ପୁନରୁଦ୍ଧାର ହେବ ‘ଫିସେରି ଟ୍ୟାଙ୍କ୍‌’ ପ୍ରକଳ୍ପ

ଭୁବନେଶ୍ୱର: ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ‘ଫିସେରି ଟ୍ୟାଙ୍କ୍‌’ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଆଜି ବିଏମ୍‌ସି ଓ ବିଡିଏର ମିଳିତ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ଵାଡ୍‌ ପକ୍ଷରୁ ଏଠାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା କରାଯାଇଥିବା ଜବରଦଖଲର ଉଚ୍ଛେଦ କରାଯାଇଛି। ଡ୍ରୋଜୋର ଲଗାଯାଇ ଏଠାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା କରାଯାଇଥିବା ୧୦ଟି କ୍ୟାବିନ୍‌କୁ ହଟାଯାଇଛି। ସରକାରୀ ଜାଗାରେ ଗଢ଼ିଉଠିଥିବା ୭ଟି ଆଜବେଷ୍ଟସ୍‌ ଘରକୁ ମଧ୍ୟ ଭଙ୍ଗାଯାଇଛି। ବେଆଇନ ଭାବେ ନିର୍ମାଣ ଚାଲିଥିବା ମନ୍ଦିର ସହ ରାସ୍ତା ଅବରୋଧ କରି ନିର୍ମାଣ କରାଯାଇଥିବା ଅନେକ ପାଚେରିକୁ ମଧ୍ୟ ଉଚ୍ଛେଦ କରାଯାଇଛି।
ଜବରଦଖଲ ହୋଇଥିବା ପ୍ରାୟ ୮୦ହଜାର ସ୍କୋୟାରଫୁଟ୍‌ର ସ୍ଥାନ ଆଜି ସଫା କରାଯାଇଥିବା ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ୍‌ ଇନ୍‌ସପେକ୍ଟର ପ୍ରଫୁଲ୍ଲ ବେହେରା ସୂଚନା ଦେଇଛନ୍ତି। ବିଡିଏର ଏନ୍‌ଫୋର୍ସମେଣ୍ଟ୍‌ ଅଧିକାରୀ ପ୍ରମୋଦ ପାତ୍ର, ଜନସମ୍ପର୍କ ଅଧିକାରୀ ଶୁଭ୍ରାଂଶୁ ମହାନ୍ତି ପ୍ରମୁଖ ଉଚ୍ଛେଦସ୍ଥଳରେ ଉପସ୍ଥିତ ଥିଲେ। ଲକ୍ଷ୍ମୀସାଗର ପୁଲିସ ସହଯୋଗରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ବ୍ୟାପକ ଜବରଦଖଲ ପାଇଁ ‘ଫିସେରି ଟ୍ୟାଙ୍କ’ ପ୍ରକଳ୍ପର ପୁନରୁଦ୍ଧାର ହୋଇପାରୁନଥିଲା। ବର୍ତମାନ ଏହି କାର୍ଯ୍ୟ କରାଯାଇପାରିବ ବୋଲି ପୂର୍ବ ଜୋନ୍‌ର ଜୋନାଲ ଡେପୁଟି କମିସନର ବିନୟ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର