରେ ବହୁ ବସ୍ତି ବେଆଇନ ଭାବେ ନିର୍ମାଣ ହୋଇଛି। କେତେକ ଜାଗାରେ ଲୋକ ରାସ୍ତାକୁ ମାଡ଼ି ଦୋକାନ କରିଛନ୍ତି। ତୁରନ୍ତ ଜବରଦଖଲ ଉଚ୍ଛେଦ କରାଯିବା ସହ ଟେଣ୍ଡର୍ ଆହ୍ବାନ କରାଯିବ ବୋଲି ସୂଚନା ଦେଇଛନ୍ତି।
ତେବେ ହୋମ୍ ପାଇପ୍ ଯୋଗେ କେନାଲ ପାଣି ଗଲେ ଭୂତଳ ଜଳ କିଭଳି ରିଚାର୍ଜ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦିଓ ଏହି କେନାଲର ପାଣି ଆଗଭଳି କୃଷି କାର୍ଯ୍ୟରେ ବ୍ୟବହୃତ ହେଉନାହିଁ, କିନ୍ତୁ ଆଖପାଖରେ ନଳକୂପ, ବୋରିଂ ଓ କୂଅକୁ ଏଥିରୁ ଝରପାଣି ମିଳୁଛି। କିନ୍ତୁ ହୋମ୍ପାଇପ୍ ଦ୍ବାରା ପାଣି ଗଲେ, ସେ ଆଶା ବି ମଉଳିଯିବ। ଅପରପକ୍ଷେ କେନାଲ ଉପରେ ନିର୍ଭର କରୁଥିବା ଜୀବଜନ୍ତୁ ପ୍ରଭାବିତ ହେବେ ବୋଲି ମତ ପ୍ରକାଶ ପାଇଛି।