ଭୁବନେଶ୍ବର: ଯାହା ଆଶଙ୍କା ଥିଲା ତାହା ହିଁ ହେଲା। ପାଠୁଆ ତଥା ଉଚ୍ଚଶିକ୍ଷିତ ଭୋଟର ମତଦାନ ସାବ୍ୟସ୍ତ କରିବାକୁ ଆସିଲେ ନାହିଁ। ଯେଉଁଥିପାଇଁ ରାଜଧାନୀରେ ମତଦାନ ହାର ୫୦% ଛୁଇଁଲା ନାହିଁ। ବରଂ ୨୦୧୪ ପରି ଏଥର ମଧ୍ୟ ୪୪% ମଧ୍ୟରେ ସୀମିତ ରହିଲା। ବଡ଼ ବଡ଼ କଥା କହୁଥିଲେ ମଧ୍ୟ ଉଚ୍ଚଶିକ୍ଷିତ ଭୋଟର ଭୋଟ ବେଳକୁ ଘରେ ଶୋଇଲେ। ମତଦାନ କେନ୍ଦ୍ରକୁ ଆସିଲେ ନାହିଁ କି ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କଲେନି। ପରିଣାମ ସ୍ବରୂପ ପୁଣିଥରେ ଅଲୋଡ଼ା ରେକର୍ଡର ପୁନରାବୃତ୍ତି କରିଛି ଭୁବନେଶ୍ବର।

Advertisment

publive-image

ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅଧୀନ ୬୭ଟି ୱାର୍ଡରେ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ରହିଥିଲେ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୪ ହଜାର ୫୧୦ ପୁରୁଷ ଓ ୩ ଲକ୍ଷ ୩୦ ହଜାର ୮୧୫ ମହିଳା ଓ ୪୪୦ ଜଣ ଅନ୍ୟାନ୍ୟ ବର୍ଗର ରହିଥିଲେ। ମାତ୍ର ୩ ଲକ୍ଷ ୧୪ ହଜାର ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ବାକି ୪ ଲକ୍ଷରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରିନାହାନ୍ତି। ଏଭଳି ରେକର୍ଡ ହେବା ପଛରେ ବିଭିନ୍ନ କାରଣ ରହିଥିବା ରାଜନୈତିକ ସମୀକ୍ଷକ ମତପ୍ରକାଶ କରିଛନ୍ତି।

ଗୋଟିଏ ଗୋଷ୍ଠୀଙ୍କ କହିବା କଥା ହେଉଛି ଯେ ସମ୍ଭ୍ରାନ୍ତ ଶ୍ରେଣୀର ଭୋଟର ମତଦାନ କରିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି। ଏହା ଏବର ଘଟଣା ନୁହେଁ। ବିଗତ ନିର୍ବାଚନଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ୨୦୦୩ ବିଏମ୍ସି ନିର୍ବାଚନରେ ମତଦାନ ହାର ୪୮.୮% ରହିଥିଲା। ୪୭ ୱାର୍ଡରେ ଥିବା ୫ ଲକ୍ଷ ୨ ହଜାର ୩୮୪ ଭୋଟରଙ୍କ ମଧ୍ୟରୁ ୨ ଲକ୍ଷ ୪୫ ହଜାର ୨୩ ଜଣ ମତଦାନ ସାବ୍ୟସ୍ତ କରିଥିଲେ। ୨୦୦୮ରେ ମତଦାନ ହାର ୩୮.୨୯ ପ୍ରତିଶତ ଥିଲା। ୬୦ଟି ୱାର୍ଡର ୬ ଲକ୍ଷ ୪୨ ହଜାର ୩୯୩ ଭୋଟରଙ୍କ ମଧ୍ୟରୁ ୨ ଲକ୍ଷ ୪୬ ହଜାର ୩ ଜଣ ମତଦାନ ସାବ୍ୟସ୍ତ କରିଥିଲେ। ୨୦୧୪ରେ ଭୁବନେଶ୍ବରରେ ମତଦାନ ହାର ୪୩.୩୦ ପ୍ରତିଶତ ଥିଲା। ୨୦୦୮ ତୁଳନାରେ ୱାର୍ଡ ସଂଖ୍ୟା ବଢ଼ିଥିଲା। ୬୭ଟି ୱାର୍ଡର ୬ ଲକ୍ଷ ୪୨ ହଜାର ୩୯୩ ଭୋଟରଙ୍କ ମଧ୍ୟରୁ ୨ ଲକ୍ଷ ୯୮ ହଜାର ୮୫୩ ଜଣ ମତଦାନ ସାବ୍ୟସ୍ତ କରିଥିଲେ। ଏଥର ବି ସମାନ ସଂଖ୍ୟକ ମତଦାନ ହୋଇଛି।

publive-image

ଆଉ କିଛି ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ନିଜ ୱାର୍ଡରେ ନାମ ନ ଥିବାରୁ ବହୁ ଭୋଟର ମତାଧିକାର ସାବ୍ୟସ୍ତ କରିପାରି ନାହାନ୍ତି। ଉଦାହରଣ ସ୍ବରୂପ ବିଏମ୍‌ସି ୬ ନମ୍ବର ୱାର୍ଡ ବାସିନ୍ଦା ଶରତ କୁମାର ନାୟକଙ୍କ ପରିବାରର ୬ ଜଣ ସଦସ୍ୟଙ୍କ ନାଁ ୪ଟି ୱାର୍ଡରେ ରହିଛି। ତା’ପରେ ବି ସେମାନେ ସମସ୍ତେ ମତାଧିକାର ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ସମସ୍ତଙ୍କ ନାମ ୬ ନମ୍ବର ୱାର୍ଡକୁ ବଦଳାଇ ଆଣିବା ପାଇଁ ଆବେଦନ କରିଥିଲେ ମଧ୍ୟ ସରକାରୀ କଳ ଏସବୁକୁ ଆଖି ବୁଜି ଦେଇଛି। ଶ୍ରୀ ନାୟକ ୭ ନମ୍ବର ୱାର୍ଡ ଅଧୀନ ଡିଏଭି ଚନ୍ଦ୍ରଶେଖରପୁର ବୁଥ୍‌ରେ ମତାଧିକାର ସାବ୍ୟସ୍ତ କରିଥିବାା ବେଳେ ତାଙ୍କ ପତ୍ନୀ ୧୪ ନମ୍ବର ୱାର୍ଡ ନୀଳାଦ୍ରିବିହାରସ୍ଥିତ ସିଇଏମ୍ ସ୍କୁଲ, ବଡ଼ ପୁଅର ୮ ନମ୍ବର ୱାର୍ଡ ଅଧୀନ ମହର୍ଷି ମହିଳା ମହାବିଦ୍ୟାଳୟରେ ମତଦାନ କରିଛନ୍ତି।

ଶ୍ରୀ ନାୟକଙ୍କ ବୋହୂ ଓ ସାନ ପୁଅଙ୍କର ୬ ନମ୍ବର ୱାର୍ଡ ଅନ୍ତର୍ଗତ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଓ ମା’ଙ୍କର ୬ ନମ୍ବର ୱାର୍ଡ ଅଧୀନ ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଭୋଟ୍ କେନ୍ଦ୍ରର ତାଲିକାରେ ନାମ ଥିବାର ସେମାନେ ଏମାନେ ମେୟରଙ୍କ ସହିତ ନିଜ ୱାର୍ଡର କର୍ପୋରେଟର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ଏହା ଏକ ଉଦାହରଣ ମାତ୍ର। ଏମିତି ଅନେକ ଭୋଟର ରଜଧାନୀରେ ରହିଛନ୍ତି। ଯେଉଁଥିରେ ସେମାନେ ମତାଧିକାର ସାବ୍ୟସ୍ତ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ଉଚ୍ଚଶିକ୍ଷତ ଭୋଟରଙ୍କ ସମୟ ନ ଥିବାରୁ ସେମାନେ ମତଦାନ କରିବାକୁ ଆସି ନ ଥିବା ଜଣାପଡ଼ିଛି। ଯେଉଁଥିପାଇଁ ଗ୍ରାମାଞ୍ଚଳରେ ହୋଇଥିବା ବୁଥ୍‌ରେ ମତଦାନ ହାର ଭଲ ସ୍ଥିତିରେ ଥିବା ବେଳେ ସହରାଞ୍ଚଳରେ କମ୍ ରହିଛି।