ଭୁବନେଶ୍ବର: ନ’ଅଙ୍କ ଦୁର୍ଭିକ୍ଷ ଓଡ଼ିଶା ଇତିହାସର ସବୁଠୁ ଦୟନୀୟ ଅଧ୍ୟାୟ। ଇତିହାସର ସେ ଫର୍ଦ ଲେଉଟାଇଲେ ଦେହ ଶିହରି ଉଠେ। ମାତ୍ର ସେତେବେଳେ ଏମିତି କିଛି ଘଟଣା ଘଟିଥିଲା, ଯାହା ତତ୍କାଳୀନ ସମୟରେ ପୁରୀ ଜିଲ୍ଲାରେ ଅନ୍ତତଃ ୧୦ ହଜାର ଜୀବନ ବଞ୍ଚେଇ ଦେଇପାରିଥା’ନ୍ତା। ୧୮୬୬ ମସିହାରେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷର ଅବ୍ୟବହିତ ପୂର୍ବରୁ ପୁରୀରେ ଏକ ଜାହାଜ ଦୁର୍ଘଟଣା ଘଟିଥିଲା। ସେଇ ଜାହାଜ ଭାଙ୍ଗିଯିବା ହିଁ ୧୦ ହଜାର ଲୋକଙ୍କ ଜୀବନ ବଞ୍ଚେଇବାରେ ସହଯୋଗ କରିଥାଆନ୍ତା। ମାତ୍ର ଆସନ୍ନ ବିପତ୍ତିକୁ ଆକଳନ କରିବାରେ ସରକାରୀ ପଦାଧିକାରୀଙ୍କ ଅକ୍ଷମଣୀୟ ଅକ୍ଷମତା ନିରୀହ ଲୋକଙ୍କୁ ଉଦ୍ଧାର କରିପାରି ନଥିଲା। ଆଜିକା ଦିନରେ ସେଇ ୧୦ ହଜାର ଲୋକଙ୍କ ଜୀବନ କଥା ଆଲୋଚନା କରିବା ଅପ୍ରାସଙ୍ଗିକ ମନେ ହୋଇପାରେ। ମାତ୍ର ଏକଥା ବି ଭୁଲିଯିବା ଉଚିତ୍ ନୁହେଁ ଯେ ଅତୀତରୁ ମଣିଷ ଶିଖେ। ସାବଧାନ ହୋଇ ପାଦ ବଢ଼ାଏ। ସେଇ ଦୃଷ୍ଟିରୁ ଗବେଷକ ଅନିଲ୍ ଧୀରଙ୍କ ଏହି ଗବେଷଣାତ୍ମକ ତଥ୍ୟ ଏକ ନୂତନ ଦିଗନ୍ତ ଦେଖାଇଛି। ଗବେଷକ ଶ୍ରୀ ଧୀରଙ୍କ ଗବେଷଣା ମୁତାବକ, ୧୮୬୫ ମସିହା ଡିସେମ୍ବର ୧୧ ତାରିଖରେ ୬ ହଜାର ବସ୍ତା ଚାଉଳ ବୋଝେଇ ଏକ ଫରାସୀ ମାଲବାହୀ ଜାହାଜ ‘ଫିଲାମିନ୍’ କୋଲକାତାରୁ ମାନ୍ଦ୍ରାଜ ଯାଉଥିଲା। ପୁରୀ ସମୁଦ୍ର କୂଳରେ ପୋତାଶ୍ରୟ ନଥିବାରୁ ଯଦିଓ ଜାହାଜ ଯାଉ ନଥିଲା କିନ୍ତୁ ଅନୁକୂଳ ପାଗରେ କେତେକ ସାମୁଦ୍ରିକ ନୌବେପାରୀ ଏହି ସ୍ଥାନକୁ ପୋତାଶ୍ରୟ ଭାବେ ବ୍ୟବହାର କରୁଥିଲେ। ଦୁର୍ଭାଗ୍ୟକୁ ଏକ ଉଚ୍ଚ ସ୍ରୋତ ଯୋଗୁଁ ଜାହାଜ ଅବରୋଧକ ଆଙ୍କୋର୍ ପକାଇ ଦିଆଗଲା। ଫଳରେ ଜାହାଜ ଫିଲାମିନ୍ ବାଲୁକା ସ୍ତୂପ ମଧ୍ୟରେ ଲାଖି ରହିଲା। ତେଣୁ ଜାହାଜକୁ ପୁଣି ଭାସିବା ପାଇଁ ପାଣି ଭିତରେ ଚାଉଳ ଓହ୍ଲାଇଦେବା ବ୍ୟତୀତ ଅନ୍ୟ ପନ୍ଥା ନଥିଲା। ଜାହାଜଟି ରବର୍ଟ କାରିଅଲ୍ ଏଣ୍ଡ୍ କମ୍ପାନିର ଥିଲା। କିନ୍ତୁ ଚାଉଳ ବସ୍ତା କୋଲକାତାର ଜଣେ ବ୍ୟବସାୟୀଙ୍କର ଥିଲା। ଜାହାଜର କ୍ୟାପ୍ଟେନ୍ ଚାଉଳକୁ ଓହ୍ଲାଇବାକୁ କହିବାରୁ କୋଲକାତାର ବ୍ୟବସାୟୀ ଜଣକ ଏତେ ଉଠାପକା ଜନିତ କ୍ଷତି ସହିବା ଅପେକ୍ଷା, ଚାଉଳ ପୁରୀରେ ବିକି ଦେବାକୁ କହିଲେ। ଏହା ପୂର୍ବରୁ, ଅର୍ଥାତ ସେପ୍ଟେମ୍ବର ମାସର ମଧ୍ୟ ଭାଗରେ ସମଗ୍ର ପୁରୀ ଜିଲ୍ଲାରେ ଖାଦ୍ୟାଭାବ ଦେଖା ଦେଇଥିଲା। ଖାଦ୍ୟଶସ୍ୟ ମହଜୁଦ ନଥିବାରୁ ଦୋକାନ ବଜାର ବନ୍ଦ ହୋଇଗଲା। ତେଣୁ ଅକ୍ଟୋବର ମାସ ବେଳକୁ ଜଳସେଚନ ବିଭାଗରେ କାମ କରିବାକୁ ଅନେକ ପୁରୀରୁ କଟକ ଚାଲି ଆସିଥିଲେ। ଏହି ସମୟରେ ସରକାର ୬ ହଜାର ବସ୍ତା ଚାଉଳ କିଣି ଲୋକଙ୍କୁ ଯୋଗାଇଦେବା ପାଇଁ ସୁଯୋଗ ଥିଲା। ମାତ୍ର ଚାଉଳ କିଣିବା ପରିବର୍ତେ ଏନେଇ ରେଭେନ୍ସା ସାହେବଙ୍କ ଅନୁମତି ଲୋଡ଼ିଥିଲେ ଜିଲ୍ଲାପାଳ ବାର୍ଲୋ। ବାସ୍ତବ କଥା ହେଉଛି ସେତେବେଳେ ଲୋକଙ୍କ ପାଖରେ ପଇସା ଥିଲେ ହେଁ ବଜାରରେ ଚାଉଳ ନଥିଲା। ଏବେ ପୁରୀ ହୋଟେଲ୍ ଥିବା ସ୍ଥାନରେ ଚାଉଳ ବସ୍ତାଗୁଡ଼ିକୁ ଆଣି ପୁଲିସ ହେପାଜତରେ ରଖାଗଲା। ଜିଲ୍ଲାପାଳ ବାର୍ଲୋ ସାହେବ୍ ଚାଉଳ କିଣିବା ପାଇଁ ମୂଲଚାଲ କଲେ ସତ, କିନ୍ତୁ ପ୍ରକୃତ ଦର ନ ପାଇବାରୁ ଚାଉଳର ମାଲିକ ଏତେ କ୍ଷତି ସହି ଚାଉଳ ଦେବାକୁ ରାଜି ହେଲେ ନାହିଁ। ଏଣେ ମୂଲଚାଲ ଲାଗିଥିବା ବେଳେ ଲୋକେ ଭୟଙ୍କର ଦୁର୍ଭିକ୍ଷ ଯୋଗୁଁ ପୋକ ମାଛି ଭଳି ମରୁଥାଆନ୍ତି। ୧୮୬୬ ଫେବ୍ରୁଆରି ୧୩ରେ ବଙ୍ଗଳାର ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର ସେସିଲ୍ ବିଡୋନ୍ ପୁରୀ ଗସ୍ତ କରିଥିଲେ ମଧ୍ୟ ପରିସ୍ଥିତିର ଗମ୍ଭୀରତାକୁ ବୁଝିଲେ ନାହିଁ କି ଜିଲ୍ଲାପାଳ ବାର୍ଲୋ ସାହେବଙ୍କୁ ଚାଉଳ କିଣିବାକୁ ଅନୁମତି ଦେଲେ ନାହିଁ। ୧୮୬୭ ମସିହା ମାର୍ଚ ୬ ତାରିଖରେ ଦୁର୍ଭିକ୍ଷ କମିସନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଡୋନ୍ ଏକଥା ସ୍ବୀକାର କରିଥିଲେ। ବିଡୋନ୍ କଟକ, ପୁରୀ, ବାଲେଶ୍ବର ଜିଲ୍ଲା ଗସ୍ତ କରି ଶହଶହ ଓଡ଼ିଆ ଖାଦ୍ୟ ପାଇଁ ଡହଳବିକଳ ହେଉଥିବା ଦେଖିଥିଲେ ମଧ୍ୟ ପରିସ୍ଥିତି ଆପେ ସୁଧୁରିଯିବ ବୋଲି କହି ଚାଲି ଯାଇଥିଲେ। ଏଣେ ଚାଉଳ ବସ୍ତା ୨ ମାସରୁ ଅଧିକ ସମୟ ପଡ଼ି ରହିବା ପରେ ଫେବ୍ରୁଆରି ୨୬ରେ ଚାଉଳ ବସ୍ତାଗୁଡ଼ିକୁ ଏକ ଷ୍ଟିମର ଯୋଗେ ବ୍ୟବସାୟୀ ଜଣକ ମାନ୍ଦ୍ରାଜ ନେଇଗଲେ। ୧୮୬୬ ମାର୍ଚ ୧୬ ତାରିଖରେ ବିଶାଳ ଢେଉ ଜାହାଜକୁ ପାଣିରେ ଭସେଇ ଦେଇଥିଲା। କିଛିଦିନ ପାଇଁ କୂଳରେ ଭାସି ଫିଲାମିନ୍ ବୁଡ଼ିଗଲା। ମାତ୍ର ଇତିହାସ ପୃଷ୍ଠାରେ ଏହି ଘଟଣାକୁ ଉନ୍ମୋଚନ କରାଯାଇନାହିଁ। ତେବେ ତତ୍କାଳୀନ ସମୟରେ ସମୟୋଚିତ ପଦକ୍ଷେପ ନନେବାରୁ ଅନେକଙ୍କ ଜୀବନ ବଞ୍ଚିଯିବାର ସମ୍ଭାବନା ଥାଇ ମଧ୍ୟ ବଞ୍ଚିପାରିଲା ନାହିଁ ବୋଲି ଶ୍ରୀ ଧୀର୍ କହିଛନ୍ତି।
ଗବେଷକଙ୍କ ନୂଆ ତଥ୍ୟ ଉନ୍ମୋଚନ, ନ’ଅଙ୍କ ଦୁର୍ଭିକ୍ଷ ବେଳେ ବଞ୍ଚି ପାରିଥାଆନ୍ତା ୧୦ହଜାର ଜୀବନ
/sambad/media/post_attachments/wp-content/uploads/2019/03/Untitled-16-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)