ଶୌଚାଳୟ ଦୁର୍ଗନ୍ଧ ଦୂର ପାଇଁ ହେବ ଗବେଷଣା

ଫିଲାଡେଲ୍‌ଫିଆରୁ ଆସିଛନ୍ତି ଗବେଷିକା

ଭୁବନେଶ୍ୱର : ରାଜଧାନୀକୁ ଖୋଲାରେ ମଳତ୍ୟାଗମୁକ୍ତ ସହର କରିବାକୁ ଘରୋଇ ଏବଂ ଗୋଷ୍ଠୀ ଶୌଚାଳୟ ନିର୍ମାଣ ଜାରି ରହିଛି। ବିଲ୍‌ଗେଟସ୍‌ ଫାଉଣ୍ଡେସନ୍‌ ତରଫରୁ ରାଜଧାନୀରେ ୨୬ଟିି ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିବା ବେଳେ ଏସବୁର ସଂପୂର୍ଣ୍ଣ ପରିମଳ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି। ଶୌଚାଳୟର ଦୈନନ୍ଦିନ ସଫେଇ ପାଇଁ ଟିକ୍‌ନିଖ୍‌ ବ୍ୟବସ୍ଥା କରାଯାଇଥିବା ବେଳେ କିଛି ମାସ ପରେ ଏହା ଯେପରି ମଇଳା ନହେବ ସେନେଇ ପ୍ରୋଜେକ୍ଟ ସମ୍ମାନ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି। ଶୌଚାଳୟରୁ ବାହାରୁଥିବା ଦୁର୍ଗନ୍ଧ କିପରି ଅଧିକ ନ ହେବ, ହେଲେ କିପରି ଦୂର ହେବ, ସେଥିପାଇଁ ଫିଲାଡେଲ୍‌ଫିଆ ସହରରୁ ପାମେଲା ଆଣ୍ଡର୍‌ସନ୍‌ ନାମକ ଜଣେ ଗବେଷିକା ଆସିଛନ୍ତି।

ଶୌଚାଳୟ ନିର୍ମାଣର କିଛି ମାସ ପରେ ସାଧାରଣତଃ ଏଥିରୁ ବ୍ୟାକ୍ଟେରିଆଜନିତ ଅନାବଶ୍ୟକ ଦୁର୍ଗନ୍ଧ ନିର୍ଗତ ହୋଇଥାଏ। ଏହି ପରିସ୍ଥିତିରେ ଗୋଷ୍ଠୀର ଲୋକମାନେ ଏହାକୁ ବ୍ୟବହାର କରିବା ନେଇ ଅନାଗ୍ରହ ପ୍ରକାଶ କରିବା ସମ୍ଭାବନା ରହିଛି। ଫଳରେ ଲୋକମାନେ ବାହାରେ ପୁଣି ଶୌଚ କରିପାରନ୍ତି। ତେଣୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକତା ସଂକ୍ରାନ୍ତରେ ପାମେଲା ଏକ ବିବରଣୀ ପ୍ରଦାନ କରିବେ।

ଶୌଚାଳୟ ପରିଚାଳନା ନେଇ ଚୁକ୍ତି ସ୍ୱାକ୍ଷର
ପ୍ରୋଜେକ୍ଟ ସମ୍ମାନ ଅଧୀନରେ ଥିବା ୨୬ଟିି ଶୌଚାଳୟର ରକ୍ଷଣାବେକ୍ଷଣ କରିବେ ସଂପୃକ୍ତ ଅଞ୍ଚଳର ବସ୍ତିବାସିନ୍ଦା। ଏଥିପାଇଁ ୱାର୍ଡ ସାନିଟେସନ୍‌ କମିଟି ଗଠନ କରାଯାଇଛି। ଏହିଭଳି ୪ଟିି କମିଟି ସହ ଆଜି ବିଏମ୍‌ସି ଚୁକ୍ତିନାମା ସ୍ୱାକ୍ଷର କରିଛି। ପୂର୍ବରୁ ୬ଟି ଶୌଚାଳୟ ପାଇଁ ରାଜିନାମା ସ୍ୱାକ୍ଷର ହୋଇଥିବା ବେଳେ ଅନ୍ୟ ଶୌଚାଳୟଗୁଡ଼ିକ ପାଇଁ ଖୁବ୍‌ଶୀଘ୍ର ଚୁକ୍ତି ସ୍ୱାକ୍ଷର ହେବ। ଏଣିକି ୱାର୍ଡ ସାନିଟେସନ୍‌ କମିଟିଗୁଡ଼ିକ ଶୌଚାଳୟର ସମସ୍ତ ରକ୍ଷଣାବେକ୍ଷଣ କରିବା ସହ ଫି’ ମଧ୍ୟ ଆଦାୟ କରିବେ। ଏଥିପାଇଁ ସେମାନଙ୍କ ଦକ୍ଷତା ବିକାଶ କରାଯାଇଛି। ଆଜି ପ୍ରଶାନ୍ତି ବିହାର, ଜଲିମୁଣ୍ଡା ବସ୍ତି ଏବଂ ପଣ୍ଡା କୁଡ଼ିଆ ବସ୍ତି ନିକଟରେ ରହିଥିବା ଶୌଚାଳୟ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏଥିରେ ବିଭିନ୍ନ କମିଟିର ନିର୍ବାଚିତ ପ୍ରତିନିଧି, ବସ୍ତିବାସିନ୍ଦା, ବିଏମ୍‌ସିର ଶୌଚାଳୟ ଦାୟିତ୍ୱରେ ଥିବା ଦେବାଶିଷ ସାହୁ ଏବଂ ଡେପୁଟି କମିସନର୍‌ ଲଲାଟେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

 

 

 

 

 

 

ସମ୍ବନ୍ଧିତ ଖବର