ଭୁବନେଶ୍ବର: ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଆବାସ କରି ଘର ଦେଲେ। କିନ୍ତୁ ଘର ପାଇବା ପରେ ତାକୁ ଭଡ଼ାରେ ଲଗାଇ ସେମାନେ ପୁଣି ବସ୍ତିକୁ ଫେରିଗଲେ। ଫଳରେ ବସ୍ତି ବଢ଼ିବଢ଼ି ଚାଲିଲା। ଏଭଳି ଏକ ସାଂଘାତିକ ସତ୍ୟକୁ ଉନ୍ମୋଚନ କରିଛି ଖୋଦ୍ ବିଏମ୍ସି। ସମସ୍ତ ପ୍ରକଳ୍ପରେ ଚଢ଼ଉ କରି ୨୫୦ରୁ ଅଧିକ ଭଡ଼ାଟିଆଙ୍କୁ ଚିହ୍ନଟ କରିଛି। ଖୁବ୍ଶୀଘ୍ର ମୂଳ ଆଲଟିଙ୍କୁ ବିଏମ୍ସି କାରଣ ଦର୍ଶାଅ ନୋଟିସ୍ ଜାରି କରିବ। କାରଣ ଯୁକ୍ତିଯୁକ୍ତ ନ ହେଲେ ଆବଣ୍ଟନ ବାତିଲ କରାଯିବ ବୋଲି ବିଏମ୍ସି ନିଷ୍ପତ୍ତି ନେଇଛି। ଯୋଜନା ମୁତାବକ, ଆଜି ସକାଳୁ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ୮ଟି ଟିମ୍ ଚଢ଼ଉ ପାଇଁ ବାହାରିଥିଲା।
୮ ପ୍ରକଳ୍ପରେ ବିଏମ୍ସିର ଚଢ଼ଉ
୨୫୦ରୁ ଊର୍ଦ୍ଧ୍ବ ଭଡ଼ାଟିଆ ଠାବ
ଭିଜିଲାନ୍ସ ଭଳି ଏକ ସମୟରେ ୮ଟି ପ୍ରକଳ୍ପରେ ଚଢ଼ଉ ହୋଇଥିଲା। ଆଜି ମଣ୍ଡପ ବସ୍ତିରେ ରାକେଶ ପାତ୍ର ସହକାରୀ କମିସନରଙ୍କ ନେତୃତ୍ବରେ ୩ଟିମ୍ ଚଢ଼ଉ କରିଥିବା ବେଳେ ରଙ୍ଗମାଟିଆ ହାଉସିଂ ପ୍ରକଳ୍ପରେ ଡେପୁଟି କମିସନର ଅଶୋକ ଲେଙ୍କାଙ୍କ ନେତୃତ୍ବରେ ୧୦ଟି ଟିମ, ନୀଳମାଧବ ହାଉସିଂ ପ୍ରକଳ୍ପରେ ଜୋନାଲ୍ କମିସନର କୈଳାଶ ଦାସଙ୍କ ନେତୃତ୍ବରେ ୮ଟିମ, ପଥରବନ୍ଧ ପ୍ରକଳ୍ପରେ ଡେପୁଟି କମିସନର ପ୍ରିୟଙ୍କା ମଲ୍ଲିକଙ୍କ ନେତୃତ୍ବରେ ୩ ଟିମ, ବୁଦ୍ଧବିହାର ପ୍ରକଳ୍ପରେ ଯୁଗ୍ମ କମିସନର ଜୟଶ୍ରୀ ବେଉରାଙ୍କ ନେତୃତ୍ବରେ ୧୦ ଟିମ, ସୁବୁଦ୍ଧିପୁର ପ୍ରକଳ୍ପରେ ଡେପୁଟି କମିସନର କାଜଲ ପ୍ରଧାନଙ୍କ ନେତୃତ୍ବରେ ୩ ଟିମ, ମହିଷାଖାଲ ପ୍ରକଳ୍ପରେ ଡେପୁଟି କମିସନର(ଏବିସି)ରଞ୍ଜନ ବେହେରାଙ୍କ ନେତୃତ୍ବରେ ୧୨ ଟିମ, ଶାନ୍ତୀନଗର ପ୍ରକଳ୍ପରେ ଡେପୁଟି କମିସନର(ଲ୍ୟାଣ୍ଡ)ରାଜକିଶୋର ଜେନାଙ୍କ ନେତୃତ୍ବରେ ୧୧ ଟିମ ଚଢ଼ଉ କରିଥିଲେ। ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା।
ଅତିରିକ୍ତ କମିସନର ଶୁଭେନ୍ଦୁ ସାହୁ କହିଛନ୍ତି, ପ୍ରତ୍ୟେକ ବସ୍ତିବାସିନ୍ଦା ତଥା ଯୋଗ୍ୟ ହିତାଧିକାରୀଙ୍କୁ କିଭଳି ହାଉସିଂ ପ୍ରକଳ୍ପରେ ଘର ମିଳିବ ସେଥିପାଇଁ ବିଏମ୍ସି ଉଦ୍ୟମ ଅବ୍ୟାହତ ରଖିଛି। କିନ୍ତୁ ଏଭଳି ଅଭିଯୋଗ ସମସ୍ୟା ସୃଷ୍ଟି କରୁଛି। ଅନେକ ଯୋଗ୍ୟ ହିତାଧିକାରୀ ଏମାନଙ୍କ ପାଇଁ ବଞ୍ଚିତ ହେଉଛନ୍ତି।