ବାଲିଅନ୍ତା/ବାଲିଅନ୍ତା ବଜାର, ୨୧/୩ (ଇମିସ): ବାଲିଅନ୍ତା ଥାନା ଅଧୀନ ବେଣ୍ଟପୁର ଶାସନ କୋଠଘର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଆଜି ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ହେଲେ, ବେଣ୍ଟପୁର ପଞ୍ଚାୟତ ଅଧୀନ ଖରିପଡ଼ିଆ ଗ୍ରାମର ମହେଶ୍ବର ବେହେରା (୪୭)। ବାଲିଅନ୍ତା ଅଗ୍ନିଶମ ସେବା ବାହିନୀ ପହଞ୍ଚି ମୃତଦେହ ଉପରକୁ ଆଣିଥିଲା। ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ମହେଶ୍ବରଙ୍କ ମୁହଁ, ହାତ, ପେଟ, ଛାତି ଏବଂ ଗୁପ୍ତାଙ୍ଗରେ କ୍ଷତଚିହ୍ନ ଥିବା ତଦନ୍ତ ବେଳେ ଦେଖିବାକୁ ମିଳିଥିଲା। ତାଙ୍କ ଚପଲ କୂଅଠାରୁ ୧୦୦ ମିଟର ଦୂରରେ ପଡ଼ିଥିବା ବେଳେ ବାଇକ୍ କୂଅ ନିକଟରେ ଥିଲା। ମହେଶ୍ବରଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହା ସ୍ପଷ୍ଟ ହୋଇନାହିଁ।
ହତ୍ୟା ଅଭିଯୋଗ ଆଣିଲେ ସାନ ଭାଇ
ଘର ମାଲିକ ସମେତ ୩ଅଟକ
ପାରିପାର୍ଶ୍ବିକ ପରିସ୍ଥିତିରୁ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ କୂଅ ଭିତରକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ମହେଶ୍ବରଙ୍କୁ ହତ୍ୟା କରାଯାଇଥିବା ସଂପର୍କରେ ତାଙ୍କ ସାନ ଭାଇ ଧନେଶ୍ବର ବେହେରା ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି। ବେଣ୍ଟପୁର ଶାସନ ଗ୍ରାମର ୩ଜଣଙ୍କ ବିରୋଧରେ ଧନେଶ୍ବର ଅଭିଯୋଗ କରିଛନ୍ତି। ଘର ମାଲିକ ସମେତ ଭଜନ ପରିବେଷଣ କରୁଥିବା ଅନ୍ୟ ଦୁଇଜଣ ଯୁବକଙ୍କ ନାମରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ, ଗତ ରବିବାର ସଂଧ୍ୟାରେ ଗ୍ରାମର ଜଣେ ମୃତକଙ୍କ ଚଉଦଦିନରେ ଭୋଜି ହେଉଥିଲା। ସେଥିରେ ନାମସଂକୀର୍ତ୍ତ ଓ ଭଜନ ପରିବେଷଣ ହେଉଥିଲା। ମହେଶ୍ବର ଭୋଜି ଖାଇ ସାରି ନିକଟସ୍ଥ ଭିଙ୍ଗାରପୁର ଶାସନରେ ହେଉଥିବା ଡ୍ରାମା ଦେଖିବାକୁ ଯିବେ ରାତି ୯ଟାରେ ପତ୍ନୀ ଭାବେନୀକୁ କହି ବାଇକ୍ ନେଇ ଘରୁ ପଳାଇଥିଲେ। ଆଉ ତା’ ପରେ ଘରକୁ ଫେରି ନଥିଲେ। ହେଲେ ସୋମବାର ସକାଳେ ମହେଶ୍ବର ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କର ସନ୍ଦେହ ହୋଇଥିଲା। ତେଣୁ ବେଣ୍ଟପୁର ଶାସନ ଗ୍ରାମରେ ଖୋଜାଖୋଜି କରିଥିଲେ। ଭୋଜିସ୍ଥଳରୁ ମହେଶ୍ବରଙ୍କ ଚପଲ ପାଇଥିବା ବେଳେ କୋଠଘର କୂଅ ନିକଟରୁ ତାଙ୍କର ବାଇକ୍ ପାଇଥିଲେ। ଫଳରେ ପରିବାରଲୋକଙ୍କ ସନ୍ଦେହ ବଢ଼ି ଯାଇଥିଲା। ମହେଶ୍ବର ନିଖୋଜ ହେବା ସଂପର୍କରେ ତାଙ୍କର ପତ୍ନୀ ଥାନାରେ ଅଭିଯୋଗ କରିଥିଲେ।