ଭୁବନେଶ୍ବର: ଐତିହାସିକ ଓ ପ୍ରଶାସକଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଲେ, ରାଜ୍ୟର ଉନ୍ନତି ସହଜସାଧ୍ୟ ହୋଇଥାଏ। ଐତିହାସିକ ଗବେଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ଅଜିତ ତ୍ରିପାଠୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଜୟଦେବଙ୍କୁ ‌ନେଇ ଅନେକ ଉନ୍ନତି ସମ୍ଭବ ହୋଇପାରିଛି। ବିଭିନ୍ନ ଐତିହାସିକ ତଥ୍ୟ ପ୍ରମାଣକୁ ଭିତ୍ତି କରି ଜୟଦେବ ଆମ ଓଡ଼ିଶାର ବୋଲି ପ୍ରମାଣ କରିବାରେ ଶ୍ରୀ ତ୍ରିପାଠୀ ସକ୍ଷମ ହୋଇପାରିଥିଲେ। ଏ କ୍ଷେତ୍ରରେ ପ୍ରଶାସକ ଅଜିତ ତ୍ରିପାଠୀଙ୍କ ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ହେଲେ ଏବେ ତ ସବୁ ପ୍ରଶାସକ ଅଣଓଡ଼ିଆ, ତେଣୁ ଉନ୍ନତି କେମିତି ହେବ। ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଐତିହାସିକ ‌ଗବେଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୨ତମ ଜନ୍ମ ଦିବସ ଅବସରରେ ଆୟୋଜିତ ‘ଛପା ଇତିହାସର ଅଛପା ସତ’ ଶୀର୍ଷକ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।

Advertisment

ଆର୍ଯ୍ୟ କୁମାର ଜ୍ଞା‌ନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ଆମ ଅତୀତ ଟିକେ ବିବାଦୀୟ। ତାକୁ ନେଇ ଆମେ ବିଶେଷ ଗର୍ବ କରିପାରିବା ନାହିଁ। ସେହିପରି ସମସାମୟିକ ଇତିହାସ ବିଷୟରେ ମଧ୍ୟ ଆମେ ବିଶେଷ ସଚେତନ ନୋହୁଁ। ଆମ ଉତ୍ତରପିଢ଼ିକୁ ପ୍ରଭାବିତ କଲା ଭଳି କିଛି କାର୍ଯ୍ୟ ଆମେ କରୁନାହାନ୍ତି। ତେଣୁ ଏ ଦିଗରେ ଧ୍ୟାନ ଦିଆଯିବା ଆବଶ୍ୟକ।

ଶ୍ରୀ ତ୍ରିପାଠୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ ଅବସର ପୂର୍ବରୁ ସେ ଯାହା କରୁଥିଲେ, ଅବସର ପରେ ତାହାଠାରୁ ବେଶି କିଛି କରିଛନ୍ତି। ଏହା ପ୍ରମାଣିତ କରୁଛି ଯେ ମଣିଷ ୬୦ ବର୍ଷ‌ରେ ଅବସର ନେବା ପରେ ବସିଯିବା କଥା ନୁହେଁ, ବରଂ ବେଶି କାର୍ଯ୍ୟକ୍ଷମ ହେବା ଉଚିତ। ପ୍ରଫୁଲ୍ଲ ବାବୁ ଏହାର ଜ୍ବଳନ୍ତ ଉଦାହରଣ।

ପ୍ରଫୁଲ୍ଲ ବାବୁ ଓଡ଼ିଆଙ୍କୁ ପରିଚୟ ସଂକଟରୁ ମୁକ୍ତ କରିଛନ୍ତି: ଦାଶ ବେନହୁର

ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଦା‌ଶ ବେନହୁର କହିଲେ, ଏ ଜାତି ପରିଚୟ ସଂକଟରେ ଜଳୁଥିବା ବେଳେ ପ୍ରଫୁଲ୍ଲ ବାବୁ ଜୟଦେବଙ୍କୁ ଭେଟି ସେ ସଂକଟରୁ ଆମକୁ ମୁକ୍ତ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, କୋଣାର୍କ, ଓଡ଼ିଆ ଭାଷା ଆଦିର ଇତିହାସ ରଚନା କରି ଏ ଜାତିର ପରିଚୟ ସଂକଟକୁ ଦୂର କରିବାରେ ସେ ସକ୍ଷମ ହୋଇପାରିଛନ୍ତି। ସେ ଦୃଷ୍ଟିରୁ ଆଜି ତାଙ୍କ ଜନ୍ମ ଦିବସକୁ କୃତଜ୍ଞତା ଦିବସ ଭାବେ ପାଳନ କରିବା ଉଚିତ।
ସମ୍ମାନିତ ଅତିଥି ଜୟଦେବ ନିର୍ବାଚନମଣ୍ଡଳନୀ ବିଧାୟକ ଅରବିନ୍ଦ ଢାଲି କହିଲେ, ଆମ ନିର୍ବାଚନ ମଣ୍ଡଳୀକୁ ଜୟଦେବଙ୍କ ନାମରେ ନାମିତ କରିଥିବା ସ୍ରଷ୍ଟା ପୁରୁଷ ହେଉଛନ୍ତି ଶ୍ରୀ ତ୍ରିପାଠୀ। ସେ ଜଣେ ଐଶ୍ବରିକ ବ୍ୟକ୍ତିତ୍ବ। ତେଣୁ ଏଭଳି ମହାନ୍‌ କାର୍ଯ୍ୟ ତାଙ୍କ ଦ୍ବାରା ସମ୍ଭବ ହୋଇପାରିଛି। ସେ ଦୀର୍ଘାୟୁ ହୁଅନ୍ତି ଓ ଇତିହାସ, ଭାଷା ସାହିତ୍ୟ କ୍ଷେତ୍ରରେ ଏଭଳି ସୃଷ୍ଟି ଜାରି ରଖନ୍ତୁ।

ଅନ୍ୟତମ ଅତିଥି ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା କହି‌ଲେ, ଇତିହାସ ଓ ରାଜଧାନୀକୁ ନେଇ ଶ୍ରୀ ତ୍ରିପାଠୀ ଯାହା କରିଛନ୍ତି, ତାହା ଚିରସ୍ମରଣୀୟ। ଆମ ରାଜ୍ୟର ପର୍ଯ୍ୟଟନର ବିକା‌ଶ ହୋଇପାରିଲେ ତାହା ଶ୍ରୀ ତ୍ରିପାଠୀଙ୍କ ପ୍ରତି ଶ୍ରେଷ୍ଠ ଉପହାର ହୋଇପାରିବ। ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଏହାସହ ଆଜିର ଦିନକୁ ଓଡ଼ିଶା ଇତିହାସ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଅନୁଷ୍ଠାନର ରାଜ୍ୟ ସଂଯୋଜକ ନାରାୟଣ ଓଝା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶ୍ରୀ ତ୍ରିପାଠୀଙ୍କ ରଚିତ ଦୁଇଟି ପୁସ୍ତକ ‘ଶ୍ରୀ ଜୟଦେବ’ ଓ ‘ମେଘଦୂତ’ ‌ଲୋକାର୍ପିତ ହୋଇଥିଲା।