ଜାନୁଆରି ୨୬ରେ ଚୌଧୁରୀ କୋଠିରେ ପାଳନ ହୁଏ ସ୍ବାଧୀନତା ଦିବସ

ଭୁବନେଶ୍ବର: ଯଦି ଦେଶବାସୀ ଅମଣିଷ ବ୍ରିଟିସ୍‌ ସରକାରକୁ ସହଯୋଗ କରିବେ ନାହିଁ, ସରକାରଙ୍କୁ ଖଜଣା ଟିକସ ଦେବା ବନ୍ଦ କରିଦେବେ, ଯେତେ ଉତ୍ତେଜିତ କଲେ ବି ହିଂସା ଆଚରଣ କରିବେ ନାହିଁ, ତେବେ ବ୍ରିଟିସ୍‌ ସରକାରର ନିଶ୍ଚୟ ପତନ ହେବ। ୧୯୩୦ ଜାନୁଆରି ୨୬ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଲିଖିତ ଏହି ଶପଥପାଠ ସାରା ଦେଶକୁ ବ୍ୟାପି ଯାଇଥିଲା। ଲାହୋର କଂଗ୍ରେସ ଅଧିବେଶନ ସମୟରେ ପୂର୍ଣ୍ଣ ସ୍ବରାଜ ଘୋଷଣା ପୂର୍ବକ ଚରଖା ଚିହ୍ନିତ ତ୍ରିରଙ୍ଗା ପତାକା ଉଡ଼ାଇ ଜାନୁଆରି ୨୬କୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଇଥିଲା। ସେଇ ସ୍ମୃତିକୁ ପାଥେୟ କରି ୧୯୩୦ରୁ ଏଯାବତ୍‌ ବିଶିଷ୍ଟ ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ କୋଠିରେ ପାଳନ ହେଉଛି ସ୍ବାଧୀନତା ଦିବସ। ଜାନୁଆରି ୨୬କୁ ସମଗ୍ର ଦେଶରେ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଥିବା ବେଳେ ସ୍ବାଧୀନତାର ୮୯ ବର୍ଷ ପାଳନ କରୁଛି ଚୌଧୁରୀ କୋଠି।

ଦେଶ ସ୍ବାଧୀନ ହେବାର ୭୧ ବର୍ଷ ପୂରଣ ହୋଇଛି। ମାତ୍ର କାଠଯୋଡ଼ି ତଟବର୍ତୀ ବାଖରାବାଦର ଚୌଧୁରୀ କୋଠିରେ ପାଳନ ହେବ ୮୯ତମ ସ୍ବାଧୀନତା ଦିବସ। ଏହି ଦିନକୁ କୋଠିରେ ସ୍ବାଧୀନତା ଦିବସ ପାଳନ ପଛରେ ରହିଛି ଏକ ଅନାଲୋଚ୍ୟ ଇତିହାସ। ୧୯୨୮ ଡିସେମ୍ବର ୩୧ ତାରିଖ କୋଲକାତା କଂଗ୍ରେସ ଅଧିବେଶନରେ ଗୃହୀତ ପ୍ରସ୍ତାବ ମୁତାବକ ବର୍ଷକ ମଧ୍ୟରେ ସ୍ବାଧୀନତା ଦେବାକୁ ଦାବି ହୋଇଥିଲା। ସେତେବେଳର ବଡ଼ଲାଟ ଏନେଇ ଲିଖିତ ଭାବେ ଘୋଷଣା କରିନଥିଲେ। ମାତ୍ର ଅନୌପଚାରିକ ଦୃଷ୍ଟିରୁ ସହାନୁଭୂତି ପ୍ରକାଶ କରିଥିଲେ। ତେଣୁ ୧୯୨୯ ଡିସେମ୍ବର ୩୧ ତାରିଖ ମଧ୍ୟ ରାତ୍ରିରେ ଲାହୋରରେ ହୋଇଥିବା କଂଗ୍ରେସ ଅଧିବେଶନରେ ଜାନୁଆରି ୨୪କୁ ପୂର୍ଣ୍ଣସ୍ବରାଜ ବା ସ୍ବାଧୀନତା ଦିବସ ଭାବେ ପାଳନ କରିବାକୁ ଭାରତବାସୀଙ୍କୁ ଆହ୍ବାନ ଦିଆଯାଇଥିଲା। ମାତ୍ର ଜାନୁଆରି ୨୬ ତାରିଖରେ ହିଁ ଦେଶବାସୀ ଚରଖା ଚିହ୍ନ ଥିବା ତ୍ରିରଙ୍ଗା ପତାକା ଉଡ଼ାଇ ସ୍ବାଧୀନତା ଦିବସ ପାଳନ କଲେ। ‌ଏହି ଅବସରରେ ‌ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଏକ ଶପଥପାଠ କରାଇଥିଲେ। ସେତେବେଳେ ଏହି ଶପଥର ଓଡ଼ିଆ ଅନୁବାଦ କରିଥିଲେ ଗୋପବନ୍ଧୁ ଚୌଧୁରୀ। ଘୋଷଣା ମୁତାବକ, ୧୯୩୦ ଜାନୁଆରି ୨୬ରେ କଟକରେ କାଠଗଡ଼ା ସାହିରେ ସ୍ବାଧୀନତା ସଂଗ୍ରାମୀ ରାଜକୃଷ୍ଣ ବୋଷଙ୍କ ଲୋକସେବା ପ୍ରେସ୍‌ ନିକଟରେ ପତାକା ଉତ୍ତୋଳନ କରିବାକୁ ସ୍ଥିର ହେଲା। କଟକର ମ୍ୟୁନିସିପାଲିଟି ପଡ଼ିଆରେ ଗଣସଂକଳ୍ପ ସମାବେଶ ଅନୁଷ୍ଠିତ ହେବାର ଥିଲା। ମାତ୍ର ପ୍ରଶାସନ ଏହାର ସୂଚନା ପାଇବା ପରେ ଆତଙ୍କିତ ହୋଇପଡ଼ିଲା। ହଠାତ୍ ୧୪୪ ଧାରା ଜାରି କଲା। ତେଣୁ ସନ୍‌ସାଇନ୍‌ ପଡ଼ିଆ ନିକଟବର୍ତୀ‌ ଗୋପବନ୍ଧୁ ଚୌଧୁରୀଙ୍କ ବାସଭବନରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହେଲା। ଶ୍ରୀ ଚୌଧୁରୀ ହଜାର ହଜାର ଲୋକଙ୍କୁ ଓଡ଼ିଆରେ ଶପଥ ପାଠ କରାଇଲେ। ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ପୂର୍ବତନ ସଭାପତି ପ୍ରହଲ୍ଲାଦ ସିଂହଙ୍କ କହିବା ମୁତାବକ, ସେଇଦିନଠାରୁ ସେଇ ସ୍ମୃତିକୁ ପାଥେୟ କରି ଆଜି ବି ଚୌଧୁରୀ କୋଠିରେ ପତାକା ‌ଉତ୍ତୋଳନ ସହ ସ୍ବାଧୀନତା ଦିବସ ପାଳନ କରାଯାଉଛି।

ସମ୍ବନ୍ଧିତ ଖବର