ଭୁବନେଶ୍ବର: ରାଜଧାନୀ ଫଳ ବଜାରକୁ ଆସିଗଲାଣି ବିଭିନ୍ନ କିସମର ଆମ୍ବ। ଋତୁଭିତ୍ତିକ ଫଳ ହୋଇଥିବାରୁ ସବୁ ସମୟରେ ଏହା ଦେଖିବାକୁ ମିଳେନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ମାର୍କେଟ ହେଉ କି ଛକ ସବୁଠି ଆମ୍ବର ପସରା ମେଲିଛି। ରାଜଧାନୀବାସୀ ଏତେ ଆମ୍ବପ୍ରିୟ ଯେ ପ୍ରତିଦିନ ପ୍ରାୟ ୩ଶହ ଟନ୍‌ ଆମ୍ବ ଖାଉଛନ୍ତି।
ରାଜଧାନୀରେ ପାଖାପାଖି ୩୫ଟି ଫଳ ଗୋଦାମ ଥିବାବେଳେ ‌୩ହଜାରରୁ ଅଧିକ ଆମ୍ବ ବେପାରୀ ଅଛନ୍ତି। ତା’ଛଡ଼ା ବାଟଘାଟରେ ବି ଅନେକ ଉଠା ଦୋକାନୀ ବିକ୍ରି କରୁଛନ୍ତି। ମାର୍କେଟକୁ ପ୍ରତିଦିନ ୩୦ ଟ୍ରକ୍‌ ଆମ୍ବ ଆସୁଛି। ପାଖାପାଖି ହିସାବ କଲେ ଦିନକୁ ୩ଶହ ଟନ୍‌ ବଜାରରେ ଆମ୍ବ ବିକ୍ରି ହେଉଛି ବୋଲି ବାବା ବାଲେଶ୍ବର ଫୁଡ୍‌ସ୍‌ ଗୋଦାମର ବ୍ୟବସାୟୀ ବିନାୟକ ପାତ୍ର କହିଛନ୍ତି। ଏପ୍ରିଲ୍‌ଠାରୁ ନେଇ ଜୁଲାଇ ମାସ ପର୍ଯ୍ୟନ୍ତ ବଜାର ଚଳଚଞ୍ଚଳ ହୋଇ ଉଠିଥାଏ। ବର୍ତ୍ତମାନ ବଜାରରେ ବାଇଗଣପଲେଇ କେଜିପିଛା ୧୦୦ଟଙ୍କା, ଆମ୍ରପଲ୍ଲୀ ୭୦ ଟଙ୍କା, ଆଖୁରସ ୧୨୦, ସୁନ୍ଦରୀ ୧୦୦ଟଙ୍କା, ଲେଙ୍ଗଡ଼ା ୮୦ଟଙ୍କା, ତୋଟାପଲ୍ଲୀ ୬୦ଟଙ୍କା, ନିଲମ୍‌ ୫୦ଟଙ୍କାରେ ବିକ୍ରି ହେଉଛି।

Advertisment

ଆଲଫୋନ୍ସ ୧୫୦ ଟଙ୍କା ଥିବାବେଳେ ଏହା ବାରମାସୀ ମିଳିଥାଏ। କିନ୍ତୁ ତା’ର ଦର ଅନ୍ୟ ସମୟରେ ୪୦୦ ଟଙ୍କା ରହିଥାଏ। ବିଶେଷତଃ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କୋଲକାତା ଆଦି ରାଜ୍ୟରୁ ଅଧିକ ପରିମାଣରେ ଓଡ଼ିଶାକୁ ଆମ୍ବ ଆସୁଛି ବୋଲି ଏକ ନମ୍ବର ମାର୍କେଟରେ ଥିବା ଜଣେ ଆମ୍ବ ବ୍ୟବସାୟୀ ଅଶୋକ ଭୂୟାଁ କହିଛନ୍ତି। ରାଜଧାନୀ ବଜାରରେ କଳାରଙ୍ଗର ମଧ୍ୟ ଆମ୍ବ ମିଳୁଛି। ଯାହାର ନାଁ ଫଜ୍‌ଲି ରହିଥିବାବେଳେ ଦର କେଜିପ୍ରତି ୫୦ଟଙ୍କା। ଏହା କୋଲକାତା ଓ ଉତ୍ତରପ୍ରଦେଶରୁ ଆସୁଛି। ବିଶେଷତଃ ଏହି ଆମ୍ବ ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ମିଳିଥାଏ। କିନ୍ତୁ ଆମ୍ବର ଚାହିଦାକୁ ଦୃଷ୍ଟିରେ ରଖି ଏବେ ଅକ୍ ଟୋବରରେ ମଧ୍ୟ ବାରମାସୀ ଆମ୍ବ ମିଳୁଛି।
ଓଡ଼ିଶାରେ ଆମ୍ବ ଉତ୍ପାଦନ ବଢ଼ୁଥିଲେ ମଧ୍ୟ ବଜାର ସୁବିଧା ନଥିବାରୁ ବ୍ୟବସାୟୀମାନେ ବାହାର ରାଜ୍ୟରୁ ଆମ୍ବ ଆଣି ବିକ୍ରି କରୁଛନ୍ତି।

ଓଡ଼ିଶାରେ ଆମ୍ବ ୨.୧ଲକ୍ଷ ହେକ୍ଟର ଜମିରେ ଚାଷ ହେଉଛି। ଅନେକ ଜିଲ୍ଲାରେ ଆମ୍ବ ଚାଷ ହେଉଥିଲେ ବି କଳାହାଣ୍ଡି, ରାୟଗଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଢେଙ୍କାନାଳ ଓ ଅନୁଗୁଳରେ ଚାଷର ପରିମାଣ ଅଧିକ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଓଡ଼ିଶାରେ ଆମ୍ବର ଉତ୍ପାଦନ ବଢ଼ୁଥିଲେ ମଧ୍ୟ ବଜାରର ସୁବିଧା ନଥିବାରୁ ବ୍ୟବସାୟୀମାନେ ବାହାର ରାଜ୍ୟରୁ ଆମ୍ବ ଆଣି ବିକ୍ରି କରୁଛନ୍ତି। ଏନେଇ କେନ୍ଦ୍ରୀୟ ଉଦ୍ୟାନ ପରିକ୍ଷଣ କେନ୍ଦ୍ର ମୁଖ୍ୟ ଡ. ଗୋବିନ୍ଦ ଚନ୍ଦ୍ର ଆଚର୍ଯ୍ୟ କହିଛନ୍ତି, ‘‘ଏପ୍ରିଲ୍‌ ମାସ ପହିଲାରୁ ଆମ୍ବ ବିକ୍ରି ଆରମ୍ଭ ହୋଇଯାଇଥାଏ। ଓଡ଼ିଶାରେ ପାଖାପାଖି ୫୦ ପ୍ରତିଶତ ଆମ୍ରପଲ୍ଲୀ ଚାଷ ହେଉଛି। ଏହା ଜୁନ୍‌ମାସରେ ଉତ୍ପାଦନ ହେଉଥିବାରୁ ବଜାରକୁ ବିଳମ୍ବରେ ଆସୁଛି। ତେଣୁ ବାହାର ରାଜ୍ୟର ଆମ୍ବ ଶୀଘ୍ର ମାର୍କେଟକୁ ଆସୁଥିବାରୁ ବେପାରୀମାନେ ବାହାର ରାଜ୍ୟ ଉପରେ ଆମ୍ବ ପାଇଁ ଭରସା କରୁଛନ୍ତି। ଏହି ଅଭାବକୁ ପୂରଣ କରିବା ପାଇଁ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ପକ୍ଷରୁ ଗୁଲାବ୍‌ଖାସ୍‌, ଅର୍କ, ନୀଳାଚଳ, କେଶରୀ ଆମ୍ବକୁ କୃଷି ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି। ଏହି ଆମ୍ବଗୁଡ଼ିକ ସହଳ କିସମ ହୋଇଥିବାରୁ ଏହାକୁ ଓଡ଼ିଶାରେ ଚାଷ କଲେ ଆମ୍ବ ମାର୍ଚ୍ଚ ପହିଲାରୁ ବଜାରକୁ ଆସିପାରିବ। ଚାଷୀମାନେ ମଧ୍ୟ ଉପକୃତ ହୋଇପାରିବେ।’’ ଓଡ଼ିଶାରେ ଆମ୍ବଚାଷ ପାଇଁ ଭଲ ଜଳବାୟୁ ଅଛି। ଆମ୍ରପଲ୍ଲୀ ଉତ୍ତର ଭାରତ‌ରେ ଲୋକପ୍ରିୟ ହୋଇଥିଲେ ମଧ୍ୟ ଓଡ଼ିଶାରେ ନିଜସ୍ବ ଚାହିଦାର ୫୦ ପ୍ରତିଶତ ଉତ୍ପାଦନ ହେଉଛି। ଏହାର ଓଜନ ମଧ୍ୟ ପାଖାପାଖି ୨୫୦ଗ୍ରାମ୍‌ ରହୁଛି। ଆଗାମୀ ଦିନମାନଙ୍କରେ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ଆମ୍ବ ପାଇଁ ଭରସା କରିବ ନାହିଁ ବୋଲି ଡ. ଆଚର୍ଯ୍ୟ ଆଶାବାଦୀ ଅଛନ୍ତି।