ଭୁବନେଶ୍ବର: ଦାରିଦ୍ର୍ୟ ହେଉ କି ଅବହେଳା, କାରଣ ଯାହା ହେଲେ ବି ଓଡ଼ିଶାରେ ଖାଲି ପାଦରେ ଚାଲୁଥିବା ଲୋକଙ୍କ ସଂଖ୍ୟା ଅନେକ। ଏଥିଯୋଗୁଁ ହେଉଥିବା ବିପଜ୍ଜନକ ମାଇସିଟୋମା(ଅଥର୍ବ ବେଦରେ ଉଲ୍ଲେଖ ଅନୁସାରେ ପଦବାଲ୍ମିକା) ଫଙ୍ଗସ୍ (କବକ) ଅନେକଙ୍କୁ ପଙ୍ଗୁ କରି ଦେଉଛି। ଏମ୍ସ ଭୁବନେଶ୍ବର ପକ୍ଷରୁ ଗବେଷଣା କରାଯାଇଥିବା ଗବେଷଣାରୁ ଏଭଳି ତଥ୍ୟ ମିଳିଛି।
ଫଙ୍ଗାଲ୍ ସଂକ୍ରମଣ କେତେ ଗୁରୁତର ହୋଇପାରେ, ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ବ୍ୟାପିବା ପରେ ତାହା ସମସ୍ତେ ଅବଗତ ଅଛନ୍ତି। ସାଧାରଣ ଜୀବନରେ ପ୍ରତିଦିନ ଲୋକେ ବିଭିନ୍ନ ପ୍ରକାର ଏହିଭଳି ସଂକ୍ରମଣର ଶିକାର ହେଉଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦିଅନ୍ତି ନାହିଁ। ଏମ୍ସ ଭୁବନେଶ୍ବର ପକ୍ଷରୁ ୫ବର୍ଷ ହେଲା ବିଭିନ୍ନ ପ୍ରକାର ଫଙ୍ଗାଲ୍ ସଂକ୍ରମଣକୁ ନେଇ ଗବେଷଣା କରାଯାଉଛି। ଏହାକୁ ବର୍ତ୍ତମାନ ଆଇସିଏମଆର୍ ପକ୍ଷରୁ ପୂର୍ବ ଭାରତର ରେଫରେନ୍ସ ସେଣ୍ଟର କରାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଝାରଖଣ୍ଡରେ ଯେଉଁଠି ଏହିଭଳି ସଂକ୍ରମଣ ଦେଖାଯିବ, ଏଠାରେ ଏହାକୁ ନେଇ ଗବେଷଣା କରାଯିବ। ଫଙ୍ଗାଲ୍ ସଂକ୍ରମଣ କିଭଳି ଯଥାଶୀଘ୍ର ଚିହ୍ନଟ ହୋଇପାରିବ, ଏଥିପାଇଁ ପ୍ରୟାସ କରାଯାଉଛି। ଏହାକୁ ନେଇ ଗବେଷଣା କରୁଥିବା ଡ. ବିନୟ କହିଛନ୍ତି, ଫଙ୍ଗସ୍ ସାଧାରଣତଃ ଜମି ଓ ଗଛରେ ଥାଏ। କୃଷକ ହୁଅନ୍ତୁ କି ଶ୍ରମିକ ଖାଲି ପାଦରେ କାର୍ଯ୍ୟ କରୁଥିବା ବେଳେ ଗୋଡ଼ରେ କଣ୍ଟା ଫୋଡ଼ି ପାଦ କଣା ହୋଇଯାଏ। ଆଉ ଫଙ୍ଗସ୍ କିମ୍ବା ବ୍ୟାକ୍ଟେରିଆ ଯୋଗୁଁ ରୋଗୀଙ୍କ ଗୋଡ଼ ସଂକ୍ରମିତ ହୋଇଯାଏ। ସେଥିରୁ ସୋରିଷ ଦାନା ଭଳି କିଛି ବାହାରେ। ବ୍ୟାକ୍ଟେରିଆ ଯୋଗୁଁ ଗୋଡ଼ ସଂକ୍ରମିତ ହେଲେ, ଏହା ଶୀଘ୍ର ସୁସ୍ଥ ହୋଇଯାଏ। ମାତ୍ର କୌଣସି ବ୍ୟକ୍ତିଙ୍କ ଗୋଡ଼ କିମ୍ବା ହାତରେ ଫଙ୍ଗସ୍ ଜନିତ ସଂକ୍ରମଣ ହେଲେ ଏହା ପ୍ରଥମେ ଏହା ଛୋଟ ଆକାରରେ ଥାଏ। ସମୟକ୍ରମେ ଏହା ବୃଦ୍ଧି ପାଇ ହାଡ଼କୁ ସଂକ୍ରମିତ କରିଦିଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ନଥାଏ। ଲୋକେ ଏହାର ଚିକିତ୍ସାକୁ ଗୁରୁତ୍ବ ଦିଅନ୍ତି ନାହିଁ କିମ୍ବା କ୍ବାକ୍ ପାଖକୁ ଯାଆନ୍ତି। ସ୍ଥିତି ଏଭଳି ହୁଏ ଯେ ବ୍ୟକ୍ତିଙ୍କ ହାତ କିମ୍ବା ଗୋଡ଼ କାଟିବାକୁ ପଡ଼ିଥାଏ। ସେ ପଙ୍ଗୁ ହୋଇଯାଆନ୍ତି।
ଏମ୍ସ ଭୁବନେଶ୍ବରରେ ଏହାର ପରୀକ୍ଷଣ ଏବଂ ଚିକିତ୍ସା ବ୍ୟବସ୍ଥା ରହିଛି। ପ୍ରାଥମିକ ସମୟରୁ ଏଠାରେ ଥିବା ଚର୍ମ କିମ୍ବା ସର୍ଜରି ବିଭାଗରେ ଦେଖାଇଲେ ଉପଯୁକ୍ତ ଚିକିତ୍ସା କରାଯାଇ ପାରିବ ବୋଲି କହିଛନ୍ତି ଡ. ବିନୟ। ହାତ, ଗୋଡ଼ରେ କଣ୍ଟା ଫୁଟିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ମାଇସିଟୋମା ଦେଖାଯାଏ ନାହିଁ। କେବଳ ନିର୍ଦିଷ୍ଟ ସମୂହର ବ୍ୟକ୍ତିଙ୍କଠାରେ ଏହା ଦେଖାଯାଏ। କାହିଁକି ନିର୍ଦିଷ୍ଟ ସମୂହକୁ ଏହା ସଂକ୍ରମଣ କରି ଅବସ୍ଥା ଗୁରୁତର କରିଦିଏ; ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ମାଇସିଟୋମା ୬ ମାସରୁ ୧୫ବର୍ଷ ମଧ୍ୟରେ ସଂକ୍ରମଣ ଅନ୍ତିମ ପର୍ଯ୍ୟାୟକୁ ନେଇ ଆସେ। ପ୍ରଥମ ୬ ମାସ ଛୋଟ ଗୋଲ ଭଳି ଥାଏ। ଏହି ସମୟରେ ଚିକିତ୍ସା ନହେଲେ କିମ୍ବା ଭୁଲ ଚିକିତ୍ସା ହେଲେ ଛୋଟ କଣା ପର୍ଯ୍ୟାୟକ୍ରମେ ବଡ଼ ହୋଇଯାଏ। ଫଙ୍ଗାଲ୍ ସଂକ୍ରମଣକୁ ନେଇ ମାଇକ୍ରୋବାଇଲୋଜି ବିଭାଗର ଡ. ବିନୟ ହାଲୁରଙ୍କ ନେତୃତ୍ବରେ କରାଯାଉଥିବା ଏହି ଗବେଷକଙ୍କ ଦଳରେ ଇଏନ୍ଟି ପ୍ରଫେସର ସି ପ୍ରୀତମ, ପାଥୋଲୋଜି ବିଭାଗର ଡ. ମୁକୁନ୍ଦ ସାବଲେ, କ୍ରିଟିକାଲ କେୟାର ଆଣ୍ଡ ନିଶ୍ଚେତକ ବିଭାଗର ଡ. ସ୍ବାଗତା ତ୍ରିପାଠୀ, ଚର୍ମ ବିଭାଗର ଡ. ଚନ୍ଦ୍ରଶେଖର ସିରକା, ସର୍ଜରି ବିଭାଗର ଡ. ତୁଷାର ମିଶ୍ର, ମେଡିସିନ ବିଭାଗର ଡ. ଅନୁପମ, ଟେକନିସିଆନ ଶୁଭଶ୍ମିତା, ମଳୟ ପୃଥ୍ବୀରାଜ ସାହୁ, ରବୀନ୍ଦ୍ର ସେନାପତି ପ୍ରମୁଖ ରହିଛନ୍ତି। ଏଥିସହିତ ଏହି ଦଳରେ ଆଉ ୨ ଜଣ ଖୁବ ଶୀଘ୍ର ଯୋଗଦାନ କରିବେ ବୋଲି ଜଣାପଡ଼ିଛି।