ମହିଳାଙ୍କ ସୁରକ୍ଷା ଓ ସମ୍ମାନ ରଜ ପର୍ବର ଲକ୍ଷ୍ୟ

ତ୍ରିଶକ୍ତି ମହିଳା ପରିଷଦର ରଜ ମହୋତ୍ସବ

ଖଣ୍ଡଗିରି: ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନ ହେଉଛି ରଜ ପର୍ବର ମୂଳ ଲକ୍ଷ୍ୟ। ପୂର୍ବରୁ ଏହି ମହାନ୍‌ ଲକ୍ଷ୍ୟକୁ ନେଇ ଓଡ଼ିଶାରେ ଗଣପର୍ବ ଭାବେ ରଜ ପାଳିତ ହୋଇ ଆସୁଛି। ଏହା ଆମ ସଂସ୍କୃତି। ଏବେ ସରକାର ମହିଳା ସଶକ୍ତୀକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ମିସନ୍‌ ଶକ୍ତି ଆଧାରରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଯୋଜନା କରାଯାଉଛି। ଏବେ ରାଜ୍ୟରେ ୬ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ପ୍ରାୟ ୬୦ ଲକ୍ଷ ମହିଳା ସଦସ୍ୟ ଅଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ସରକାର ରାଜ୍ୟର ସମସ୍ତ ମହିଳାଙ୍କୁ ମିସନ୍‌ ଶକ୍ତିରେ ସାମିଲ୍‌ କରାଇବା ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବଜେଟ୍‌ରେ ମଧ୍ୟ ୫୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଆଜି ବରମୁଣ୍ଡା ଗାଁ ତ୍ରିଶକ୍ତି ମହିଳା ପରିଷଦର ଦ୍ୱାଦଶତମ ରଜ ମହୋତ୍ସବ-୨୦୧୮ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ଏହା କହିଛନ୍ତି।

ବିଶିଷ୍ଟ କଥାକାର ତଥା ଦୈନିକ ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା,ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ ଓ କର୍ପୋରେଟର୍‌ ସୁଜିତ୍‌ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରଜ ପର୍ବର ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ତ୍ରିଶକ୍ତି ମହିଳା ପରିଷଦର ଏଭଳି ଉଦ୍ୟମକୁ ସେମାନେ ପ୍ରଶଂସା କରିଥିିଲେ। ତେବେ ମହିଳା ଓ ଶିଶୁ ସୁରକ୍ଷା ଦିଗରେ ଜନ ସଚେତନତା ସୃଷ୍ଟି କରିବାକୁ ଏହି ମହିଳା ପରିଷଦ ଉଦ୍ୟମ କଲେ, ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାମଲ କହିଥିଲେ। ପ୍ରାରମ୍ଭରେ ସମ୍ପାଦିକା ବନଜା ନାୟକ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ସଭାନେତ୍ରୀ ସଂଯୁକ୍ତା ଭୂତିଆ ସ୍ୱାଗତ ଭାଷଣ ଓ ଜ୍ୟୋତ୍ସ୍ନାରାଣୀ ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରୁଥିବା ବ୍ୟକ୍ତିମାନଙ୍କୁ ଅତିଥିମାନେ ସମ୍ବର୍ଧିିତ କରିଥିଲେ। ପରେ ସାମାଜିକ ନାଟକ ‘ଲାଗିଲା ସତେ କି କାହା ନଜର’ ମଞ୍ଚସ୍ଥ ହୋଇଥିଲା। ମହିଳା ସୁରକ୍ଷା ଓ କନ୍ୟାରତ୍ନର ଯତ୍ନ ଉପରେ ଆଧାରିତ ଏହି ନାଟକରେ ପରିଷଦର ସଭ୍ୟାମାନେ ନିଖୁଣ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର