ସଂରକ୍ଷଣକୁ ନେଇ ପୌର, ପଞ୍ଚାୟତ ନିର୍ବାଚନୀ ଉଷ୍ମତା: ଓଲଟିଗଲା ରାଜନୀତି ଅଙ୍କ

ବିଧାୟକଙ୍କ ବାସଭବନ ଘେରିଲେ କଲ୍ୟାଣପୁରବାସୀ

୮ ନମ୍ବର ୱାର୍ଡରେ ଏସ୍‌ଟି, ଏସ୍‌ସି ‌ସଂରକ୍ଷଣ ଖେଳ
ବିଏମ୍‌ସି ଚିଠା ସଂରକ୍ଷଣ ପରେ କିଛି ନେତା ଆଶ୍ବସ୍ତ

ଭୁବନେଶ୍ବର : ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଉଷ୍ମ ହେଉଛି ଭୁବନେଶ୍ବର ରାଜନୀତି। ଗୋଟିଏ ପଟେ ଭୁବନେଶ୍ବର ମହାନଗର ନିଗମ ଲାଗି ଶୁକ୍ରବାର ଦିନ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ ଅନ୍ୟପଟେ ଭୁବନେଶ୍ବର ବ୍ଲକ ଲାଗି ଚୂଡ଼ାନ୍ତ ସଂରକ୍ଷଣ ତାଲିକା ବାହାରିଛି। ତାଲିକାରେ କାହାର ପଲ୍ଲା ଭାରି ହେଲା, କାହାର କମିଲା ତାହାକୁ ‌ନେଇ ବିଜେଡିରେ ଅବଗଣନା ଚାଲିଛି। ପ୍ରଥମ ପର୍ଯ୍ୟାୟ ସଂରକ୍ଷଣ ତାଲିକାରେ ନିରାଶ ହୋଇଥିବା କିଛି ଆଶାୟୀଙ୍କୁ ଏଥରକ ଆଶ୍ବସ୍ତି ମିଳିଛି। ନିଜେ କିମ୍ବା ନିଜ ପରିବାର‌େର କାହାକୁ ପ୍ରାର୍ଥୀ କରିବାରେ ସୁଯୋଗ ପୁଣି ସୃଷ୍ଟି ହୋଇଛି। ତେବେ ଆଉ କିଛି ଆଶାୟୀଙ୍କ ଭାଗ୍ୟ ଏବେ ବି ଝୁଲି ରହିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସଂରକ୍ଷଣ ତାଲିକାକୁ ନେଇ ଏବେ ଗଳିକନ୍ଦିରେ ବିବାଦ ଆରମ୍ଭ ହୋଇଛି। ଗାଁ ଗାଁରେ ପ୍ରତିବାଦର ସ୍ବର ଶୁଣିବାକୁ ମିଳିଛିପପ। ଚିଠା ସଂରକ୍ଷଣ ତାଲିକାରେ କଲ୍ୟାଣପୁର ପଞ୍ଚାୟତର ସରପଞ୍ଚ ପଦବି ଅଣସଂରକ୍ଷିତ ଥିବା ବେଳେ ତାହାକୁ ଏବେ ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷିତ ରଖାଯାଇଛି। ହଠାତ ପରିବର୍ତନକୁ ପଞ୍ଚାୟତର କିଛି ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହାକୁ ନେଇ ସେମାନେ ଖୋର୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଯାଇଥିଲେ। ସେଠାରୁ ‌ନିରାଶ ହୋଇ ଫେରିବା ପରେ ରାତିରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ବିଧାୟକ ଶ୍ରୀ ରାଉତ ଘଟଣାରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରେ ସେମାନେ ଦର୍ଶାଇଛନ୍ତି ଯେ ପୂର୍ବରୁ ଯେଉଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା ତାହା ଠିକ ଥିଲା। ମାତ୍ର ଏବେ ପ୍ରକାଶିତ ତାଲିକାରେ ପରିବର୍ତନ କରାଯାଇ ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷଣ କରାଯାଇଛି। ତେଣୁ ଏହାକୁ ତୁରନ୍ତ ବାତିଲ୍‌ କରାଯିବା ସହ ସଂଶୋଧିତ ସଂରକ୍ଷଣ ତାଲିକା ପ୍ରକାଶ କରାଯାଉ। ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଦର୍ଶାଇଛନ୍ତି। ବରିମୁଣ୍ଡ ପଞ୍ଚାୟତର ସରପଞ୍ଚ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏବେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷଣ ହୋଇଛି। ଯାହାକୁ ନେଇ ପଞ୍ଚାୟତର ବିରୋଧର ସ୍ବର ଉଠିଛି।

ଭୁବନେଶ୍ବର ମହାନଗର ନିଗମ ସଂରକ୍ଷଣ ତାଲିକାରେ ବି କେଁ ପଦାକୁ ଆସିଛି। ସହରର କିଛି ଦାମି ବିଜେଡି ନେତାଙ୍କ ଚାପରେ କେତେକ ୱାର୍ଡର ସଂରକ୍ଷଣରେ ପରିବର୍ତନ କରାଯାଇଥିବା ଦେଖିବାକୁ ମିଳିଛି। ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି ୮ ନମ୍ବର ୱାର୍ଡରେ। ପ୍ରଥମ ପର୍ଯ୍ୟାୟ ଚିଠା ସଂରକ୍ଷଣ ତାଲିକାରେ ଏହି ୱାର୍ଡ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗଙ୍କ ଲାଗି ସଂରକ୍ଷିତ ରହିଥିଲା। ମାତ୍ର ଚୂଡ଼ାନ୍ତ ସଂରକ୍ଷଣ ତାଲିକାରେ ତାହାକୁ ଅନୁସୂଚିତ ଜାତି(ଏସ୍‌ସି) ମହିଳାଙ୍କ ପାଇଁ ରଖାଯାଇଥିଲା। ମାତ୍ର ଏବେ ଚିତ୍ର ପୁଣି ବଦଳିଯାଇଛି। ଆଜି ପ୍ରକାଶିତ ସଂରକ୍ଷଣ ତାଲିକାରେ ଏହି ୱାର୍ଡ ଏସ୍‌ଟି ବର୍ଗଙ୍କ ଲାଗି ସଂରକ୍ଷଣ ରହିଛି। ବାରମ୍ବାର ଏଭଳି ପରିବର୍ତନକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କେଉଁଥିପାଇଁ ଓ କାହା ଚାପରେ ବାରମ୍ବାର ଏମିତି ବଦଳୁଛି ତାହାକୁ ନେଇ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି।

ସେପଟେ ବିଧାୟକମାନଙ୍କ ଅନୁଗତ ଥିବା କିଛି ବିଜେଡି ନେତାଙ୍କୁ ସନ୍ତୁଷ୍ଟ କରାଯାଇଥିବା ଦେଖିବାକୁ ମିଳିଛି। ପ୍ରଥମ ପର୍ଯ୍ୟାୟ ସଂରକ୍ଷଣ ତାଲିକାରେ ଅସନ୍ତୁଷ୍ଟ ଥିବା ବିଜେଡିର ପୂର୍ବତନ କର୍ପୋରେଟର ଏଥର ପରୋକ୍ଷରେ ସୁଯୋଗ ମିଳିଛି। ଏକାଧିକ ଥର କର୍ପୋରେଟର ହୋଇଥିବା ୪ ଜଣ ନେତାଙ୍କୁ ସୁଯୋଗ ମିଳିଛି। ନିଜେ ଛିଡ଼ା ହୋଇ ନ ପାରିଲେ ମଧ୍ୟ ପରିବାର କିମ୍ବା ସମ୍ପର୍କିୟଙ୍କୁ ଛିଡ଼ା କରିପାରିବେ। ଏଥରର ସଂରକ୍ଷଣ ତାଲିକାରେ ଆଉ କିଛି ନେତା ଅସନ୍ତୁଷ୍ଟ ହୋଇଛନ୍ତି। ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତନ ହୋଇଥିବାରୁ ସେମାନେ ନିଜେ ଛିଡ଼ା ହୋଇପାରିବେ ନାହିଁ କି ପରିବାର ସଦସ୍ୟଙ୍କୁ ବି ପ୍ରାର୍ଥୀ କରିପାରିବେ ନାହିଁ। ଏହା ଦ୍ବାରା ବହୁ ବର୍ଷ ଧରି ରାଜନୈତିକ କ୍ଷେତ୍ରରେ ପତିଆରା ଜାହିର କରୁଥିବା ନେତାଙ୍କ ଭବିଷ୍ୟତ ଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି। ଆଜି ଚିଠା ସଂରକ୍ଷଣ ତାଲିକା‌ ଆସିଲା ପରେ ସହରରେ ଏମିତି ଆଲୋଚନା ହେବା ସହ ରାଜଧାନୀରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏପରିକି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତି ବେଳେ ଚିଠା ସଂରକ୍ଷଣ ତାଲିକାରେ ବଦଳାଇବାକୁ ବିଧାୟକଙ୍କ ନିକଟରେ ଲବି ବି ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର