କଳିଙ୍ଗନଗର(କେ-୯)ବାସୀ ପ୍ରତାରଣାର ଶିକାର: ଅପନ୍ତରା ଅଞ୍ଚଳରେ ଫିଙ୍ଗି ଦେଇଛି ବିଡିଏ

ଖଣ୍ଡଗିରି: ସହରରେ ରହିବାର ସ୍ବପ୍ନ ଦେଖି ଜମି ଓ ଘର କିଣିଥିଲେ। ବିଡିଏ ବି ସହରର ସମସ୍ତ ସୁବିଧା ସୁଯୋଗ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସୁନ୍ଦର ରାସ୍ତା, ଡ୍ରେନ୍‌, ପାର୍କ, ସ୍ବାସ୍ଥ୍ୟକେନ୍ଦ୍ର ଆଦି କଲୋନିରେ ରହିବ ବୋଲି ବିଡିଏ କହିଥିଲା। ତତ୍କାଳୀନ ରାଜଧାନୀ ଉପକଣ୍ଠ ଓ ୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ରହିବା ପାଇଁ ଭଲ କଲୋନିଟିଏ ପାଇବା ଆଶା ଓ ବିଡିଏର ଆକର୍ଷଣୀୟ ଅଫର୍ ସେଠାରେ ଜମି ବା ଘର କିଣିବାକୁ ଏକପ୍ରକାର ପ୍ରଲୋଭିତ କରିଥିଲା। ତେଣୁ ୮ ଶହ ପରିବାର ଜମି ଓ ଘର କିଣିନେଲେ। ମାତ୍ର ପରେ ସେମାନଙ୍କୁ କୌଣସି ମୌଳିକ ସୁବିଧା ମିଳିଲା ନାହିଁ। ପାର୍କ, ସ୍ବାସ୍ଥ୍ୟକେନ୍ଦ୍ର ସାତ ସପନ ହୋଇ ରହିଛି। ସୁବିଧା କହିଲେ ମିଳିଛି ରାସ୍ତା ଓ ଡ୍ରେନ୍‌। କିନ୍ତୁ ରାସ୍ତା ଓ ଡ୍ରେନ୍‌ ଥାଇ ନଥିବା ଭଳି। ଗାଁ ରାସ୍ତାଠାରୁ କଦର୍ଯ୍ୟ। ଡ୍ରେନ୍‌ ପୋତି ହୋଇ ଯାଇଛି। ବର୍ଷ ବର୍ଷ ଧରି କଲୋନିବାସୀ ଅଭିଯୋଗ କରୁଛନ୍ତି। ବିଡିଏରୁ ବିଏମ୍‌ସି ପର୍ଯ୍ୟନ୍ତ ଧାଉଁଛନ୍ତି। କିନ୍ତୁ ଫଳ ଶୂନ। ବିଭିନ୍ନ ସହରୀ ଟିକସ ଗଣିବାରେ କଲୋନିବାସୀଙ୍କୁ ଛାଡ୍‌ ନାହିଁ। ଅଥଚ ତାଙ୍କୁ ଫିଙ୍ଗି ଦିଆଯାଇଛି ଏକ ଅପନ୍ତରା ଇଲାକାରେ। ଏହା ହେଉଛି କଳିଙ୍ଗନଗର (କେ-୯)ର ଅଧିବାସୀମାନଙ୍କ କ୍ଷୋଭର କଥା।

ବିଏମ୍‌ସି ୨୩ ନମ୍ବର ୱାର୍ଡ ଅଧୀନରେ ରହିଛି ଏହି କଲୋନି। କଳିଙ୍ଗନଗର କେ-୯(ଏ) ଓ କେ-୯(ବି) ଏମିତି ଦୁଇ କଲୋନିରେ ୮ ଶହ ପରିବାର ରହୁଛନ୍ତି। ଏହି କଲୋନିର ରାସ୍ତା ସବୁ ବଡ଼ କଦର୍ଯ୍ୟ। ରାସ୍ତା ସାରା ଖାଲଖମା। ପିଚୁ ଉଠିଗଲାଣି ବହୁ ଦିନରୁ। ତେଣୁ କି ବର୍ଷା, କି ଖରା, ସବୁ ସମୟରେ ଏହି କଲୋନି ରାସ୍ତା ଯାତାୟତ ଉପଯୋଗୀ ନୁହେଁ। ରାତିରେ ବଡ଼ ବିପଜ୍ଜନକ ଏସବୁ ରାସ୍ତା। ବର୍ଷା ଚାରି ମା‌ସ ରାସ୍ତାରେ ବହୁ ସ୍ଥାନରେ ଜମି ରହିଥାଏ ପଚାପାଣି। ନର୍ଦ୍ଦମା ଅବସ୍ଥା ଆହୁରି ‌ଖରାବ। ନିର୍ମାଣ ପରଠାରୁ ମରାମତି ବା ସଫେଇ ହୋଇନଥିବା ଅଭିଯୋଗ ହେଉଛି। ଫଳରେ ବହୁ ସ୍ଥାନରେ ପୋତି ହୋଇଗଲାଣି। ତେଣୁ ନର୍ଦ୍ଦମା ପାଣି ରାସ୍ତାକୁ ଉଛୁଳି ଆସୁଛି। ଗତ କିଛି ମାସ ହେଲା ଅଳିଆ ଆବର୍ଜନା ଉଠୁଛି, କିନ୍ତୁ ସେସବୁକୁ କଲୋନିର ଗୋଟିଏ ସ୍ଥାନରେ ଗଦା କରି ଛାଡ଼ି ଦିଆଯାଉଛି। ଫଳରେ ପଚା ଗନ୍ଧରେ କଲୋନିବାସୀ ଅତିଷ୍ଠ ହୋଇ ପଡ଼ୁଛନ୍ତି।
ଏହି ଅଞ୍ଚଳର ୱେଲ୍‌ଫେୟାର୍‌ ଆସୋସିଏସନ୍‌ର ସଭାପତି ରାୟଗୁରୁ ରବୀନ୍ଦ୍ରନାଥ ମହାପାତ୍ରଙ୍କ ଅଭିଯୋଗ ଅନୁସାରେ ରହିବା କାଳରୁ ବିଏମ୍‌ସି ସେମାନଙ୍କଠାରୁ ସମସ୍ତ ଟିକସ ଗଣି ନେଉଛି।

ଅଥଚ ଭଲ ରାସ୍ତା ଓ ଡ୍ରେନ୍‌ ଭଳି ମୌଳିକ ସୁବିଧା ଯୋଗାଇ ପାରୁନାହିଁ। ସାବତ ପୁଅ ନଜରରେ ସେମାନଙ୍କୁ ବିଏମ୍‌ସି ଦେଖି ଆସୁଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ନିତ୍ୟାନନ୍ଦ ବାରିକ, ବିପିନ ବିହାରୀ ମିଶ୍ର, ଗୌରାଙ୍ଗ ନାୟକ, ଶରତଚନ୍ଦ୍ର ସାହୁ, ଧ୍ରୁବ ଚରଣ ରାଉତରାୟ, ସୁଶିଲ୍‌ ମହାପାତ୍ର ପ୍ରମୁଖଙ୍କ ଅଭିଯୋଗ ଯେ ସେମାନଙ୍କୁ ସହରରେ ଘର ଦେଇଛି ବିଡିଏ। କିନ୍ତୁ ଗାଁଠାରୁ ବଡ଼ କଦର୍ଯ୍ୟ ଅବସ୍ଥାରେ ସେମାନେ ରହିଛନ୍ତି। ପୂର୍ବରୁ ବିଡିଏ ଯେଉଁ ସ୍ଥାନରେ ପାର୍କ ଆଦି ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା, ସେସବୁ ଜମି ଆଉ ଅଛି କି ନା, ଜଣାନାହିଁ। ଏମିତିକି ମାର୍କେଟ୍‌ ଓ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଚିହ୍ନଟ ହୋଇଥିବା ଜମି ସବୁ ଉଭାନ୍‌ ହୋଇଗଲାଣି। ତେଣୁ ସେସବୁ ଜମି ପୁନରୁଦ୍ଧାର କରି ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ସେମାନେ ବିଡିଏ ଓ ବିଏମ୍‌ସିକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର