ଭୁବନେଶ୍ବର: ବିଲ୍ଡରଙ୍କ ପାଇଁ ଖୁସି ଖବର। କ୍ରେତାଙ୍କ ସ୍ବାର୍ଥ ପାଇଁ ରେରା(ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ) ପ୍ରସ୍ତୁତ ନିୟାମକ-୨୦୨୧ର ୧୩ ନମ୍ବର ନିୟମକୁ ରେରା ସ୍ଥଗିତ ରଖିଛନ୍ତି। ଏଥର ପ୍ରମୋଟରମାନେ ପ୍ରକଳ୍ପ ସ୍ବୀକୃତି ପାଇଁ କରୁଥିବା ଆବେଦନରେ ବିଳମ୍ବ ହେଲେ ଆଉ ଜରିମାନା ଦେବାକୁ ପଡ଼ିବନାହିଁ। ବିଭିନ୍ନ ବିଲ୍ଡର ସଂଘମାନଙ୍କରୁ ଆସିଥିବା ଅଭିଯୋଗ ଆଧାରରେ ଏହି ନିୟମକୁ ସ୍ଥଗିତ ରଖାଯାଇଥିବା ରେରା ବିଜ୍ଞପ୍ତି ଜାରି କରିଛି, ଗତ ୨/୩/୨୦୨୨ରେ ପ୍ରକାଶିତ ଗେଜେଟ୍‌ ବିଜ୍ଞପ୍ତି ମୁତାବକ, ପ୍ରମୋଟରମାନଙ୍କ ପ୍ରକଳ୍ପର ବିଲ୍ଡିଂ ପ୍ଲାନ୍‌ ମଞ୍ଜୁର ହେବା ତାରିଖ ଠାରୁ ୪୫ ଦିନ ଭିତରେ ରେରା ସ୍ବୀକୃତି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବେ। ଯଦି ଏହା ୪୫ ଦିନ ପରଠାରୁ ୭୫ ଦିନ ଭିତରେ ଆବେଦନ କରନ୍ତି ତେବେ ପଞ୍ଜୀକରଣ ଦେୟ ସହ ଦେୟର ୨୫ % ଅତିରିକ୍ତ ପ୍ରଦାନ କରିବେ। ୭୫ରୁ ୧୦୫ ଦିନ ଭିତରେ ଆବେଦନ କଲେ ୫୦%, ୧୦୫ରୁ ୧୩୫ ଦିନ ଭିତରେ କଲେ ୧୦୦%, ୧୩୫ରୁ ୧୯୫ ଦିନ ମଧ୍ୟରେ କଲେ ୧୫୦%, ୧୯୫ରୁ ୨୫୫ ଦିନ ମଧ୍ୟରେ କଲେ ୨୦୦% ଓ ୨୫୫ ଦିନ ପରେ ଆବେଦନ କଲେ ୩୦୦% ଜରିମାନା ଦେବାକୁ ଧାର୍ଯ୍ୟ ହୋଇଥିଲା।

Advertisment

ଫଳରେ ଲେଟ୍‌ ଫାଇନ୍‌ ଭୟରେ ପ୍ରମୋଟର ବିଲ୍ଡିଂ ପ୍ଲାନ୍‌ ଆଣିବା ପରେ ତୁରନ୍ତ ରେରାରେ ଆବେଦନ କରୁଥିଲା। ଥରେ ରେରାରେ ପଞ୍ଜୀକରଣ ହୋଇଗଲେ ପ୍ରମୋଟର ପ୍ରକଳ୍ପ ତୁରନ୍ତ ସାରିବାକୁ ମଧ୍ୟ ବ୍ୟବସ୍ଥା କରୁଥିଲା। କିନ୍ତୁ ଏହି ସବୁ ଜରିମାନା ଏବେ ପଡ଼ିବ ନାହିଁ କିମ୍ବା ବିଲ୍ଡିଂ ପ୍ଲାନ୍‌ ପାଇବା ପରେ ରେରାରେ ପଞ୍ଜୀକରଣ କରିବାକୁ ପ୍ରମୋଟର ଛାନିଆ ହେବେନାହିଁ। ତେବେ ଏହି ଜରିମାନା ପରିମାଣ ଅଧିକ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଅନେକ ପ୍ରକଳ୍ପ ପ୍ରସ୍ତୁତ କରିବାରେ ପ୍ରମୋଟରଙ୍କୁ ତରବର ହେବାର ନଥିଲେ ବି ପ୍ଲାନ୍‌ ଆପ୍ରୁଭାଲ୍‌ର ୪୫ ଦିନ ଭିତରେ ହିଁ ରେରାରେ ପଞ୍ଜୀକରଣ ପାଇଁ ଆବେଦନ କରିବାକୁ ପଡୁଥିଲା। ପ୍ରମୋଟର ପଞ୍ଜୀକରଣ ଦେୟ ବାବଦକୁ ଜମା କରୁଥିବା ଅର୍ଥ ରେରାରେ ପଡ଼ି ରହୁଥିଲା। ଏଣୁ ଏକାଧିକ ରିୟଲ ଇଷ୍ଟେଟ୍‌ ଆସୋସିଏସନ ରେରାକୁ ପତ୍ର ଲେଖିଥିଲେ। ଅନ୍ୟପଟେ ଗେଜେଟ୍‌ ବିଜ୍ଞପ୍ତି ନେଇ ମାମଲା ହାଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟ ରାୟ ଆସିବା ପୂର୍ବରୁ ରେରା ଏହାକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିବା କେତେକ ଆଇନଜୀବୀ କହିଛନ୍ତି।