ପୂର୍ବତଟ ରେଳପଥ: ପୂର୍ବତଟ ରେଳପଥ ପକ୍ଷରୁ ରେଲୱେ ଷ୍ଟାଡିୟମଠାରେ ୬୯ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରବନ୍ଧକ ଉମେଶ ସିଂହ ଜାତୀୟ ପତାକା ଉତ୍ତୋଳନ କରି ରେଳବାଇ ସୁରକ୍ଷାବଳ, ଭାରତ ସ୍କାଉଟ୍ ଓ ଗାଇଡ୍ସ, ସିଭିଲ୍ ଡିଫେନ୍ସ ଓ ସ୍କୁଲ ପିଲାମାନଙ୍କ ଦ୍ୱାରା ଆୟୋଜିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ସିଂହ ସେ ରେଳପଥର କର୍ମଚାରୀମାନଙ୍କୁ ସେମାନଙ୍କର ନିଷ୍ଠାପର କାର୍ଯ୍ୟଧାରାକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଟ୍ରେନ୍ ଚଳାଚଳ କ୍ଷମତା ବୃଦ୍ଧି ପାଇଁ ଭିତ୍ତିଭୂମିର ବିକାଶକୁ ପ୍ରାଧାନ୍ୟ ଦିଆଯାଇ ଚାଲୁରହିଥିବା ଖୋର୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ପ୍ରକଳ୍ପର ବୋଲଗଡ଼ଠାରୁ ନୟାଗଡ଼ ଟାଉନ୍କୁ ରେଳ ସଂଯୋଗ କରାଯାଇଛି। ନିୟୁ ଭୁବନେଶ୍ୱର ଓ ମଞ୍ଚେଶ୍ୱର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଏହି ଅବସରରେ ସ୍କୁଲ ପିଲା ଓ ଭାରତ ସ୍କାଉଟ୍ ଓ ଗାଇଡ୍ସମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ରାଜୀବ ଶର୍ମା, ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନର ସଭାପତି ମଧୁଲିକା ସିଂହଙ୍କ ସହ ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ମୁଖ୍ୟମାନଙ୍କ ସହ କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।
ବାଲିଅନ୍ତା:ବ୍ଲକ ପ୍ରଶାସନ ପକ୍ଷରୁ ବାଲିଅନ୍ତା ପଞ୍ଚାୟତ ସମିତି ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ବିଡିଓ ସରୋଜ କୁମାର ନାୟକ, ଉପାଧ୍ୟକ୍ଷା ଦୀପେସ୍ ସ୍ୱାଇଁ ଓ ଜିପିଓ ସ୍ମୃତିଶ୍ରୀ ଶତପଥୀ ପ୍ରମୁଖଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ। ସେହିପରି ବିଭିନ୍ନ ପଞ୍ଚାୟତ ସହିତ ସ୍କୁଲ କଲେଜ ତଥା ଅନୁଷ୍ଠାନମାନଙ୍କରେ ଅନୁରୂପ ଭାବେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ଭୀମଟାଙ୍ଗି: ଭିମଟାଙ୍ଗୀ ଉନ୍ନୟନ ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ ସଭ୍ୟ ମାନସ ରଞ୍ଜନ ପଟ୍ଟନାୟକ, ଲୋକନାଥ ମହାପାତ୍ର, ପଦ୍ମନାଭ ଷଡ଼ଙ୍ଗୀ, ହରିହର ପଟ୍ଟନାୟକ, ସୂର୍ଯ୍ୟନାରାୟଣ ମିଶ୍ର ପ୍ରମୁଖ ସଭ୍ୟମାନେ ଯୋଗ ଦେଇଥିଲେ। ସେହିପରି ଭୀମଟାଙ୍ଗ ଫେଜ୍-୨ସ୍ଥିତ ପ୍ରେଜେକ୍ଟ ୟୁପି ସ୍କୁଲ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଅତିଥି ଭାବେ ଲୋକନାଥ ମହାପାତ୍ର ଯୋଗଦେଇ ପତକା ଉତ୍ତଳନ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୁଲତା ଷଡ଼ଙ୍ଗୀ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ।
ଓଡିଏମ୍:ଶିଶୁବିହାର ପଟିଆସ୍ଥିତ ଓଡିଏମ୍ ପବ୍ଲିକ ସ୍କୁଲରେ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ମିସନ ଇନ୍ଦ୍ରଧନୁଷ୍’ ନାମରେ ଏକ ଶାନ୍ତି ପଦଯାତ୍ରା ବାହାରି ଇନ୍ଫୋସିଟି ରୋଡ୍, ପଟିଆ ଛକ, କୋୟଲ କ୍ୟାମ୍ପସ୍, ଶିଶୁବିହାର ମଧ୍ୟଦେଇ ଫେରିଥିଲା। ଏହି ପଦଯାତ୍ରାକୁ ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା, ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ ଏବଂ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଜ୍ୟ ପ୍ରାରମ୍ଭିକ ଶିକ୍ଷାନିର୍ଦ୍ଦେଶକ ଚୂଡ଼ାମଣି ସେଠ୍ (ଆଇଏଏସ୍) ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହ ମୁଖ୍ୟ ଅତିଥି ‘ଓଡିଏମ୍ ଟାଇମ୍ସ’ ଉନ୍ମୋଚନ କରିଥିଲେ। ଦୁଃସାହସିକ କାର୍ଯ୍ୟ ପାଇଁ ଛଅଜଣ କର୍ମଚାରୀଙ୍କୁ ‘ଓଡିଏମ୍ ସାହସିକତା ପୁରସ୍କାର’ ପ୍ରଦାନ କରାଯାଇଥିଲା।
ଆଇଟିଏସ୍:ବୈଷୟିକ ପାଠ୍ୟକ୍ରମ ପାଇଁ ପ୍ରସ୍ତୁତି ପ୍ରତିଷ୍ଠାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଷ୍ଟଡିଜ୍(ଆଇଟିଏସ୍)ର ନୂଆପଲ୍ଲୀସ୍ଥିତ କ୍ୟାମ୍ପସ୍ରେ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଚେୟାରମ୍ୟାନ୍ ଶିକ୍ଷାବିତ୍ ତପନ ବିହାରୀ ଭଞ୍ଜ ପତାକା ଉତ୍ତୋଳନ କରିଥିଲେ। କଠିନ ପରିଶ୍ରମ ଓ ସାଧନା ଦ୍ୱାରା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂ ପି ଏସ୍ ରାୟ, ସତ୍ୟବ୍ରତ ମହାନ୍ତି, ସତ୍ୟବ୍ରତ ପଣ୍ଡା ଓ ଶମ୍ଭୁନାଥ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏନ୍ଜିଓସିସି:ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ କର୍ମଚାରୀ ଭବନ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କର୍ମଚାରୀ ନେତା ସାରଦା ପ୍ରସାଦ ମହାନ୍ତି ପତାକା ଉତ୍ତୋଳନ କରିଥିଲେ। ସମିତିର ପୂର୍ବତନ ମୁଖ୍ୟ ଉପଦେଷ୍ଟା ନରସିଂହ ଆଚାରୀ, ସାଧାରଣ ସମ୍ପାଦକ ସୁଧାଂଶୁ ପତି, କର୍ମଚାରୀ ନେତା ଅଜୟ ନାୟକ, କୁଳମଣି ପଣ୍ଡା, ପ୍ରମୋଦ ପ୍ରଧାନ, କୃଷ୍ଣଚନ୍ଦ୍ର ନାୟକ, ଆଶିଷ ନନ୍ଦ, କାଶୀନାଥ ଦେହୁରୀ, ହାଡ଼ିବନ୍ଧୁ ଦାସ ଓ ଗଙ୍ଗାଧର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।