ପୁନଃରୋପିତ ହେବ ପବିତ୍ର ବୋଧି ଦ୍ରୁମ

ଭୁବନେଶ୍ବର: ଟଳିପଡ଼ିଛି ପବିତ୍ର ବୋଧି ଦ୍ରୁମ। ଏଣେତେଣେ ବିଛେଇ ପଡ଼ିଛନ୍ତି ୧୦୮ ବୁଦ୍ଧଙ୍କ ପ୍ରତିମୂର୍ତି। ବାତ୍ୟା ପ୍ରକୋପରେ ବୁଦ୍ଧ ମନ୍ଦିର ପରିସରରେ ୬୨ ବର୍ଷ ତଳର ଏହି ଦ୍ରୁମ ଭାଙ୍ଗିପଡ଼ିବା ପରେ ପରିବେଶର ଶୋଭା ନଷ୍ଟ ହୋଇଯାଇଛି। ଏହି ଦ୍ରୁମକୁ କିଭଳି ପୁନଃ ସେଇ ସ୍ଥାନରେ ରୋପଣ କରାଯିବ ସେନେଇ ମ‌ହାବୋଧି ସୋସାଇଟି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ବାସ୍ତବରେ ଏହି ଦ୍ରୁମକୁ ଏତେ ଗୁରୁତ୍ବ ଦେବାର କାରଣ ହେଉଛି, ଯେଉଁ ପବିତ୍ର ବୋଧିବୃକ୍ଷ ତଳେ ଧ୍ୟାନସ୍ଥ ହୋଇ ସିଦ୍ଧାର୍ଥ ଗୌତମ ‘ବୁଦ୍ଧତ୍ବ’ ଲାଭ କରିଥିଲେ ଏହା ତା’ର ଅଂଶବିଶେଷ। ସମ୍ରାଟ ଅଶୋକଙ୍କର କନ୍ୟା ସଂଘମିତ୍ରା ଉକ୍ତ ବୋଧି ବୃକ୍ଷର ଏକ ଚାରା ନେଇ ଶ୍ରୀଲଙ୍କାର ଅନୁରାଧାପୁରରେ ରୋପଣ କରିଥିଲେ। ସେଇ ବୃକ୍ଷର ଏକ ଚାରା ୧୯୫୭ ମସିହା ମେ ୧୩ ତାରିଖରେ ବର୍ମାର ପ୍ରଧାନମନ୍ତ୍ରୀ ୟୁନୁ ଅନୁରାଧାପୁରରୁ ଆଣି ଏଇଠାରେ ରୋପଣ କରିଥିଲେ। ମଣିଷର ଅଶାନ୍ତି ଓ ଦୁଃଖ ସମୟକୁ ଅତିକ୍ରମ କରିବାକୁ ଏହି ବୃକ୍ଷ ସାହାଯ୍ୟ କରିଥାଏ ବୋଲି ବୌଦ୍ଧ ଧର୍ମାବଲମ୍ବୀମାନେ ବିଶ୍ବାସ କରନ୍ତି। ସେଥିପାଇଁ ଏହାକୁ ପୂଜା କରି ପ୍ରାର୍ଥନା ବି କରାଯାଏ‌ ବୋଲି ମହାବୋଧି ସୋସାଇଟିର ସାଧାରଣ ସମ୍ପାଦକ ସୌରେନ୍ଦ୍ର କୁମାର ମହାପାତ୍ର କହିଛନ୍ତି। ମହତ୍ତ୍ବ ଦୃଷ୍ଟିରୁ ସେଇ ବୃକ୍ଷକୁ ବଞ୍ଚାଇ ରଖିବା ପାଇଁ ଓୟୁଏଟିର ପ୍ରଫେସର ମହିମା ବେହେରାଙ୍କ ତତ୍ତ୍ବାବଧାନରେ ପୁନଃ ରୋପଣ କରାଯିବ। ଏନେଇ ବିଏମ୍‌ସି କମିସନରଙ୍କୁ ଜଣାଇ ଦିଆଯିବା ପରେ ସଫା କରିବା ପ‌ରେ ସମ୍ପୃକ୍ତ ସ୍ଥାନରେ ଗାତ ଖୋଳି ବୃକ୍ଷଟିକୁ ପୁନଃ ସ୍ଥାପିତ କରାଯିବ ବୋଲି ମହାବୋଧି ସୋସାଇଟିର ସଦସ୍ୟ ନବୀନ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର