ଭୁବନେଶ୍ବର: ବିଏମ୍ସିର ଅଦୂରଦର୍ଶିତା ଯୋଗୁଁ ନେତାଜୀବିହାର ବାସିନ୍ଦାଙ୍କ ଜୀବନ ଏବେ ଦୁର୍ବିଷହ ହୋଇପଡ଼ିଛି। ଏଠାରେ ରହୁଥିବା ପାଖାପାଖି ୨୦୦ ପରିବାରର ୧ହଜାରରୁ ଊର୍ଧ୍ବ ଲୋକ ଅତି ଅସ୍ବାସ୍ଥ୍ୟକର ପରିବେଶ ଭିତରେ ଜୀବନଯାପନ କରୁଛନ୍ତି। ଘରୁ ଗୋଡ଼ କାଢ଼ିଲେ, ଆଣ୍ଠୁଏ ଉଚ୍ଚର ନର୍ଦ୍ଦମା ଜଳ ଢ଼େଉ ଖେଳୁଛି। ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଖାଲି ସେତିକି ନୁହେଁ, ଏହି ନର୍ଦ୍ଦମା ପାଣି ଏବେ ମଶାମାନଙ୍କ ବଂଶବିସ୍ତାର କରିବା ପାଇଁ ମଧ୍ୟ ସହାୟକ ହେଉଛି। ରାତି ତ ରାତି, ଦିନରେ ବି ଲୋକଙ୍କୁ ମଶା ଚରି ଯାଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ବିଏମ୍ସି ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ହେଁ କେହି ତାଙ୍କ କଥା ଶୁଣୁ ନାହାନ୍ତି। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୀଘ୍ର ଏହାର ସମାଧାନ କରାନଗଲେ ସେମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାନୁଯାୟୀ, ରସୁଲଗଡ଼ ଛକରୁ ଡ୍ରେନ୍ ନମ୍ବର-୧ ଦେଇ ଯାଇଥିବା ଏହି ଶାଖା ଡ୍ରେନ୍ ଶବରସାହି ପାଖରେ ଶେଷ ହୋଇଛି। ୧୫ ବର୍ଷ ପୂର୍ବେ ବିଏମ୍ସି ଡ୍ରେନ୍ ନିର୍ମାଣ କଲା ବେଳେ ଏକ ଘରୋଇ ଜମିକୁ ଏହି ଡ୍ରେନ୍ ପାଣି ଛାଡ଼ି ଦେଇଥିଲା। ତେଣୁ ଆଜି ପର୍ଯ୍ୟନ୍ତ ଲୋକମାନଙ୍କ କୌଣସି ଅସୁବିଧା ହେଉ ନଥିଲା। ହେଲେ ସେହି ଘରୋଇ ପ୍ଲଟ୍ରେ ଏବେ ମାଟି ପଡ଼ି ଘର ଆରମ୍ଭ ହୋଇଯିବାରୁ ଡ୍ରେନ୍ ପାଣି ରାସ୍ତାରେ ଲହଡ଼ି ମାରୁଛି। ଏହି ସମସ୍ୟା ଯୋଗୁଁ ପାଖାପାଖି ୧୫ଦିନ ହେବ ଲୋକେ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି। ଏମିତିକି ଟିକିଏ ଖାଲୁଆ ଅଞ୍ଚଳରେ ଥିବା ଘରକୁ ଏହି ଡ୍ରେନ୍ ପାଣି ପଶି ଯାଉଥିବା ଅଭିଯୋଗ ହେଉଛି। ଛୋଟ ପିଲା ଏବଂ ବୟସ୍କ ନାଗରିକମାନେ ଘରୁ ବାହାରି ପାରୁ ନଥିବା ବେଳେ କର୍ମଜୀବୀମାନେ ନାନା ହଇରାଣ ହରକତ ହୋଇ ରାସ୍ତାରେ ଗୋଡ଼ ଟେକି ଟେକି ଚାଲୁଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ରସୁଲଗଡ଼ ଛକରେ ଥିବା ମଧୁକୁଞ୍ଜ, ମନୋରମା ଆଦି ବହୁତଳ କୋଠାଗୁଡ଼ିକର ଆବର୍ଜନା ପାଣି ମଧ୍ୟ ଏହି ଡ୍ରେନ୍ ଦେଇ ପ୍ରବାହିତ ହେଉଛି। ଫଳରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ପ୍ରଶ୍ନ ଉଠୁଛି, ଡ୍ରେନେଜ୍ ସୁବିଧା ନଥାଇ ଘରୋଇ ପ୍ଲଟ୍କୁ ପାଣି ଛାଡ଼ିବା ଭରସାରେ ବିଏମ୍ସି କିପରି ଏହି ବହୁତଳ କୋଠା ନିର୍ମାଣ ଅନୁମତି ଦେଲା। ତେବେ ଏହି ଡ୍ରେନ୍କୁ ପଳାସୁଣୀ ଦେଇ ଗଙ୍ଗୁଆ ନାଳକୁ ନେଲେ ଏ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି। ସ୍ଥାନୀୟ ବାସିନ୍ଦା ଶୁଭାଶିଷ ଦାଶ କହିଛନ୍ତି, ଦୀର୍ଘ ଦିନର ଏହି ସମସ୍ୟା ନେଇ ସେମାନେ ବାରମ୍ବାର ବିଏମ୍ସି କାର୍ଯ୍ୟାଳୟ ଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।