ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବସ୍ତିବାସିନ୍ଦାଙ୍କ ସମାବେଶ, ଅଣବସ୍ତିବାସିନ୍ଦାଙ୍କ ନାଁରେ ବିଏସ୍‌ୟୁପି ଘର

ଭିଜିଲାନ୍‌ସ ତଦନ୍ତ ଦାବି କଲା ମଞ୍ଚ

ପୁରୁଣା ଭୁବନେଶ୍ୱର: ୧୪ ଦଫା ଦାବି ନେଇ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଆବଣ୍ଟନରେ ଦୁର୍ନୀତିର ଭିଜିଲାନ୍‌ସ ତଦନ୍ତ ଦାବି ଥିଲା ଏହି ସମାବେଶର ମୂଳ ଲକ୍ଷ୍ୟ। ଆଦୌ ବସ୍ତିବାସିନ୍ଦା ହୋଇ ନଥିବା ବହୁ ବ୍ୟକ୍ତି ପଦସ୍ଥ ଅଧିକାରୀଙ୍କ ଜରିଆରେ କୋଠାଘର ହାତେଇଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ଏମିତିକି କିଛି ପଦସ୍ଥ ଅଧିକାରୀ ବସ୍ତିବାସିନ୍ଦାଙ୍କ କୋଠାଘରକୁ ନିଜ ନିଜ ସମ୍ପର୍କୀୟଙ୍କ ନାଁରେ ହାତେଇଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ କେବଳ ଭିଜିଲାନ୍‌ସ ତଦନ୍ତ ହେଲେ ଏହି ମହାଦୁର୍ନୀତିର ପର୍ଦ୍ଦାଫାସ ‌ହେବ ବୋଲି ଏହି ସମାବେଶର ପ୍ରସଙ୍ଗ ଥିଲା।

ଆଜି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବାରୁ ବସ୍ତି ସୁରକ୍ଷା ମଞ୍ଚ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଏହି ସମାବେଶ ଆୟୋଜନ କରିଥିଲା। ସ୍ପଷ୍ଟ ବସ୍ତି ଥଇଥାନ ଓ ଗୃହ ଆବଣ୍ଟନ ନୀତି ଘୋଷଣା, ବଳପୂର୍ବକ ଏବଂ ଷଡ୍‌ଯନ୍ତ୍ରମୂଳକ ଉଚ୍ଛେଦ ବନ୍ଦ, ବସ୍ତି ଭାଙ୍ଗି ପୁଣି ନୂଆ ବସ୍ତି ଗଢ଼ିବା ନୀତି ବାତିଲ, ବସ୍ତିରେ ରହୁଥିବା ସବୁ ପରିବାରଙ୍କୁ ଥଇଥାନ କରିବା, ଆନ୍ଦୋଳନକାରୀଙ୍କ ଉପରୁ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର, ଅସାଧୁ ମେଣ୍ଟ ଓ ବିଲ୍‌ଡର୍‌ଙ୍କ ଆକ୍ରମଣର ଶିକାର ପୀଡ଼ିତଙ୍କୁ ସୁରକ୍ଷା ଦେବା ଓ ନିରୀହ ବସ୍ତିବାସିନ୍ଦାଙ୍କୁ ଜେଲ୍‌ ପଠାଇଥିବା ପୁଲିସ ଅଧିକାରୀଙ୍କୁ ନିଲମ୍ୱନ କରିବା, ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଆଦି ଦାବି ନେଇ ଏହି ସମାବେଶ ହୋଇଥିଲା। ସେମାନଙ୍କ କହିବା କଥା ବିଏସ୍‌ୟୁପି ଯୋଜନାରେ କୋଠାଘର ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି। ପ୍ରକୃତ ବସ୍ତିବାସିନ୍ଦାଙ୍କୁ ହିତାଧିକାରୀ ତାଲିକାରୁ ବଞ୍ଚିତ କରାଯାଇଛି। କିନ୍ତୁ ଯେଉଁମାନେ ବସ୍ତିରେ କେବେ ରହିନଥିଲେ ଓ କେବେ ବି ଭୁବନେଶ୍ୱରର ବାସିନ୍ଦା ନଥିଲେ, ସେମାନଙ୍କୁ ଏହି ଘର ଯୋଗାଇ ଦିଆଯାଇଛି। ସରକାରୀ ଚାକିରି କରିଥିବା ଲୋକଙ୍କୁ ବି ଏହି କୋଠାଘର ଦିଆ ହୋଇଛି। ବିଏମ୍‌ସି, ବିଡିଏ, ସିଏଲ୍‌ଟିସି ଅଧିକାରୀ ଓ କର୍ମଚାରୀମାନେ ଶାସକଦଳ ନେତାଙ୍କ ସହ ଅସାଧୁମେଣ୍ଟ କରି ଏଭଳି କାଣ୍ଡ କରିଛନ୍ତି। ସରକାରଙ୍କ ଜାଗା ମିସନ ଓ ଆଦର୍ଶ କଲୋନି ଯୋଜନାରୁ ଫାଇଦା ଉଠାଇଛନ୍ତି। ଉପଯୁକ୍ତ ଥଇଥାନ ବ୍ୟବସ୍ଥା ନ କରି ବଳପୂର୍ବକ ଉଚ୍ଛେଦ କରାଯାଉଛି। ଏସବୁ ବନ୍ଦ କରିବା ଜରୁରି ବୋଲି ସେମାନେ ଦାବି କରିଥିଲେ।

ଏହି ସମାବେଶରେ ବସ୍ତି ସୁରକ୍ଷା ମଞ୍ଚର ସଭାପତି ହେନା ବାରିକ, ସମ୍ପାଦିକା ପ୍ରମିଳା, ବସ୍ତିନେତା ରାମଚନ୍ଦ୍ର ସାହୁ, ଯୋଗୀନାଥ ବେହେରା, ଗଦାଧର ସାହୁ, ନାରାୟଣ ଲେଙ୍କା, ଦୀନବନ୍ଧୁ ସାହୁ, ବିଜୟ ରଥ, ରାଧାରାଣୀ ମହାରଣା, ମୁରଲୀଧର ଭୂୟାଁ, ସରୋଜ ଦାସ, ବଟକୃଷ୍ଣ ରାଉତ, ପର୍ଶୁରାମ ମହଲା, ମୀନା ଭୋଇଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ। ତେବେ ଏହା ପୂର୍ବରୁ ମଞ୍ଚ ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ସାକ୍ଷାତ ଆଲୋଚନା କରିବା ସହିତ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର