ସମାଧାନ କରିବାକୁ ଯାଇ ଦୁଷ୍କର୍ମ, ରେସ୍ତୋରାଁ ମାଲିକ ଗିରଫ

ଭୁବନେଶ୍ୱର : ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ତିକ୍ତତା ଆସିଥିଲା। କେମିତି ପୁଅ-ବୋହୂ ଭଲରେ ରୁହନ୍ତୁ, ଚିନ୍ତା କରି ଶ୍ବଶୁର ସମାଧାନ ଚାହିଥିଲେ। ସମାଧାନ କରିବା ପାଇଁ ଶ୍ବଶୁରବୋହୂ ପାଖକୁ ଯେଉଁ ବ୍ୟକ୍ତିକୁ ପଠାଇଲେ ସେ ସୁଯୋଗ ଦେଖି ଦୁଷ୍କର୍ମ କଲା। କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ୍‌ ଭୁବନେଶ୍ବରର ପଟିଆରେ ଘଟିଛି ଏଭଳି କାଣ୍ଡ। ପୀଡ଼ିତାଙ୍କ ଅଭିଯୋଗ ପରେ ମହିଳା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଉଛି ପଟିଆରେ ଥିବା ଏକ ରେସ୍ତୋରାଁ ମାଲିକ ସୁବ୍ରତ ଦାସ। ସ୍ବାମୀ ଓ ଶ୍ବଶୁର ଏଭଳି ଏକ ଅପରାଧୀକୁ ସମାଧାନ ଆଳରେ ପଠାଇଥିବାରୁ ସେମାନଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି। ସ୍ବାମୀ ଓ ଶ୍ବଶୁରଙ୍କ ନାମରେ ମଧ୍ୟ ମହିଳା ଥାନା ପୁଲିସ ମାମଲା ରୁଜୁ କରିଛି।

ଅଭିଯୋଗ ମୁତାବକ, ଶ୍ବଶୁରଙ୍କ ପଟିଆସ୍ଥିତ ଘରର ତଳ ମହଲାକୁ ସୁବ୍ରତ ଭଡ଼ା ନେଇ ଏକ ରେସ୍ତୋରାଁ ଖୋଲିଥିଲା। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମଧ୍ୟସ୍ଥତା କରି ସୁ-ସମ୍ପର୍କ ସ୍ଥାପନ କରିବା ପାଇଁ ସାହାଯ୍ୟ କରିବାକୁ ଶ୍ବଶୁର ସୁବ୍ରତକୁ ଅନୁରୋଧ କରିଥିଲେ। ସୁବ୍ରତ କିଛି ଦିନ କଥା ହୋଇ ବୁଝାସୁଝା କରିଥିଲା। ହେଲେ ଦିନେ ଫ୍ଲାଟ୍‌‌‌‌‌ରେ ମହିଳା ଏକୁଟିଆ ଥିବା ଦେଖି ଘରେ ପଶି ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ହତ୍ୟା କରିବାକୁ ଧମକ ଦେଇଥିଲା।

ଗତକାଲି ସାଢ଼େ ଗୋଟାଏ ବେଳେ ଏତଲା ହେବା ପରେ ମହିଳା ଥାନା ପୁଲିସ ସାଢ଼େ ୩ଟା ବେଳେ ଅଭିଯୁକ୍ତକୁ ଗିରଫ କରିଥିଲା। ଅପରାହ୍‌ଣ ସାଢ଼େ ୪ଟା ବେଳେ କୋର୍ଟ ଚାଲାଣ କରିଥିଲା। ଖୋଦ୍‌ ଆଇଆଇସି ବନିତା ମହାରଣା ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ। ଅଭିଯୁକ୍ତ ଗିରଫ ହେବା ପରେ ମଧ୍ୟ ଏ ନେଇ ଥାନା ପକ୍ଷରୁ କୌଣସି ସୂଚନା ମିଳି ନଥିଲା। ଯଥାସମ୍ଭବ ଗୋପନ ରଖିବାକୁ ଉଦ୍ୟମ କରାଯାଇଥିଲା।

ସମ୍ବନ୍ଧିତ ଖବର