ନିର୍ମାଣାଧୀନ ପ୍ରକଳ୍ପ ଉପରେ ରେରା ନଜର

ଅଡ଼ୁଆରେ ରିଅଲ ଇଷ୍ଟେଟ୍ ସଂସ୍ଥା, ଏବେ ଅନଲାଇନ୍‌ରେ ଅଭିଯୋଗ କରିପାରିବେ ଗ୍ରାହକ

ଭୁବନେଶ୍ବର: ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ଗଠନ ହେବାର ପ୍ରାୟ ୨ବର୍ଷ ପରେ ଏହା ସଶକ୍ତ ହେବାରେ ଲାଗିଛି। ଯେପରି ଘର କ୍ରେତା ଠକେଇର ଶିକାର ନହେବେ, ଠିକ୍ ସମୟରେ ସେମାନଙ୍କ ଘର ପାଇବେ, ଘରେ ବସି ଅଭିଯୋଗ କରିପାରିବେ, ସେନେଇ ଓରେରା ପକ୍ଷରୁ ବ୍ୟାପକ ସଂସ୍କାର ଅଣାଯାଇଛି। ପୂବର୍ରୁ ଓରେରା ନିୟମ ଅନୁଯାୟୀ, କେବଳ ନୂଆ କରି ନିର୍ମାଣ ହେବାକୁ ଥିବା ପ୍ରକଳ୍ପଗୁଡ଼ିକୁ ପଞ୍ଜୀକୃତ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। କିନ୍ତୁ ଏବେ ଯେଉଁ ପ୍ରକଳ୍ପଗୁଡ଼ିକର ପ୍ଲାନିଂ ଅବଧି ସରି ଯାଇଥିବ, ସେଗୁଡ଼ିକ ବି ଏଥିରେ ସାମିଲ୍ ହେବ। ଏହାଦ୍ବାରା ଲୋକମାନେ ଅଧିକ ଉପକୃତ ହେବେ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ନିକଟରେ ଓରେରା ପକ୍ଷରୁ ବିଡିଏକୁ ଚିଠି ଲେଖି ଏ ସମ୍ବନ୍ଧୀୟ ଦ୍ବନ୍ଦ୍ବକୁ ଦୂର କରାଯିବା ସହ ନୂଆ ନିୟମ ଆପଣାଇବାକୁ ନିଷ୍ପତ୍ତି ହୋଇଛି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏବେ ଜଣେ କୌଣସି ପ୍ରକଳ୍ପ ପାଇଁ ପ୍ଲାନ୍ ନେଲେ ଏହାର ଅବଧି ତିନି ବର୍ଷ ପାଇଁ ରହୁଛି। ଏହି ସମୟରେ ପ୍ରକଳ୍ପ ଶେଷ ନକଲେ ପୁଣି ପ୍ଲାନ୍ ନବୀକରଣ କରିବାକୁ ନିୟମ ରହିଛି। କେତେକ ଅବଧି ସରିବା ପରେ ଏହାକୁ ନବୀକରଣ ନକରି ବି ଗୃହ ନିର୍ମାଣ କରୁଛନ୍ତି। ଏହାଦ୍ବାରା ପ୍ରକଳ୍ପ ଶେଷ ହେବାକୁ ବହୁ ବର୍ଷ ଲାଗୁଥିବାରୁ ଲୋକମାନେ ଅଯଥା ଠକେଇର ଶିକାର ହେଉଛନ୍ତି। ତେଣୁ ‌ଓରେରାରେ ପଞ୍ଜୀକୃତ ଅବଧି ସରିଥିବା ନିର୍ମଣାଧୀନ ପ୍ରକଳ୍ପକୁ ସାମିଲ୍ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଖୁବ୍ ଶୀଘ୍ର ନିର୍ଦ୍ଦେଶନାମା ଜାରି ହେବ। ଓରେରାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯେଉଁ ପ୍ରକଳ୍ପର ଅନୁମୋଦିତ ପ୍ଲାନ୍ ଅବଧି ସରିବା ପରେ ନିର୍ମାଣ ହେଉଥିବ, ତାହା ବେଆଇନ। ତେଣୁ ପ୍ଲାନ୍ ନବୀକରଣ କରିବା ସହ ପ୍ରକଳ୍ପକୁ ଓରେରାରେ ପଞ୍ଜୀକରଣ କରିବାକୁ ନିଷ୍ପତ୍ତି ହୋଇଛି। ଯଦି ବିନା ପଞ୍ଜୀକରଣରେ କିଏ ନିର୍ମାଣ କାର୍ଯ୍ୟ କରୁଥିବେ ସେମାନଙ୍କ ପ୍ରକଳ୍ପକୁ ସିଲ୍ କରାଯିବ। ଯେଉଁ ଗ୍ରାହକମାନେ ଏବେ ନିର୍ମଣାଧୀନ ପ୍ରକଳ୍ପ ବା ନୂଆ କରି ନିର୍ମାଣ ହେଉଥିବା ପ୍ରକଳ୍ପରୁ ଘର କିଣୁଛନ୍ତି ସେମାନେ ଓରେରା ପଞ୍ଜୀକୃତ କି ନୁହେଁ ତାହା ଦେଖିବା ଦରକାର।

ଓରେରା ଏହି ନୂଆ ନିୟମ ଆଣିବାକୁ ଯାଉଥିବା ବେଳେ ଏହାକୁ ରିଅଲ ଇଷ୍ଟେଟ୍ ସଂସ୍ଥା ବିରୋଧ କରିବା ଆରମ୍ଭ କଲେଣି। ରିଅଲ ଇଷ୍ଟେଟ୍ ସଂସ୍ଥାଙ୍କ ଯୁକ୍ତି ଯେ, ବଡ଼ ବଡ଼ ପ୍ରକଳ୍ପ ଶେଷ କରିବାକୁ ୪ରୁ ୫ବର୍ଷ ଲାଗୁଛି। ହେଲେ ବିଡିଏ/ବିଏମ୍‌ସି ତିନି ବର୍ଷିଆ ପ୍ଲାନ୍ ଦେଉଥିବାରୁ ଏହି ସମୟରେ ପ୍ରକଳ୍ପ ଶେଷ କରିବା ସମ୍ଭବ ନୁହେଁ। ‌ତେଣୁ ପ୍ଲାନ୍ ଅବଧି ୫ବର୍ଷ ରଖିବାକୁ ଆମେ କହିଥିଲୁ। ବିଡିଏ କର୍ତ୍ତୃପକ୍ଷ ଏଥି‌େର ରାଜି ହୋଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏହି ନିୟମ ସଂଶୋଧନ ହେଲା ନାହିଁ। ଅନୁମୋଦିତ ପ୍ଲାନ୍ ଅବଧି ୫ବର୍ଷ ରହିଲେ ନିର୍ମାଣ କାର୍ଯ୍ୟରେ କିଛି ଅସୁବିଧା ହେବନି କି ପୁଣି ପ୍ଲାନ୍ ନବୀକରଣ କରିବାକୁ ପଡ଼ନ୍ତାନି। ହେଲେ ବିଡିଏ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉନାହାନ୍ତି।

ଏନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଡିଏର ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡସ ରେଗୁଲେସନ୍ ଆକ୍ଟରେ ପରିବତ୍ତର୍ନ ଆଣିଲେ ‌ହିଁ ପ୍ଲାନିଂ ଅନୁମୋଦିତ ଅବଧି ବଢ଼ାଇ ହେବ। ଏହି ଆକ୍ଟରେ ପରିବର୍ତ୍ତନ ଆଣିବାକୁ ହେଲେ ବିଧାନସଭାରେ ବିଲ୍ ପାରିତ ହେବାକୁ ପଡ଼ିବ। ତେଣୁ ରାଜ୍ୟ ସରକାର ଚାହିଁଲେ ହିଁ ଏ ଦିଗରେ ଯାହା ନିଷ୍ପତ୍ତି ନିଆଯାଇପାରିବ। ଅପରପକ୍ଷେ ଓରେରା ପକ୍ଷରୁ ଅନଲାଇନ୍‌ରେ ପ୍ରକଳ୍ପ ପଞ୍ଜୀକରଣ, ଗ୍ରାହକଙ୍କ ଅଭିଯୋଗ ଗ୍ରହଣ ଏବଂ ଫି’ ଦେୟ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାଦ୍ବାରା ଅଧିକରୁ ଅଧିକ ଲୋକ ଏଥିରେ ସାମିଲ୍ ହେବେ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର