ଭୁବନେଶ୍ୱର: ପ୍ରାଚୀନ ସାଇକାଡ୍‌ ତଥା ଅରୁଗୁଣ ଭାବେ ଏକ ପ୍ରଜାତିର ଉଦ୍ଭିଦ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଉପଲବ୍ଧ। ଏହି ଉଦ୍ଭିଦରେ ଏକ ସମ୍ଭାବ୍ୟ ନ୍ୟୁରୋଟକ୍ସିନ୍ ଚିହ୍ନଟ ହୋଇଛି। ବିଶେଷକରି ଖୋର୍ଦ୍ଧାଢେଙ୍କାନାଳ ଜିଲ୍ଲାର କିଛି ଗ୍ରାମରେ ଏହି ଗଛର ଫଳକୁ ଖାଦ୍ୟ ଭାବରେ ଗ୍ରହଣ କରାଯାଉଛି। ଅରୁଗୁଣ ବୃକ୍ଷରେ ବିଷାକ୍ତ ପ୍ରଭାବ ଥିବା ଜଣାପଡ଼ିବା ପରେ ଏହାର ବ୍ୟବହାରକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହାର ବ୍ୟବହାର ଦ୍ବାରା ବିଭିନ୍ନ ଜଟିଳ ସ୍ନାୟବିକ ରୋଗ ସିଧାସଳଖ ଜଡ଼ିତ କି ନାହିଁ, ସେ ନେଇ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଗବେଷଣା ଆରମ୍ଭ ହୋଇଛି। ଜାପାନରେ ଏହି ଉଦ୍ଭିଦର ଅଂଶ ସେବନ ଫଳରେ ନାନା ସ୍ନାୟବିକ ରୋଗ ସୃଷ୍ଟି ହେଉଥିବା ପ୍ରମାଣିତ ହୋଇଥିବାରୁ ଏହି ଗବେଷଣା ବହୁ ଗୁରୁତ୍ବ ବହନ କରୁଛି। ଏମ୍‌ସ ଭୁବନେଶ୍ୱର ନ୍ୟୁରୋଲୋଜି ବିଭାଗ ଓ ଶିଲଂସ୍ଥିତ ଉତ୍ତର-ପୂର୍ବ ହିଲ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ମିଳିତ ଭାବରେ ଜାତୀୟ ଓ ଅନ୍ତର୍ଜାତୀୟ ବୈଜ୍ଞାନିକ, ବିଶେଷଜ୍ଞଙ୍କୁ ନେଇ ଆୟୋଜିତ କର୍ମଶାଳାରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି।

Advertisment

କର୍ମଶାଳାରେ ବିଶ୍ୱବିଖ୍ୟାତ ନ୍ୟୁରୋସାଇଣ୍ଟିଷ୍ଟ ପ୍ରଫେସର୍‌ ପିଟର ଏସ୍ ସ୍ପେନ୍ସର ଓ ପୋର୍ଟଲ୍ୟାଣ୍ଡସ୍ଥିତ ଓରେଗନ୍ ସ୍ୱାସ୍ଥ୍ୟ ଓ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାଲେରି ଏସ୍ ପାଲ୍‌ମର୍‌ ଯୋଗଦେଇ ଗୁଆମ୍ ଏବଂ କି ପେନିନସୁଲାରୁ ପାଇଥିବା ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଆଲୋଚକ ଭାବେ ଫ୍ରାନ୍ସର ଷ୍ଟ୍ରାସବର୍ଗ ବିଶ୍ୱବିଦ୍ୟାଳୟର ନ୍ୟୁରୋଲୋଜିର ପୂର୍ବତନ ପ୍ରଫେସର ଜ୍ୟାକ୍ ରେଇସ୍‌, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ରାଜର୍ଷି ମଜୁମଦାର ଓ ଜେସିକା ପାସ୍କ୍ୱା, ଏମ୍‌ସ ନୂଆଦିଲ୍ଲୀର ନ୍ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମଞ୍ଜରୀ ତ୍ରିପାଠୀ ସାମିଲ ଥିଲେ। ୩୦୦ ନିୟୁତ ବର୍ଷରୁ ଅଧିକ ପ୍ରାଚୀନ ଏହି ଉଦ୍ଭିଦ ପ୍ରଜାତିରେ ସାଇକାସିନ୍ ଓ ମିଥାଇଲାଜୋକ୍ସିମେଥାନଲ୍ ସମେତ ଶକ୍ତିଶାଳୀ ବିଷାକ୍ତ ପଦାର୍ଥ ଥାଏ। ଏହି ବିଷାକ୍ତ ପଦାର୍ଥ ଗ୍ରହଣ କରି ଆମେରିକାର ଗୁଆମ୍ ଉପଦ୍ୱୀପ ଓ ଜାପାନର କିଇ ଉପଦ୍ୱୀପର ନାଗରିକମାନେ ପାର୍କିନ୍‌ସନ୍‌, ଡିମେନ୍ସିଆ ଭଳି ଜଟିଳ ସ୍ନାୟୁଗତ ରୋଗରେ ପୀଡ଼ିତ ହେଉଛନ୍ତି। କର୍ମଶାଳାର ମୁଖ୍ୟଅତିଥି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଏହି ଗବେଷଣା ପାଇଁ ଅଭିନନ୍ଦନ ଜଣାଇଥିଲେ।

ବିଶେଷଜ୍ଞମାନେ ଖୋର୍ଦ୍ଧା ଜିଲ୍ଲାର ଧୁଆନାଳି ଓ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରର ଗଙ୍ଗାମୁଣ୍ଡା, ସୁଆଗିନାଲି ଗ୍ରାମ ପରିଦର୍ଶନ କରି ଗ୍ରାମବାସୀ, ରୋଗୀ ଓ ସ୍ଥାନୀୟ ଚିକିତ୍ସକଙ୍କ ସହିତ ଆଲୋଚନା କରିଥିଲେ। ଡିନ୍ ସ୍କୁଲ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଏନ୍‌ଇଏଚ୍‌ୟୁ ପ୍ରଫେସର ଏସ୍‌କେ ବାରିକ ଓ ଭୁବନେଶ୍ବର ଏମ୍‌ସର ନ୍ୟୁରୋଲୋଜି ମୁଖ୍ୟ ପ୍ରଫେସର ସଞ୍ଜୀବ କୁମାର ଭୋଇ ପ୍ରମୁଖ ବିଶେଷଜ୍ଞ ଦଳର ନେତୃତ୍ବ ନେଇଥିଲେ। ମେଡିକାଲ୍ ଅଧୀକ୍ଷକ ଡାକ୍ତର ଦିଲୀପ କୁମାର ପରିଡ଼ା ଓ ଡାକ୍ତର ଶକ୍ତିକାନ୍ତ ଦାଶ ପ୍ରମୁଖ ସାମିଲ ଥିଲେ।