ବିକ୍ଷୋଭ, ଧାରଣା ଉପରେ କଟକଣାର ପ୍ରତିବାଦ : କୋଭିଡ୍‌ ସଙ୍କଟକୁ ରାଜନୈତିକ ସ୍ବାର୍ଥ ପାଇଁ ବ୍ୟବହାର କରା ନ ଯାଉ

ଭୁବନେଶ୍ବର : କୋଭିଡ୍‌ ମହାମାରୀ ପରିପ୍ରେକ୍ଷୀରେ ଭୁବନେଶ୍ବରରେ ସମସ୍ତ ପ୍ରକାର ବିକ୍ଷୋଭ, ଧାରଣା, ଆନ୍ଦୋଳନ ଉପରେ କଟକଣା ଜାରି କରିଛି ବିଏମ୍‌ସି। ଏହା ସହ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ମକଦ୍ଦମା କରାଯାଇଛି। ଏହାକୁ ତୀବ୍ର ବିରୋଧ କରିଛନ୍ତି ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡା। କୋଭିଡ୍‌ ସଙ୍କଟକୁ ରାଜନୈତିକ ସ୍ବାର୍ଥ ପାଇଁ ବ୍ୟବହାର ନ କରିବା ସହ ସରକାର ତାଙ୍କ ଜନବି‌େରାଧୀ ନୀତିରୁ ଓହରିଯିବାକୁ ସେ ଦାବି କରିଛନ୍ତି। କୃଷକ, ଶ୍ରମିକ, ସାଧାରଣ ଜନତା ସର୍ବୋପରି ଦେଶ ବିରୋଧୀ ନୀତି ବିରୋଧରେ ପ୍ରତିବାଦ ହେବ। ସରକାରଙ୍କ ଲାଠି, ଗୁଳି, ମିଥ୍ୟା ମକଦ୍ଦମା ପ୍ରତିବାଦର କଣ୍ଠରୋଧ କରିପାରିବ ନାହିଁ ବୋଲି ସେ ଚେତାଇ ଦେଇଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି ଯେ ଶ୍ରମିକ ସଂଗଠନ, ରାଜନୈତିକ ନେତୃତ୍ୱ ଓ ସାମାଜିକ କର୍ମୀ ସର୍ବୋପରି ସାଧାରଣ ମଣିଷ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଭା‌େବ ପ୍ରତିବାଦ କରିବା ଏକ ସାମ୍ବିଧାନିକ ଅଧିକାର। ଓଡ଼ିଶା ସରକାର ଓ ଭୁବନେଶ୍ୱର କମିସନରେଟ୍ ପୁଲିସ୍ ଆଜି ଏହି ଅଧିକାରକୁ ଛଡ଼ାଇ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ସାମାଜିକ ଦୂରତା ରକ୍ଷା କରି ଶାନ୍ତିପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ ଉପାୟରେ ସରକାରଙ୍କ ଜନବିରୋଧୀ ନୀତିର ପ୍ରତିବାଦ କଲେ ପ୍ରଶାସନ ରାଜନୈତିକ ଉଦ୍ଦେଶ୍ୟ ରଖି ମିଥ୍ୟା ମକଦ୍ଦମା ରୁଜୁ କରୁଛି। ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ପ୍ରତି ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। କର୍ପୋରେଟ ସ୍ୱାର୍ଥରେ ଶ୍ରମ ଆଇନ ପରିବର୍ତ୍ତନ, ଠିକା ଚାଷର ପ୍ରଚଳନ, ଶ୍ରମିକଙ୍କ ପାଇଁ ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ପରିବର୍ତ୍ତନ, ୧୯୫୫ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ପରିବର୍ତ୍ତନ ଆଦି ପଦକ୍ଷେପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲ ମୁଖାକୁ ଖୋଲି ଦେଇଛି। ଆତ୍ମନିର୍ଭର ଭାରତ ନାମରେ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନିଙ୍କ ପାଖରେ ସରକାର ଆତ୍ମସମର୍ପଣ କରିଛନ୍ତି। ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ହେଉଛି। କୋଭିଡ୍‌-୧୯କୁ ପ୍ରତିରୋଧ କରିବା ପାଇଁ ଏସବୁ କ’ଣ ସରକାରୀ ପଦକ୍ଷେପ? ଶ୍ରମିକ, କୃଷକ ଓ ସାଧାରଣ ଜନତାଙ୍କ ଉପରେ ଆକ୍ରମଣ କରି ସରକାର କ’ଣ କରୋନା ଲଢ଼େଇ ଲଢ଼ିବାକୁ ଚାହୁଁଛନ୍ତି କି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ମୁକାବିଲା ମନୋଭାବ ଛାଡ଼ି କୋଭିଡ୍‌ ସଙ୍କଟର ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳ, ବିଶେଷଜ୍ଞ ଓ ସାଧାରଣ ଜନତାଙ୍କୁ ସରକାର ଆସ୍ଥାକୁ ନେବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର