ଭୁବନେଶ୍ବର: ସ୍କୁଲ ପିଲାଙ୍କ ମଧ୍ୟରେ ବିଶ୍ବ ଶାନ୍ତି ଚିନ୍ତା। ଆମେରିକା କ୍ୟୁବା ବିରୋଧରେ ଲଗାଇଥିବା ବାଣିଜ୍ୟିକ ଓ ଆର୍ଥିକ ପ୍ରତିବନ୍ଧକ ଉଠାଇବା, ୨୦୩୦ ସୁଦ୍ଧା ବିଶ୍ୱ ଜଳବାୟୁ ପରିବର୍ତ୍ତନ ରଣନୀତି, ଖଣିଜ ବାଣିଜ୍ୟର ନିୟମାବଳୀ, ୟୁକ୍ରେନ୍ରେ ଋଷ ଫେଡେରେସନ୍ ଦ୍ୱାରା ଏକ ସ୍ୱତନ୍ତ୍ର ସାମରିକ ଅପରେସନ୍ ଘୋଷଣା ପ୍ରତିରକ୍ଷା ବ୍ୟବସ୍ଥାର ବିଶ୍ୱସ୍ତରୀୟ ରଣନୀତି, ବନ୍ଦୀମାନଙ୍କ ଚିକିତ୍ସା ପାଇଁ ସର୍ବନିମ୍ନ ନିୟମ, ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାରେ ସମସ୍ତ ପାଇଁ ସୁଯୋଗ ଓ ପ୍ରୋତ୍ସାହନ ଆଦି ବିଷୟରେ ୬ଟି ଦେଶର ଛାତ୍ରଛାତ୍ରୀ ଦୁଇଦିନ ଧରି ବିଚାରବିମର୍ଶ କରିଛନ୍ତି। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ସାଇ ମଡେଲ୍ ୟୁନାଇଟେଡ଼୍ ନେସନ୍ସ (ସାଇମୁନ୍)ରେ ବିଶ୍ବର ବିଭିନ୍ନ ସମସ୍ୟାର ସମାଧାନର ସରଳ ଉପାୟ ବାହାର କରାଯିବା ପରେ ୧୧ଟି ପ୍ରସ୍ତାବକୁ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଛି। ‘ବସୁଧୈବ କୁଟୁମ୍ବକମ୍’ ଶୀର୍ଷକ ବାର୍ତ୍ତା ଦେଇ ଭାରତ ସମେତ ୬ଟି ଦେଶର ୭୨୦ରୁ ଅଧିକ ଅନ୍ତର୍ଜାତୀୟ ପ୍ରତିନିଧି, ୧୪ଟି ଆଦର୍ଶ ବିଦ୍ୟାଳୟ ଓ ଭୁବନେଶ୍ୱରସ୍ଥିତ ଶ୍ରୀହର୍ଷ ମେମୋରିଆଲ୍ ମୂକ ବଧିର ସ୍କୁଲର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।
ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସମ୍ମିଳନୀକୁ ଉଦ୍ଘାଟନ କରି କହିଲେ ବିଶ୍ୱ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦେଶର ଛାତ୍ରଛାତ୍ରୀ ଏକାଠି ହେବା ବଡ଼ କଥା। ଏହାଦ୍ବାରା ଛାତ୍ରଛାତ୍ରୀ କେବଳ ଯେ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅବଗତ ହେଉଛନ୍ତି ତାହା ନୁହେଁ ବରଂ ସେମାନଙ୍କ ମଧ୍ୟରେ ନେତୃତ୍ୱ ଓ ସମସ୍ୟା ସମାଧାନର କୌଶଳ ସୃଷ୍ଟି ହୋଇପାରୁଛି। ଆଜି ଉଦ୍ଯାପନୀ ଉତ୍ସବରେ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ ବିଶ୍ୱ ପାଇଁ ନୂତନ ନେତୃତ୍ବମାନଙ୍କ ଆବଶ୍ୟକତା ରହିଛି ବୋଲି କହିଥିଲେ। ସାଇ ଇଣ୍ଟରନ୍ୟାସନାଲ୍ର ଚେୟାରପର୍ସନ ଶିଳ୍ପୀ ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପ୍ଲାଟଫର୍ମ ବିଶ୍ୱ ସମସ୍ୟାର ସମାଧାନ କରିବାରେ ସହାୟକ ହେବ ବୋଲି ମତପୋଷଣ କରିଥିଲେ। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ, ସାଇ ଇଣ୍ଟରନ୍ୟାସନାଲ୍ ଆବାସିକ ସ୍କୁଲର ହେଡମାଷ୍ଟର ଅମିତାଭ୍ ଅଗ୍ନିହୋତ୍ରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/28-22.jpg)