ବାଲିଅନ୍ତା: ଫଗୁଣ ମାସ ଅଧାରୁ ଖରାର ପ୍ରକୋପ ଜୋର୍‌ ହେଲାଣି। ବିଭିନ୍ନ ସ୍ଥାନରେ ଜଳଉତ୍ସ ଶୁଖି ଗଲାଣି। ଏଭଳି ସ୍ଥିତିରେ ବାଲିଅନ୍ତାରେ କୂଅ, ନଳକୂଅ, ପାଇପ୍‌ଲାଇନ ପାଣି ପ୍ରକଳ୍ପ ଲୋକଙ୍କ ଭରସା ପାଲଟିଛି। ହେଲେ ବିଭିନ୍ନ ସ୍ଥାନରେ ଅଚଳ ନଳକୂପଗୁଡ଼ିକର ମରାମତି ଓ ପାଇପ୍‌ଲାଇନ ପାଣି ଯୋଗାଣ ଠିକ୍‌ ଭାବେ ହେଉ ନଥିବାରୁ ଲୋକେ ଚିନ୍ତାରେ ପଡ଼ିଲେଣି। ବାଲିଅନ୍ତା ବ୍ଲକ୍‌ ସରକଣା ପଞ୍ଚାୟତର କାଜିପୁର ଗ୍ରାମରେ କ୍ଷୁଦ୍ର ବୋର୍‌ୱେଲ୍‌ରେ ଲାଗିଥିବା ଲୌହ ଦୂରୀକରଣ ପ୍ଲାଣ୍ଟ (ଆଇଆର୍‌ପି) କାମ କରୁନାହିଁ। ଫଳରେ ‌ଲୋକେ ପାଣିରେ ଲୁହାଗୁଣ୍ଡ ପିଉଛନ୍ତି।  

Advertisment

୨୦୨୧ ମସିହାରେ ଗାଁର ୩୦ ପରିବାରର ୧୫୦ ଲୋକଙ୍କ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି କ୍ଷୁଦ୍ର ବୋର୍‌ୱେଲ ଖନନ କରାଯାଇଥିଲା। ବୋର୍‌ୱେଲରୁ ପାଣି ବାହାରିଲା ସତ, ହେଲେ ସେଥିରେ ଅତ୍ୟଧିକ ପରିମାଣର ଲୌହ ଅଂଶ ରହିଥିଲା। ଯେଉଁଥିପାଇଁ ପାଣି ବ୍ୟବହାରଯୋଗ୍ୟ ହୋଇ ନଥିଲା। ଲୌହ ଭାଗ ଦୂର ଲାଗି ଆଇରନ୍‌ ରିମୁଭାଲ୍‌ ପ୍ଲାଣ୍ଟ(ଆଇଆର୍‌ପି) ବସାଯାଇଥିଲା। କିଛି ଦିନ ବିଶୁଦ୍ଧ ଜଳଯୋଗାଣ ହେବା ପରେ ଅଚଳ ହୋଇଗଲା। ସେବେଠାରୁ ଏହା ଆଉ ମରାମତି କରାଯାଉନାହିଁ। ଫଳରେ ନଳକୂଅରୁ ଲୌହ ମିଶ୍ରିତ ପାଣି ବାହାରୁଛି। ଗୋଟିଏ ପଟେ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା ୧୦ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବା ବେଳେ ଶହଶହ ଲୋକଙ୍କ ସ୍ବାସ୍ଥ୍ୟ ବାଜିରେ ଲାଗିଛି। 

କାମ କରୁନି ବୋର୍‌ୱେଲ୍‌ ଆଇଆର୍‌ପି
୩୦ ପରିବାର ହନ୍ତସନ୍ତ
ଏବର୍ଷ ବି ସମାଧାନ ହେବନି

ଗ୍ରାମବାସୀଙ୍କ ଅଭିଯୋଗ, ପାଇପ୍‌ଲାଇନ୍‌ ହେଉ କି ନଳକୂଅ, ସେଥିରୁ ବାହାରୁ ଥିବା ପାଣି କିଛି ସମୟ ପାତ୍ରରେ ରହିବା ପରେ ହଳଦିଆ ହୋଇଯାଉଛି। ବେଳେ ବେଳେ ମଇଳା ପାଣି ଆସୁଛି। ପାଣି ବେଳେ ବେଳେ ଦୁର୍ଗନ୍ଧ ହେଉଛି, ପିଇବା ତ ଦୂରର କଥା ପାଟିରେ ଦେଇ ହେଉନାହିଁ। ଗାଁରେ ଅଧିକ ନଳକୂଅ ନଥିବାରୁ ଲୋକେ ପାଣି ପାଇଁ ବାରଦୁଆର ହେଉଛନ୍ତି। ଏ ଦିଗରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କିଛି ପଦକ୍ଷେପ ଗ୍ରହଣ କରୁ ନାହିଁ। 

ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ପଞ୍ଚାୟତରେ ୧୫୬୫ ନଳକୂପ ମଧ୍ୟରୁ ୧୦ ନଳକୂପ ଅଚଳ ହୋଇଯାଇଛି। ଜଳସ୍ତର କମିଯିବା କାରଣରୁ ଅଧିକାଂଶ ନଳକୂଅରୁ ପାଣି ବାହାରୁନାହିଁ। ୧୬ଟି ପଞ୍ଚାୟତରେ ୪୮ଟି ପାଇପ୍‌ଲାଇନ୍‌ ପ୍ରକଳ୍ପ ‌ରହିଛି। ହେଲେ ଅନେକ ଲୋକ ପାଇପ ପାଣି ବାଡ଼ି ବଗିଚାରେ ମଡ଼ାଉଥିବାରୁ ଷ୍ଟାଣ୍ଡପୋଷ୍ଟକୁ ପାଣି ଉଠୁନି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଅଶ୍ବିନୀ ମଲ୍ଲ କହିଛନ୍ତି, ଏପ୍ରକାର ସମସ୍ୟା ଚଳିତ ବର୍ଷ ମଧ୍ୟ ଲାଗିରହିବ। ଏବେ ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ରୁତ ଗତିରେ ଆଗେଇ ଚାଲିଛି। କାର୍ଯ୍ୟ ଶେଷ ହୋଇଯିବା ପରେ ଆସନ୍ତା ବର୍ଷକୁ ଏଭଳି ସମସ୍ୟା ଆଉ ରହିବନି।