ବାଣୀବିହାରରେ ଏମିତି ଚାଲିଛି ଗବେଷଣା, ଆଗେଇ ପାରୁନି ‘ବାର୍କ’ କେନ୍ଦ୍ର

ଗ୍ରାମାଞ୍ଚଳ ବିକାଶ ଉପରେ ହୋଇପାରୁନି ଗବେଷଣା

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟକୁ ଗ୍ରାମାଞ୍ଚଳ ସହ ଯୋଡ଼ିବା ଲକ୍ଷ୍ୟରେ ୨୦୧୬ରେ କ୍ୟାମ୍ପସରେ ଆରମ୍ଭ ହୋଇଥିଲା ଭାବା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟର (ବିଏଆରସି ତଥା ବାର୍କ)ର ସମ୍ପ୍ରସାରିତ କେନ୍ଦ୍ର। ଏହି କେନ୍ଦ୍ର ପ୍ରତିଷ୍ଠା ଲାଗି ଉତ୍କଳ ବିଶ୍ବବିଦ୍ୟାଳୟ, ରାଜ୍ୟ ସରକାର ଓ ବାର୍କ ମଧ୍ୟରେ ରାଜିନାମା ହୋଇଥିଲା। ବିଲ୍‌ଡିଂ ନିର୍ମାଣ ଲାଗି ରାଜ୍ୟ ସରକାର କୋଟିଏ ଟଙ୍କା ଦେଇଥିବା ବେଳେ ଆନୁସଙ୍ଗିକ କାର୍ଯ୍ୟ ଲାଗି ବାର୍କ ପକ୍ଷରୁ କୋଟିଏ ଟଙ୍କାର ବ୍ୟୟବରାଦ କରାଯାଇଥିଲା। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କିଭଳି ଗ୍ରାମାଞ୍ଚଳ ବିକାଶରେ ସହଯୋଗ କରିବେ, ସେମାନଙ୍କ ଗବେଷଣାଲବ୍ଧ ଜ୍ଞାନ ଲୋକଙ୍କ ବିକାଶରେ ଲାଗିବ, ‌ବିଶ୍ବବିଦ୍ୟାଳୟ ନିକଟତମ ଗାଁଗୁଡ଼ିକର ବିକାଶକୁ ଆଖି ଆଗରେ ରଖି ୨୦୧୯ ସୁଦ୍ଧା‌ ଏହାକୁ ଉଦ୍‌ଘାଟନ କରି କାର୍ଯ୍ୟକ୍ଷମ କରିବାକୁ ସ୍ଥିର ହୋଇଥିଲା। ଇତିମଧ୍ୟରେ ୩ ବର୍ଷ ବିତିଗଲାଣି। ଧାର୍ଯ୍ୟ ଲକ୍ଷ୍ୟ ବି ଗଡ଼ିଗଲାଣି। ତଥାପି କାର୍ଯ୍ୟକ୍ଷମ ହୋଇପାରୁନି। ଅଧାରେ ଅଟକି ରହିଛି ଏହି ଜାତୀୟସ୍ତରୀୟ ଗବେଷଣା କେନ୍ଦ୍ର।

ବିଲଡିଂ ହସ୍ତାନ୍ତର କରୁନି ସିପିଡବ୍ଲ୍ୟୁଡି
ସେପ୍ଟେମ୍ବର ଶେଷ ସୁଦ୍ଧା ହେବ କାର୍ଯ୍ୟକ୍ଷମ: କୁଳସଚିବ

ଗ୍ରାମାଞ୍ଚଳରେ ଥିବା ସ୍କୁଲଗୁଡ଼ିକୁ ଶସ୍ତାରେ ୱାଟର ଫିଲ୍‌ଟର ଯୋଗାଇବା, ୧୦ରୁ ୧୧ ହଜାର ଟଙ୍କା ଖର୍ଚ୍ଚ କରାଯାଇ ପ୍ରତି ଘରେ ସୋଲାର ଫୁଡ୍‌ ପ୍ରୋସେସ୍‌ର ୟୁନିଟ୍‌ ସ୍ଥାପନ, ପ୍ରତି ତିନି ମାସରେ କିଭଳି କଦଳୀ ଉତ୍ପାଦନ ହୋଇପାରିବ ତାହା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା। ଏଥିସହ ବାୟୋଗ୍ୟାସ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ବି ଲକ୍ଷ୍ୟ ରଖାଯାଇଥିଲା। ଇତିମଧ୍ୟରେ ବିଶ୍ବବିଦ୍ୟାଳୟ ହଷ୍ଟେଲଗୁଡ଼ିକରେ ବାୟୋଗ୍ୟାସ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହୋଇସାରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନପାରି ଦୁଇ ବର୍ଷ ହେଲା ଅଚଳ ହୋଇପଡ଼ିଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସେଥିପ୍ରତି ଆଦୌ ଗୁରୁତ୍ବ ଦେଉନାହାନ୍ତି। ୨୦୧୬ରେ ସେତେବେଳର କୁଳପତି ପ୍ରଫେସର ଅଶୋକ କୁମାର ଦାସଙ୍କ ସମୟରେ କିଛି କାମ ଆଗେଇଥିଲା। ବିଶ୍ବବିଦ୍ୟାଳୟର ଏଗ୍ରି ମ୍ୟାନେଜ୍‌ମେଣ୍ଟ, ଓ ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ବିଭିନ୍ନ ପଞ୍ଚାୟତକୁ ଯାଇ ଏକାଧିକ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଟିସୁ କଲଚର ଓ ବାୟୋଗ୍ୟାସ୍‌ ପ୍ଲାଣ୍ଟ ସମ୍ପର୍କରେ ଗ୍ରାମାଞ୍ଚଳ ଲୋକଙ୍କ ସହ ଆଲୋଚନା କରିଥିଲେ। ତେବେ ପ୍ରଫେସର ଦାସଙ୍କ କାର୍ଯ୍ୟକାଳ ପରେ ଏହି କେନ୍ଦ୍ର ଆଉ ଆଗକୁ ବଢ଼ିପାରିଲା ନାହିଁ। ନୂଆ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଅଢ଼େଇ ବର୍ଷ ହେଲା ଦାୟିତ୍ବରେ ରହିଥିଲେ ମଧ୍ୟ ଉକ୍ତ କେନ୍ଦ୍ରକୁ ଆଗକୁ ନେଇପାରି ନାହାନ୍ତି। ବରଂ ଅନ୍ୟ ପ୍ରକଳ୍ପଗୁଡ଼ିକ ପରି ଏହା ମଧ୍ୟ ଅଧାରେ ଅଟକି ରହିଛି। ବାର୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିବା ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରି ନଥିବାରୁ ଦ୍ବିତୀୟ କିସ୍ତିରେ ମିଳିବାକୁ ଥିବା ୪୦ ଲକ୍ଷ ଟଙ୍କା ଏପର୍ଯ୍ୟନ୍ତ ମିଳିପାରି ନ ଥିବା ଜଣାପଡ଼ିଛି। ବାର୍କ କେନ୍ଦ୍ର ଅଧାରେ ପଡ଼ିରହିବା ନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଯୋଗ‌ାଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ଦେଇ ନଥିଲେ। କୁଳସଚିବ ଦୟାନିଧି ନାୟକ କହିଛନ୍ତି ଯେ ସିପିଡବ୍ଲ୍ୟୁଡିକୁ ବିଲଡିଂ ଦିଆଯାଇଥିଲା। ସେମାନେ ଶେଷ କରିବାରେ ବିଳମ୍ବ କଲେ। ନିର୍ଦେଶ ଦିଆଯିବା ପରେ ଏବେ ତତ୍ପରତା ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟ ଅଧିକାରୀମାନେ ମଧ୍ୟ ନିୟମିତ ଭାବେ ତାହାକୁ ଯାଞ୍ଚ କରୁଛନ୍ତି। ୧୦ ତାରିଖ ସୁଦ୍ଧା ସେମାନେ ବିଲଡିଂ ହସ୍ତାନ୍ତର କରିବେ। ଏହାପରେ ଆମେ ବାର୍କକୁ ଜଣାଇବୁ। ୧୫ ଦିନ ମଧ୍ୟରେ ସେମାନଙ୍କ ଇଞ୍ଜିନିୟର ଓ ଅନ୍ୟ ଅଧିକାରୀମାନେ ଆସି ବିଭିନ୍ନ ସାମଗ୍ରୀ ଲଗାଇବା ପରେ ସେପ୍ଟେମ୍ବର ଶେ‌ଷ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର