ରେରାଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: କ୍ରେତାଙ୍କ ସ୍ବାର୍ଥରକ୍ଷାକୁ ପ୍ରାଥମିକତା

ଭୁବନେଶ୍ବର: କୌଣସି ପରିସ୍ଥିତିରେ ଜମି କିମ୍ବା ଗୃହ ‌କ୍ରେତାଙ୍କ ସ୍ବାର୍ଥ ରକ୍ଷା କରାଯିବ। କ୍ରେତାଙ୍କ ସ୍ବାର୍ଥକୁ ନେଇ ଏଭଳି ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି ରେରା(ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ)। ଜଣେ କ୍ରେତାଙ୍କ ଆବେଦନର ବିଚାର କରି କ୍ରେତାସମୂହଙ୍କ ସ୍ବାର୍ଥରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। କ୍ରେତାଙ୍କ ଠାରୁ ବାକି ପଇସା ସଂଗ୍ରହ କରି ଘର ସମ୍ପୂର୍ଣ୍ଣ କରିବା ସହ ‌କ୍ରେତା ଜମା କରିଥିବା ୫୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ୯.୭୦ ପ୍ରତିଶତ ସୁଧ ୨୦୧୬ ମସିହାରୁ ହିସାବ କରି ଫେରାଇବାକୁ ଠକ ବିଲ୍ଡରକୁ ଋଣ ପ୍ରଦାନକାରୀ ବ୍ୟାଙ୍କ୍‌କୁ ଆଦେଶ ହୋଇଛି। ତା’ ସହିତ ଠକ ବିଲ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

ଶ୍ୟାମପୁର ଏସ୍‌ଓଏସ୍ ଭିଲେଜ ସମ୍ମୁଖ କଳିଙ୍ଗ ଷ୍ଟୁଡିଓ ନିକଟରେ ‘ଗଣପତି ହୋମ୍‌ସ୍‌’ ନାମକ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରିଥିଲା ଓଡ଼ିଶା ହୋମ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌। ୨୦୧୮ ମସିହା ସୁଦ୍ଧା ଗ୍ରାହକମାନଙ୍କୁ ଫ୍ଲାଟ୍ ଯୋଗାଇ ଦିଆଯିବାକୁ ଏହି ବିଲ୍ଡର ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିରେ ଟିସିଏସ୍‌ର କେତେକ କର୍ମଚାରୀ ଫ୍ଲାଟ୍ ନେବା ପାଇଁ ପ୍ରାୟ ୨୦ ଟଙ୍କା ଜମା କରିଥିବା ବେଳେ ସୁଜାତା ତ୍ରିପାଠୀ ମଧ୍ୟ ଫ୍ଲାଟ୍‌ ପାଇଁ ୫୧ ଲକ୍ଷରୁ ଊର୍ଦ୍ଧ୍ବ ଜମା କରିଥିଲେ। କିନ୍ତୁ ସଂସ୍ଥା ଫ୍ଲାଟ୍ ଯୋଗାଇବା ବଦଳରେ ଦିନ ଗଡ଼ାଇବା ସହ ୭ଟି ଫ୍ଲାଟ୍ ଅନ୍ୟ ଗ୍ରାହକଙ୍କୁ ବିକ୍ରି କରି ଦେଇଥିଲା। କ୍ରେତାଙ୍କ ଘରକୁ ବନ୍ଧକ ରଖି ଓରିଏଣ୍ଟାଲ ବ୍ୟାଙ୍କ୍‌ ଅଫ୍‌ କମର୍ସରୁ ମୋଟା ଅଙ୍କର ଋଣ ନେଇ ଯାଇଥିଲା। କିସ୍ତି ଜମା ନ କରିବାରୁ ବ୍ୟାଙ୍କ୍‌ ସମ୍ପୃକ୍ତ ସଂସ୍ଥାକୁ ସର୍ଫେସି ଆକ୍ଟ ବଳରେ ବିଲ୍ଡରକୁ ନୋଟିସ୍‌ କରିଥିଲା। କିନ୍ତୁ ସମ୍ପୃକ୍ତ ବିଲ୍ଡର ଅର୍ଥ (୪କୋଟିରୁ ଊର୍ଦ୍ଧ୍ବ) ଜମା ନ କରିବାରୁ ଏହି ଘର ସବୁକୁ ନିଜ ଦଖଲକୁ ନେବାକୁ ବିଭିନ୍ନ ଗଣମାଧ୍ୟମରେ ବ୍ୟାଙ୍କ୍‌ ବିଜ୍ଞପ୍ତି ଜାରି କରିଥିଲା। ବିଜ୍ଞପ୍ତି ଜାରି କରିବା ପରେ ସୁଜାତା ଜାଣିପାରି ରେରାଙ୍କ ଦ୍ବାରସ୍ଥ ହୋଇଥିଲେ।

ଠକ ବିଲ୍ଡର ପାଇଁ ଶାସ୍ତି ପାଇଲା ବ୍ୟାଙ୍କ୍‌
ଘର ତିଆରି କରିବ, ୨୦୧୬ ମସିହାରୁ ୯.୭୦% ସୁଧ ଫେରାଇବ

ରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ, ‌ସଦସ୍ୟ ପ୍ରଦୀପ କୁମାର ବିଶ୍ବାଳ ଓ ରାମନାଥ ପଣ୍ଡା ଏହି ମାମଲାର ଶୁଣାଣି କରିଥିଲେ। ୨୦୨୧ ମସିହାରେ ସୁପ୍ରିମକୋର୍ଟ ବିଚାର କରିଥିବା ନ୍ୟୁ ଟେକ୍‌ ପ୍ରମୋଟର୍ସ ଆଣ୍ଡ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ବନାମ ଉତ୍ତରପ୍ରଦେଶ ସରକାରଙ୍କ ମାମଲାର ରାୟକୁ ଆଧାର କରି ଏହି ଶୁଣାଣି ହୋଇଥିଲା। ସର୍ଫେସି ଆକ୍ଟ ବଳରେ ବ୍ୟାଙ୍କ୍‌ ଏହି ସମ୍ପତ୍ତିକୁ ନିଜ ଦଖଲକୁ ନେଇ ପାରିବ ନାହିଁ। ବରଂ କ୍ରେତାଙ୍କ ଠାରୁ ବାକି କିସ୍ତି ସଂଗ୍ରହ କରି ଘର ତିଆରି କରିବ ଏବଂ କ୍ରେତାଙ୍କୁ ଉପଲବ୍ଧ କରାଇବ। କୌଣସି ପରିସ୍ଥିତିରେ କ୍ରେତାଙ୍କୁ ହଇରାଣ ହେବାକୁ ଦେବ ନାହିଁ। ବରଂ କ୍ରେତା ଜମା କରିଥିବା ୫୧ ଲକ୍ଷ ୫୧ ହଜାର ୯୦୫ ଟଙ୍କା ଉପରେ ୨୦୧୬ ମସିହାରୁ ୯.୭୦ ପ୍ରତିଶତ ସୁଧ ହାରରେ ଅର୍ଥ ଫେରାଇବ। କେବଳ ସୁଜାତା ନୁହନ୍ତି, ବରଂ ଟିସିଏସ୍‌ର କେତେକ କର୍ମଚାରୀ ଫ୍ଲାଟ୍ ନେବା ପାଇଁ ୨୦କୋଟି ଟଙ୍କା ଦେଇ ଠକାମୀର ଶିକାର ହୋଇଥିଲେ। ସେମାନଙ୍କ ପାଇଁ ମଧ୍ୟ ଏହି ରାୟ ବଳବତ୍ତର ରହିବ।

ଉଲ୍ଲେଖଯୋଗ୍ୟ, ଟିସିଏସ୍‌ ପକ୍ଷରୁ ରଞ୍ଜନ କୁମାର ମହାପାତ୍ର କ୍ରାଇମ୍‌ ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲର ଅନ୍ୟତମ ନିର୍ଦ୍ଦେଶକ ମନୋଜ ପଣ୍ଡା ଓ ଅରବିନ୍ଦ ସାନ୍ତ୍ରାଙ୍କୁ ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା) ଗିରଫ କରିଛି। ଉଭୟ ଏବେ ଜେଲ୍‌ରେ ଅଛନ୍ତି। ଶୁଣାଣି ବେଳେ ସଂସ୍ଥା ପକ୍ଷରୁ କେହି ଉପସ୍ଥିତ ନ ରହିବାରୁ ଏକ୍ସପାର୍ଟି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର