ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ଏକ ଦେଢ଼ ବର୍ଷର ରୋଗିଣା ଶିଶୁପୁତ୍ରକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସ୍ଥାନୀୟ ଆହାର କେନ୍ଦ୍ର ପଛରୁ ଏହି ଶିଶୁପୁତ୍ରକୁ ପୁଲିସ ଉଦ୍ଧାର କରିଛି। ତା’ର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। କ୍ୟାପିଟାଲ ଫାଣ୍ଡି ପୁଲିସ ଶିଶୁପୁତ୍ରକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିଛି। ରାତି ସୁଦ୍ଧା ଶିଶୁପୁତ୍ରକୁ କେହି ନେବାକୁ ଆସି ନାହାନ୍ତି। ତେଣୁ ଏହି ଶିଶୁପୁତ୍ରଟି ଭିକ୍ଷା ବୃତ୍ତି ପାଇଁ ଭଡ଼ାରେ ମିଳୁଥିବା ପିଲା ବୋଲି ସନ୍ଦେହ କରାଯାଉଛି। ତେବେ ଏ ନେଇ ଚାଇଲ୍ଡ ଲାଇନ୍ ପାଖରେ ମଧ୍ୟ ଖବର ନାହିଁ ବୋଲି ଜଣାପଡ଼ିଛି।
କିଛି ଦେଖଣାହାରୀଙ୍କ ମୁତାବକ, ଦୁଇ ଜଣ ଯୁବକ ଏହି ଶିଶୁପୁତ୍ରକୁ ପିଟୁଥିଲେ ଓ ଛୁଆଟି ବିକଳ ହୋଇ କାନ୍ଦି କାନ୍ଦି ତଳେ ଗଡ଼ୁଥିଲା। କିଛି ଲୋକ ଯୁବକ ଦୁଇ ଜଣଙ୍କୁ ରୋକିବାକୁ ଯାଇ ତାଗିଦ୍ କରିଥିଲେ। ଏହା ପରେ ସେମାନେ ପିଲାଟିକୁ ତଳୁ ଉଠାଇ କିଛି ସମୟ ପାଇଁ ଧରିଥିଲେ। ମାତ୍ର ଲୋକମାନେ ସେଠାରୁ ଚାଲିଯିବା ପରେ ସୁଯୋଗ ଦେଖି ଯୁବକଦ୍ବୟ ପିଲାଟିକୁ ସେଠାରେ ତଳେ ଫିଙ୍ଗି ଦେଇ ଅନ୍ତର୍ଧାନ ହୋଇ ଯାଇଥିଲେ। ଶିଶୁପୁତ୍ରଟି ସେମିତି ତଳେ ପଡ଼ି ରହିଥିଲା। ଖବର ପାଇ ପୁଲିସ ଉଦ୍ଧାର କରିଥିଲା। ଉଲ୍ଲେଖଯୋଗ୍ୟ ରାଜଧାନୀରେ ଶିଶୁଙ୍କୁ ଭଡ଼ାରେ ଆଣି ଭିକ୍ଷାବୃତ୍ତି ପାଇଁ ବ୍ୟବହାର କରାଯାଉଥିବା ଅଭିଯୋଗ ରହିଛି। ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ଶିଶୁମାନଙ୍କୁ ଭିକ୍ଷାବୃତ୍ତିରେ ଲଗା ଯାଉଥିବା ଦେଖିବାକୁ ମିଳୁଛି। ରୋଗିଣା ଶିଶୁଙ୍କୁ ଦେଖାଇ ଭିକ୍ଷା କଲେ ବେଶ୍ ଭଲ ପଇସା ମିଳୁଛି। ଆଜି ଉଦ୍ଧାର ହୋଇଥିବା ଶିଶୁ ବାବଦରେ କ୍ୟାପିଟାଲ ଥାନା ପୁଲିସ କୌଣସି ମାମଲା ରୁଜୁ କରିନଥିଲେ ହେଁ ତା’ର ପରିଚୟ ଜାଣିବା ପାଇଁ ଛାନ୍ଭିନ୍ ଚଳାଇଥିବା ସୂଚନା ମିଳିଛି।