ଭୁବନେଶ୍ୱର: ନିଜ ଧର୍ମକୁ ଭଲପାଅ। କିନ୍ତୁ ଅନ୍ୟ ଧର୍ମକୁ ବି ସମ୍ମାନ ଦିଅ। ଧର୍ମ ଭିତ୍ତିରେ ଆମେ ଭିନ୍ନଭିନ୍ନ ହୋଇପାରୁ, କିନ୍ତୁ ସମଗ୍ର ବିଶ୍ୱ ଗୋଟିଏ ପରିବାର। ବେଦାନ୍ତକୁ ଅସ୍ତ୍ର କରି ସ୍ୱାମୀ ବିବେକାନନ୍ଦ ୧୨୫ ବର୍ଷ ତଳେ ଆମେରିକାର ଚିକାଗୋରେ ଦେଇଥିବା ଏହି ଭାଷଣରେ ସମଗ୍ର ବିଶ୍ୱକୁ ବଶୀଭୂତ କରି ଦେଇଥିଲେ। ବିଶ୍ୱ ଧର୍ମ ମହାସଭାରେ ସେଦିନ ପ୍ରଦତ୍ତ ଭାଷଣର ସ୍ମୃତିକୁ ମନେପକାଇ ଆଜି ରାମକୃଷ୍ଣ ମିସନ୍ ପରିସରରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଉତ୍ସବ। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିବେକାନନ୍ଦଙ୍କ ବାଣୀକୁ ଉଦ୍ଧାର କରି କହିଲେ, ସହିଷ୍ଣୁତା ଏବଂ ଜାଗତିକ ଗ୍ରହଣୀୟତା ବିନା ସମାଜ ତିଷ୍ଠି ପାରିବ ନାହିଁ। ସବୁ ମତକୁ ସମ୍ମାନ ଦେବା ଏବଂ ସମସ୍ତଙ୍କ ଭଲ ଗୁଣକୁ ଗ୍ରହଣ କରିବାର ମାନସିକତା ରଖିବା ଆବଶ୍ୟକ ବୋଲି ସେ କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ ନାୟକ ବିବେକାନନ୍ଦଙ୍କ ଦର୍ଶନ ଓ ଆଧ୍ୟାତ୍ମିକ ଉତ୍ତରଣ ସମ୍ପର୍କରେ କହିଥିଲେ। ଯେବେ ଭାରତ ଗରିବ ଓ ଅଶିକ୍ଷିତଙ୍କର ଦେଶ ବୋଲି ବିଶ୍ୱବାସୀଙ୍କର ଧାରଣା ଥିଲା ସେହି ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡ ମଧ୍ୟରେ ଚିକାଗୋ ଧର୍ମ ମହାସଭାରେ ବକ୍ତତା ଦେଇ ସେ ଭାରତ ପ୍ରତି ଥିବା ବିଶ୍ୱର ଦୃଷ୍ଟିଭଙ୍ଗୀକୁ ବଦଳାଇ ଦେଇଥିଲେ। ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ କହିଲେ, କେବଳ ଆମେରିକାର ଭାଇ ଭଉଣୀ ସମ୍ବୋଧନ କରି ସେ ମନ ଜିଣି ନେଇ ନଥିଲେ, ପୂରା ବକ୍ତବ୍ୟରେ ବିଶ୍ୱ ଭ୍ରାତୃତ୍ୱର ମନ୍ତ୍ର ବୁଣି ଚମତ୍କତ କରି ଦେଇଥିଲେ। ରାମକୃଷ୍ଣ ମିସନର ସହ ସମ୍ପାଦକ ସ୍ୱାମୀ ଆର୍ଯ୍ୟାନନ୍ଦଜୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ଖାଲି ଆମେରିକାର ଭାଇ ଭଉଣୀ ସମ୍ବୋଧନ କରି ଚିକାଗୋ ମହାସଭାରେ ୭ ହଜାର ଲୋକଙ୍କଠାରୁ ୨ ମିନିଟ୍ ପର୍ଯ୍ୟନ୍ତ ତାଳିର ସମ୍ମାନ ପାଇ ନଥିଲେ। ବରଂ ସବୁ ଧର୍ମ ସତ୍ୟ ବୋଲି କହିବା ଏବଂ ସ୍ୱାମୀଜୀଙ୍କ ଆଚରଣ ତାଙ୍କୁ ଆହୁରି ପ୍ରସିଦ୍ଧି ଆଣି ଦେଇଥିଲା। ରାମକୃଷ୍ଣ ମଠର ସ୍ୱାମୀ ଅଦ୍ୱୟାନନ୍ଦ ସ୍ୱଦେଶ ମନ୍ତ୍ର ପାଠ କରିଥିବା ବେଳେ ମୌସୁମୀ ରାଉତ ସ୍ୱାମୀଜୀଙ୍କ ୧୨୫ ବର୍ଷ ତଳର ବକ୍ତତା ଉପସ୍ଥାପନ କରିଥିଲେ। ପରମେଶ୍ୱର ଧଳ, ରବି ମହାନ୍ତି, ରମେଶ ପ୍ରଧାନ, ଲକ୍ଷ୍ମୀଧର ମହାନ୍ତି, ଜିତେନ୍ଦ୍ର ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସବୁ ଧର୍ମକୁ ସମ୍ମାନ ଦିଅ
ବିବେକାନନ୍ଦଙ୍କ ଚିକାଗୋ ବକ୍ତତାର ୧୨୫ ବର୍ଷ ସ୍ମୃତି ଉତ୍ସବ
/sambad/media/post_attachments/wp-content/uploads/2018/09/m2-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)