ପୁନରୁଦ୍ଧାର ହେବ ୩୦ ହଜାର ଗଛ

ଚନ୍ଦ୍ରଶେଖରପୁର: ବାତ୍ୟାରେ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକର ପୁନରୁଦ୍ଧାର କରାଯାଉଛି। ଏବେ ସୁଦ୍ଧା‌ ଭୁବନେଶ୍ବର, କଟକ ଓ ପୁରୀରେ ଉପୁଡ଼ିଥିବା ପ୍ରାୟ ୧୨ ହଜାର ଗଛକୁ ପୁଣିଥରେ ଛିଡ଼ା କରାଯାଇ ତାହାର ଯତ୍ନ ନିଆଯାଉଛି। ଭୁବନେଶ୍ବରରେ ୮ ହଜାର ଗଛ ପୁନରୁଦ୍ଧାର ହୋଇଥିବା ବେଳେ କଟକ ଓ ପୁରୀ ଜିଲ୍ଲାରେ ଦୁଇ ହଜାର ଲେଖାଏ ଗଛକୁ ପୁଣିଥରେ ଛିଡ଼ା କରାଯାଇଛି। ଏହି କ୍ରମରେ ଭୁବନେଶ୍ବରରେ ପ୍ରାୟ ୩୦ ହଜାର ଗଛର ପୁନରୁଦ୍ଧାର କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ‘ଫନି’ ମୁକାବିଲା ପାଇଁ ସାମାଜିକ ଅନୁଷ୍ଠାନ ଓ ନାଗରିକ ସମୂହର ମିଳିତ ଉଦ୍ୟମରେ ସିୱାଇଏସ୍‌ଡି ପରିସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗଦେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ କହିଛନ୍ତି।

ଆଲୋଚନାଚକ୍ରରେ ପରିବେଶବିତ୍‌ ପ୍ରଫେସର ରାଧାମୋହନ କହିଲେ, ଅଧିକ ବେଗର ପବନକୁ ସହ୍ୟ କରୁଥିବା ନିମ୍ବ, ପାତାଳି, ସପ୍ତଫର୍ଣ୍ଣି, ପେସ୍ତା ବାଦାମ, ଅର୍ଜୁନ, ଜାମୁ, ଓଉ, ସୁନ୍ଦରୀ, ଚମ୍ପା ଆଦି ଗଛ ଲଗାଇବା ଉପରେ ଗୁରୁତ୍ବ ଦେବାକୁ ହେବ। ସରକାର ମଧ୍ୟ ଏଥିପ୍ରତି ଧ୍ୟାନ ଦେବାକୁ ପ୍ରସ୍ତାବ ଦେଇଥିଲେ। ସ୍ବେଚ୍ଛାସେବୀ ସଙ୍ଗଠନ ସିୱାଇଏସ୍‌ଡିର ପ୍ରତିଷ୍ଠାତା ଜଗଦାନନ୍ଦ କହିଲେ, ୧୯୯୯ ମହାବାତ୍ୟାକୁ ସହ୍ୟ କରିଥିବା ଗଛଗୁଡ଼ିକ ଫନିରେ ପ୍ରଭାବିତ ହୋଇଛି। ଏବେ ସମସ୍ତେ ମିଳିମିଶି ବ୍ୟାପକ ବୃକ୍ଷରୋପଣ କରିବାର ସମୟ ଆସିଛି। ପରିବେଶବିତ୍‌ ସବରମତି ଯୋଗଦେଇ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକରେ ନିଆଁ ନ ଲଗାଇବାକୁ ଲୋକଙ୍କୁ ନିବେଦନ କରିଥିଲେ। ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ଯୋଗଦେଇ ପ୍ରଭାବିତ ହୋଇଥିବା ଗଛର ପୁନରୁଦ୍ଧାର ଉପରେ ଗୁରୁତ୍ବ ଦେଇଥିଲେ। ଏଥିସହ କାମ୍ପା ଫଣ୍ଡ୍‌ର ବ୍ୟବହାର, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା ମାଧ୍ୟମରେ ସବୁଜ ବଳୟ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରା, ବିଏମ୍‌ସିର ଅତିରିକ୍ତ କମିସନର, ନଡ଼ିଆ ଉନ୍ନୟନ ବୋର୍ଡର ସଦସ୍ୟ, ଉଦ୍ୟାନକୃଷି ବିଭାଗର ଉପନିର୍ଦେଶକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର