ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ପରେଡ୍ ଲାଗି ଆସନ୍ତା ୨୧ ତାରିଖରୁ ପରେଡ୍ ଅଭ୍ୟାସ ଆରମ୍ଭ ହେବ। ଏ ନେଇ କମିସନରେଟ ପୁଲିସ ପକ୍ଷରୁ ଗାନ୍ଧୀମାର୍ଗକୁ ଲାଗି କରିଥିବା ବିଭିନ୍ନ ଛକ ଉପରେ ଟ୍ରାଫିକ୍ କଟକଣା ଜାରି କରାଯିବ। ଏଥିପାଇଁ ଆଜି ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତିରେ କୁହାଯାଇଛି, ଆସନ୍ତା ୨୧ ତାରିଖରୁ ରିହରସାଲ ଆରମ୍ଭ ହୋଇ ୨୩ ତାରିଖ ପର୍ଯନ୍ତ ଚାଲିବ। ଏହି ତିନି ଦିନ, ୨ଟାରୁ ସଂଧ୍ୟା ୫ଟା ଓ ୨୪ ତାରିଖରେ ସକାଳ ୭ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗାନ୍ଧୀମାର୍ଗକୁ ଲାଗି କରିଥିବା ରାସ୍ତାରେ କଟକଣା ଜାରି କରାଯିବ। କୌଣସି ଭାରୀଯାନ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ କିମ୍ବା ରାମମନ୍ଦିର ପଟୁ ମାଷ୍ଟରକ୍ୟାଣ୍ଟିନ୍ ଆସିପାରିବ ନାହିଁ। ପରେଡ୍ସ୍ଥଳ ସଂଲଗ୍ନ କରୁଥିବା ୟୁନିଟ-୨ ଏବଂ ୟୁନିଟ-୩ ଅଞ୍ଚଳର ସମସ୍ତ ରାସ୍ତା ସିଲ୍ ରହିବ। ସେହିପରି ଏଜି ଛକରୁ ପିଏମ୍ଜି, ଏବଂ ହାଉସିଂବୋର୍ଡ ଛକରୁ ପିଏମଜି ଛକକୁ କୌଣସି ଗାଡ଼ି ଆସି ପାରିବ ନାହିଁ। ପରେଡ୍ ଅଭ୍ୟାସରେ ସାମିଲ ହେବାକୁ ଆସୁଥିବା ଛାତ୍ରଛାତ୍ରୀ ଓ ଅନୁଷ୍ଠାନର ବ୍ୟକ୍ତିବିଶେଷମାନେ ସେମାନଙ୍କ କାର୍, ବାଇକ୍ ଓ ସାଇକେଲ୍ ମାଷ୍ଟରକ୍ୟାଣ୍ଟିନ କଂଗ୍ରେସ ଭବନ ନିକଟ, ବସଷ୍ଟାଣ୍ଡ୍, ହୋଟେଲ ଯଯାତି ନିକଟ, ଜୟଦେବ ଭବନ, ଇଡକଲ ଅଡିଟୋରିୟମ ନିକଟ, ୟୁନିଟ-୨ ଏବଂ ୟୁନିଟ-୩ରେ ଥିବା ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ। ଗାନ୍ଧୀମାର୍ଗରେ ଗ୍ୟାସ ବେଲୁନ୍ ବିକ୍ରୟ ନିଷେଦ୍ଧ କରାଯିବ।
ପାଖାପାଖି ୨୩ ପ୍ଲାଟୁନ୍ ଫୋର୍ସ ପରେଡ୍ ଉତ୍ସବରେ ନିୟୋଜିତ ହେବେ। ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସ ପରେଡ୍ ଗ୍ରାଉଣ୍ଡରେ ବାରିକେଡ୍ରେ ସବୁଜ ରଙ୍ଗର ତାର ଜାଲି ବ୍ୟବସ୍ଥା କରାଯିବ। ସେହିପରି ଦୁଇ ୟୁନିଟ୍ ଏସ୍ଓଜି, କ୍ୟୁଆର୍ଟି, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ପରେଡ୍ ସ୍ଥଳରେ ସିସି ଟିଭି କ୍ୟାମେରା ସହ ୧୦୦ରୁ ଅଧିକ ଏସ୍ଆଇ, ଏଏସ୍ଆଇ ଏବଂ ଇନ୍ସପେକ୍ଟରଙ୍କ ସହ ୧୯ଜଣ ଡିଏସ୍ପି, ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ରହିବେ। ପରେଡ୍ ପାଇଁ ୨ଶହ ଟ୍ରାଫିକ୍ କର୍ମଚାରୀ ଓ ୧୫ଜଣ ପୁଲିସ ଅଫିସର୍ ନିଯୁକ୍ତ ହେବେ। ଡିସିପି ଟ୍ରାଫିକ୍ ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରାଫିକ୍ ପରିଚାଳିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/parde-rehearshal.jpg)