ଭୁବନେଶ୍ୱର: ଆଇଆର୍ସି ଭିଲେଜ ନିକଟସ୍ଥ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍ପିଆର୍ସି) ପରିସରରୁ ଏକ ୯ଫୁଟର ଭାରତୀୟ ଅଜଗରକୁ ଉଦ୍ଧାର କରାଯାଇଛି। ପରିସରରେ ଥିବା ଏକ ଆଜ୍ବେଷ୍ଟସ୍ ଷ୍ଟୋର୍ ରୁମ୍ ଉପରେ ସାପଟି ପ୍ରାୟ ୧୫ ଫୁଟ ଉଚ୍ଚକୁ ଚଢ଼ି ଯାଇଥିଲା। ଏହା ଦେଖିବା ପରେ ଆର୍ପିଆର୍ସି ପକ୍ଷରୁ ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦିଆଯାଇଥିଲା। ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏବଂ ସାଥୀ ଅରୁଣ ବରାଳ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ତେବେ ସାପଟି ୧୫ଫୁଟ ଆଜବେଷ୍ଟସ୍ ଉପରେ ଥିବାରୁ ତାକୁ ଧରିବା ଏକ ଚ୍ୟାଲେଞ୍ଜ ଥିଲା ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୩ ଜଣ ବ୍ୟକ୍ତିଙ୍କ ସହଯୋଗରେ ଶ୍ରୀ ମଲ୍ଲିକ ଆଜବେଷ୍ଟସ୍ ଉପରକୁ ଉଠି ଆଜବେଷ୍ଟସ୍ ଉପରେ ଶୋଇଥିବା ଅଜଗରକୁ ଲାଞ୍ଜପଟୁ ଟାଣିଥିଲେ। ସାପଟି ଆକ୍ରମଣ କରିଥିଲେ ହେଁ ସାଥୀ ଅରୁଣଙ୍କ ସହଯୋଗରେ ସତର୍କତାର ସହ ସାପକୁ ଟାଣି ଏକ ମୁଣା ଭିତରକୁ ପକାଇଥିଲେ। ପରେ ଆର୍ପିଆର୍ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଚ୍ଏସ୍ ଉପାଧ୍ୟାୟଙ୍କ ସହ କଥାବାର୍ତା ପରେ ସାପକୁ ଭରତପୁର ଜଙ୍ଗଲ ପାଚେରି ନିକଟରେ ଛଡ଼ା ଯାଇଥିଲା। ଭରତପୁର ଜଙ୍ଗଲ ଏବଂ ଆର୍ପିଆର୍ସିର ଗୋଟିଏ ପାଚେରି ହୋଇଥିବାରୁ ସାପଟି ସେପଟୁ ପାଚେରି ଡେଇଁ ଆର୍ପିଆର୍ସି ପରିସରକୁ ପଶି ଆସିଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ଜଙ୍ଗଲକୁ ସଂଲଗ୍ନ ଥିବା ସାଲିଆସାହି ଓ ଏକାମ୍ର କାନନ ମଧ୍ୟକୁ ହାତୀମାନଙ୍କ ଭଳି ଅଜଗର ପଶି ଆସିବା ପରେ ଉଦ୍ଧାର ହୋଇଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।