ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ରିପିଟ୍‌ ଲଢ଼େଇ: ସଂଳାପ ଭାଙ୍ଗୁଛି ରାତିର ନିରବତା

ନଗ୍ନ ନୃତ୍ୟ ନେଇ ଏତଲା

ଭୁବନେଶ୍ବର: ସଂଳାପରେ ଲହଡ଼ି ଭାଙ୍ଗୁଛି ଖଣ୍ଡଗିରି। ରାତି ‌ଯେତେ ଗାଢ଼ ହେଉଛି, ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଭିଡ଼ ସେତେ ଜମୁଛି। ପ୍ରଥମ ପର୍ଯ୍ୟାୟ ଯାତ୍ରା ଚାଲିଥିବା ବେଳେ ଏକକାଳୀନ ୪ଟି ପେଣ୍ଡାଲ୍‌ରେ ଯାତ୍ରା ଦେଖିବାକୁ ଯାତ୍ରାପ୍ରେମୀଙ୍କ ବିପୁଳ ସମାଗମ ଦେଖିବାକୁ ମିଳୁଛି। ପ୍ରତିକୂଳ ପାଗ ସତ୍ତ୍ବେ ଯାତ୍ରା ରୋମାଞ୍ଚ ବଢ଼ାଉଛି। ଖଣ୍ଡଗିରି ମେଳା ପାଇଁ ପ୍ରସ୍ତୁତି କରି ଆସିଥିବା ପ୍ରତ୍ୟେକ ଯାତ୍ରା ଦଳ ନିଜର ସୁପରହିଟ୍‌ ନାଟକ ଭେଟି ଦେଉଥିବାରୁ ନାଟକ ରିପିଟ୍‌ କରି ଚାଲିଛନ୍ତି। ଯାତ୍ରା ଜଗତର ହେଭିୱେଟ୍‌ କଳାକାରଙ୍କୁ ନେଇ ଗଠିତ ଯାତ୍ରା ‘ମାୟାନଗରୀ’ ମାୟା ଲଗାଇବା ଜାରି ରଖିଛି। ମହତାବ ପେଣ୍ଡାଲ୍‌ରେ ମାୟାନଗରୀ ଭେଟି ଦେଇଥିବା ବହୁଚର୍ଚ୍ଚିତ ନାଟକ ‘କଥା ଦିଅ କରିବନି ପର’ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। ଚିକୁ-କୁନି ଯୋଡ଼ି ସହ ଚରିତ୍ର ଅଭିନେତାରେ ବୈକୁଣ୍ଠ-ବାସନ୍ତୀ ଓ କମେଡ଼ି ଭୂମିକାରେ ରବି ଶତପଥୀଙ୍କ ଅଭିନୟରେ ବିଭୋର୍‌ ହେଉଛନ୍ତି ଦର୍ଶକ। ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୁନର୍ବାର ସେଇ ନାଟକ ମଂଚସ୍ଥ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମହତାବ ପେଣ୍ଡାଲ୍‌ର ସଭାପତି କୃଷ୍ଣଚନ୍ଦ୍ର ଜେନା କହିଛନ୍ତି। ଏଥିସହ ଆଜି ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା କେସିଏ ପଡ଼ିଆକୁ ଓହ୍ଲାଇଥିବା ଅପେରା ‘ସ୍ବପ୍ନ ମହଲ’ରେ ବି ‘ସିଆଇଡି ଦୟା’ ରୋଚକ ଅନୁଭବ ଭେଟି ଦେଇଛି। ବିଶେଷକରି କମେଡ଼ିଆନ ଦୟାଙ୍କ ଭିକାରୀ ଭୂମିକା ଏବଂ ହେରାଫେରିରେ ପରେଶ ରାୱଲଙ୍କ ଭଳି ଚରିତ୍ରରେ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି।

କୋଣାର୍କ ଗଣନାଟ୍ୟ ତୃତୀୟ ରାତିରେ ସେଇ ସମାନ ନାଟକ ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକ ରିପିଟ୍‌ କରିଛି। ଯାତ୍ରା ଟାଇଗର ଦୈତାରୀ, ରୁଦ୍ର, ଜିତୁ, ନଳିନୀ, ପୂଜା ଓ ମିଟୁନାଙ୍କ ଭଳି କଳାକାରଙ୍କ ଅଭିନୟ ଦେଖିବାକୁ ଭିଡ଼ ଜମୁଛି। ଇନ୍ଦିରା ସାଂସ୍କୃତିକ ପରିଷଦ ପକ୍ଷରୁ କଳିଙ୍ଗ ପେଣ୍ଡାଲ୍‌ରେ ମଞ୍ଚସ୍ଥ କଳିଙ୍ଗ ଗଣନାଟ୍ୟର ସାମାଜିକ ନାଟକ ‘ଶ୍ରାବଣ ମାସର ଶେଷ ରାତି’ ମଧ୍ୟ ତୃତୀୟ ରାତିରେ ରିପିଟ୍‌ ହୋଇଛି।

ନଗ୍ନ ନୃତ୍ୟ ନେଇ ଏତଲା
ଖଣ୍ଡଗିରି ମେଳାରେ ପଡ଼ିଥିବା ଯାତ୍ରା ପେଣ୍ଡାଲ୍‌ରେ ପୁଣି ନଗ୍ନ ନୃତ୍ୟ ଦେଖିବାକୁ ମିଳିଥିବା ଅଭିଯୋଗ ଆଣିଛି କଳିଙ୍ଗ ସେନା। ଏନେଇ କଳିଙ୍ଗ ସେନା ଖଣ୍ଡଗିରି ଥାନାରେ ଏତଲା ଦେଇଛି। ଏ ବାବଦରେ ବିଧିବଦ୍ଧ ତଦନ୍ତ କରି ଯାତ୍ରା ମାଲିକ ଓ ନୃତ୍ୟଶିଳ୍ପୀଙ୍କୁ ଗିରଫ କରିବା ପାଇଁ ଏତଲାରେ ଦର୍ଶାଯାଇଛି। ଏଥିସହ ଭବିଷ୍ୟତରେ ଯେମିତି ପୁଣି ଏପରି ନଗ୍ନ ଦୃଶ୍ୟର ପୁନରାବୃତ୍ତି ଯାତ୍ରା ମଞ୍ଚ‌ରେ ନ ହୁଏ, ସେଥିପ୍ରତି ଧ୍ୟାନ ଦେବା ସହ ଏନେଇ କମିସନରେଟ୍‌ ପୁଲିସ୍‌ ପକ୍ଷରୁ କଟକଣା ଜାରି କରାଯାଉ ବୋଲି ଦାବି ହୋଇଛି। ଖଣ୍ଡଗିରି ଥାନା ପୁଲିସ୍‌ ମଧ୍ୟ ନୃତ୍ୟର ଭିଡିଓ ଯାଞ୍ଚ କରି ଏ ସମ୍ପର୍କରେ ପଦକ୍ଷେପ ନେବ ‌ବୋଲି ସୂଚନା ମିଳିଛି।

ନାଟ ମଣ୍ଡପରୁ ଯାତ୍ରା
ଉଦୟଗିରିରେ ଗୀତିମୟ ଶିଳାଲିପି ଓ ନୃତ୍ୟ ମଣ୍ଡପରୁ ନୃତ୍ୟ ସଂଗୀତର ଧାରା ବହି ଆସିଥିବା ବେଳେ ସମ୍ଭବତଃ ଏଠିକାର ଲୋକଙ୍କ ମନରେ ଏହି ସଂସ୍କୃତି ଖଣ୍ଡଗିରି ମେଳାରେ ଯାତ୍ରା ଆୟୋଜନ ପାଇଁ ଭାବନା ଉଦ୍ରେକ କରିଥିଲା ବୋଲି କହନ୍ତି ଗବେଷକ ତଥା ଲେଖକ ଡାକ୍ତର ଇନ୍ଦ୍ରମଣି ଜେନା। ତାଙ୍କ କହିବା ମୁତାବକ, ନୃତ୍ୟ ମଣ୍ଡପରେ ନର୍ତକୀ ନୃତ୍ୟରେ ଏତେ ବିଭୋର୍‌ ହୋଇଯାଇଛନ୍ତି ଯେ ତାଙ୍କ କେଶ ଉଡ଼ୁଥିବାର ଏକ ଦୃଶ୍ୟ ଓ ପାର୍ଶ୍ବରେ ୩ଜଣ ବାଦ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରୁଥିବାର ଦୃ୍ଶ୍ୟ ଦେଖିବାକୁ ମିଳେ। ପୁଣି ରାଣୀଗୁମ୍ଫାର ଦ୍ବିତୀୟ ମହଲାରେ ଉତ୍ସବର ଚିତ୍ର ସାଙ୍ଗକୁ ରାଜା, ଦେବତା ଓ ଦର୍ଶକ ବସି ନୃତ୍ୟ ସଂଗୀତ ଉପଭୋଗ କରୁଥିବା ଦେଖାଯାଏ। ସତୁରି ଦଶକରେ ଏଠାରେ ଗୋଟିଏ ଯାତ୍ରା ଦଳରୁ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏବେ ଏହା ପ୍ରତିଯୋଗିତାସ୍ତରରେ ପହଞ୍ଚିଲାଣି। ଦର୍ଶକ ବି ବହୁ ସଂଖ୍ୟାରେ ଆସୁଛନ୍ତି। ମାତ୍ର ଯାତ୍ରା ଉପଭୋଗ ସହ ଉଦୟଗିରିରେ ଚିତ୍ରିତ ନର୍ତକୀ ଓ ଉତ୍ସବର ଦୃଶ୍ୟକୁ ଦେଖିଲେ ମେଳାକୁ ବୁଲିବାକୁ ଆସୁଥିବା ଲୋକେ ଆହୁରି ରୋମାଞ୍ଚିତ ହୋଇପାରିବେ ବୋଲି ସେ କହିଛନ୍ତି।

ଖଣ୍ଡଗିରିରେ ଖଣ୍ଡଖିରି
ଆଉ ମାତ୍ର ଦୁଇଦିନ ପରେ ଖଣ୍ଡଗିରି କୁମ୍ଭମେଳା ସମାପନ ହେବ। ସାଧୁସନ୍ଥମାନେ ମେଲାଣି ନେବେ। ଖଣ୍ଡଖିରି କରି ସୂର୍ଯ୍ୟଙ୍କୁ ଅର୍ପଣ ପରେ ସାଧୁସନ୍ଥମାନେ ପ୍ରତ୍ୟାବର୍ତନ କରିବେ। ଖଣ୍ଡଖିରି ଅର୍ପଣ ପଛରେ ପୌରାଣିକ କଥା ଲୁଚି ରହିଥିବା ବେଳେ ଏହି ଖିରି ସୂର୍ଯ୍ୟଙ୍କୁ ଅର୍ପଣ କରି ସେବନ କଲେ ବହୁ ବ୍ୟାଧିରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି। ତେଣୁ ଚନ୍ଦ୍ରଭାଗାରେ ମାଘ ସପ୍ତମୀରୁ ବୁଡ଼ ପକାଇ ଆସିଥିବା ସାଧୁସନ୍ଥମାନେ ଏଇ ଦିନଟିକୁ ଅପେକ୍ଷା କରିଥିବା ବେଳେ ୯ତାରିଖରେ ପୂର୍ଣ୍ଣାହୁତି ଦିଆଯିବ।

ସମ୍ବନ୍ଧିତ ଖବର