ଏସ୍‌ସିବିରେ ଏଥିକ୍ସ୍‌ କମିଟି ବୈଠକ, କରୋନା ଉପରେ କରାଯିବ ଗବେଷଣା

କଟକ: କରୋନା ରୋଗ ବ୍ୟାପିବା, ଏହାର କାରଣ ଓ ନିରାକରଣ ଉପରେ ଗବେଷଣା କରାଯିବ। ରୋଗୀମାନଙ୍କ ‘କେସ୍ ହିଷ୍ଟ୍ରି’ ପଠନ କରାଯାଇ କେଉଁ କାରଣରୁ ଏହା ବ୍ୟାପିଲା ତା’ର ଗବେଷଣା କରାଯିବ ଓ ନିରାକରଣ ପାଇଁ ଔଷଧ ପ୍ରସ୍ତୁତ କରାଯିବ। ଏଭଳି ନିଷ୍ପତ୍ତି ନେଇଛନ୍ତି ‘ଇନ୍‌ଷ୍ଟିଚ୍ୟୁସନାଲ୍‌ ଏଥିକ୍ସ୍‌ କମିଟି’(ଆଇସି)। ଆଜି ଅପରାହ୍ନରେ ଏସ୍‌ସିବି ପରିସରରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଅପରାହ୍ନ ସାଢ଼େ ୪ଟା ବେଳେ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ସୁବାସ ଚନ୍ଦ୍ର ପରିଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜଷ୍ଟିସ୍‌ ପରିଜାଙ୍କ ସମେତ ଏସ୍‌ସିବି ମେଡିକାଲ କ‌ଲେଜ ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ପ୍ରଫେସର ଡାକ୍ତର ସବିତା ମହାପାତ୍ରଙ୍କ ସମେତ ୧୧ଜଣିଆ ‘ଇନ୍‌ଷ୍ଟିଚ୍ୟୁସନାଲ୍‌ ଏଥିକ୍ସ୍‌ କମିଟି’ର ସଦସ୍ୟମାନେ ଏସ୍‌ସିବିରେ ପହଞ୍ଚି କରୋନା ସ୍ଥିତିର ତଦାରଖ କରିବା ପରେ ବୈଠକରେ ସାମିଲ ହୋଇଥିଲେ। ଆୟୋଜିତ ବୈଠକରେ କରୋନାକୁ ନେଇ ଗବେଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ରାଜ୍ୟ ବାହାରର କରୋନା ରୋଗୀଙ୍କ ‘କେସ୍‌ ହିଷ୍ଟ୍ରି’ ତଥା ମୃତ୍ୟୁବରଣ କରିଥିବା ରାଜ୍ୟ ଓ ଦେଶ ବାହାରର କରୋନା ରୋଗୀଙ୍କ ‘କେସ୍ ହିଷ୍ଟ୍ରି’ ମଗାଯାଇ ତା’ ଉପରେ ଗବେଷଣା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ଏଭଳି ସ୍ଥିତି ଉପୁଜିଲେ ତା’ର ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା କରାଯିବାକୁ ଏଭଳି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର