ଭୁବନେଶ୍ୱର: ଦ୍ୱାଦଶ ଓଡ଼ିଆ ଫିଲ୍ମ ‘ପରିଣାମ’ ୧୯୬୦ ମସିହା ନଭେମ୍ବର ୩ ତାରଖରେ କଟକର କ୍ୟାପିଟାଲ୍‌, ପୁରୀର ଶ୍ରୀକୃଷ୍ଣ ଓ ଆସ୍କାର ଉତ୍କଳ ଟକିଜ୍‌ରେ ମୁକ୍ତିଲାଭ କରଥିଲା। କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମାଙ୍କ ନିବେଦିତ ତଥା ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ ପ୍ରଯୋଜିତ ‘ପରିଣାମ’ରେ ଅଧିକାଂଶ ନବାଗତ ଅଭିନୟ କରଥିଲେ। ନବାଗତ ପ୍ରମୋଦ ପାଣିଗ୍ରାହୀ, ଦୁଃଖୀରାମ ସ୍ୱାଇଁ, ଗୀତିସୁଧା, ତୁଷାର ପାଣିଗ୍ରାହୀଙ୍କ ସହ ତତ୍କାଳୀନ ମଂଚଜଗତର ପ୍ରଖ୍ୟାତ ଅଭିନେତା ଅଭିନେତ୍ରୀ, ଯଥା ମାଷ୍ଟର ମାଣିଆ, ପୂର୍ଣ୍ଣ ଚାନ୍ଦ, ସୁନ୍ଦରମଣି, କିଶୋରୀ ଦେବୀ ଓ କାର୍ତ୍ତିକ କୁମାର ଘୋଷ ଏହି ଫିଲ୍ମରେ ଅଭିନୟ କରିଥିଲେ। ଏହା ଥିଲା ପ୍ରଖ୍ୟାତ ଅଭିନେତା ଧୀରେନ୍ଦ୍ର ବିଶ୍ୱାଳଙ୍କର ଅଭିନୀତ ତୃତୀୟ ଫିଲ୍ମ। ଭୁବନେଶ୍ୱର ମିଶ୍ରଙ୍କ ସଂଗୀତ ସଂଯୋଜନାରେ ‘ପରିଣାମ’ରେ ଥିବା ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି, ସନ୍ଧ୍ୟା ମୁଖାର୍ଜୀ ଓ ନିର୍ମଳା ମିଶ୍ର। ୯୦ ମିନିଟ ଅବଧିର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱନାଥ ନାୟକ। ଗାୟକ ଭାବେ ଏହା ଥିଲା ଅକ୍ଷୟ ମହାନ୍ତିଙ୍କର ତୃତୀୟ ଫିଲ୍ମ।

Advertisment

ଏକଦା ବହୁମାତ୍ରାରେ ଦର୍ଶକପ୍ରିୟ ହୋଇଥିବା ଏହି ଫିଲ୍ମଟି କିନ୍ତୁ ସମୟ ଗର୍ଭରେ ବିଲୁପ୍ତ ହୋଇଯାଇଥିଲା। ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ୍ ପକ୍ଷରୁ ପ୍ରକାଶିତ ଲୋକପ୍ରିୟ ଓଡ଼ିଆ ଫିଲ୍ମ ପତ୍ରିକା ‘ସିନେ ସମ୍ବାଦ’ର ଚତୁର୍ଥ ବର୍ଷ, ନବମ ସଂଖ୍ୟା, ଏପ୍ରିଲ ୧୯୮୯ରେ ପ୍ରକାଶିତ ଏକ ସାକ୍ଷାତକାରରେ ପ୍ରଯୋଜକ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା କହିଥିଲେ ଯେ ୧୯୬୯ ବନ୍ୟାରେ ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନର ସବୁତକ ପ୍ରିଣ୍ଟ ନଷ୍ଟ ହୋଇଗଲା ଏବଂ ସେସବୁ ମିଳିବାର ସମ୍ଭାବନା ଖୁବ୍ କମ୍। ଅତଏବ ‘ପରିଣାମ’ ଯେ ଆଉଥରେ ଦେଖିହେବ, ସେ ଆଶା ଆଉ ନ ଥିଲା। ତେବେ ଇତିମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଗବେଷଣା, ସଂରକ୍ଷଣ ଓ ଅଭିଲେଖ କ୍ଷେତ୍ରରେ କାର୍ଯ୍ୟ କରୁଥିବା ‘ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍‌’ ଓଡ଼ିଆ ଫିଲ୍ମର ଇତିହାସ ଦୃଷ୍ଟିରୁ ଯଥେଷ୍ଟ ଗୁରୁତ୍ତ୍ବ ବହନ କରୁଥିବା ‘ପରିଣାମ’ର ପ୍ରିଣ୍ଟ ଆସ୍କାରୁ ସଂଗ୍ରହ କରି ଆଧୁନିକ ଜ୍ଞାନକୌଶଳ ଜରିଆରେ ଏହାକୁ ରିଷ୍ଟୋର୍‌ କରି ପରବର୍ତ୍ତୀ ପିଢ଼ି ପାଇଁ ଡିଜିଟାଲ୍‌ ମାଧ୍ୟମକୁ ରୂପାନ୍ତରିତ କରିଛି।

ଫୋରମ୍ ପକ୍ଷରୁ ନଭେମ୍ବର ୭ ତାରିଖ, ମଙ୍ଗଳବାର ସଂଧ୍ୟା ୬ଟା ୧୫ ସମୟରେ ସ୍ଥାନୀୟ ଜୟଦେବ ଭବନଠାରେ ‘ପରିଣାମ’ର ଏକ ଅଣବ୍ୟାବସାୟିକ ସ୍କ୍ରିନିଂ ସହିତ ଏକ ବିବରଣୀ ପୁସ୍ତକ ଉନ୍ମୋଚନ ହେବାର ଯୋଜନା ରହିଛି। ପ୍ରଯୋଜକ ଶ୍ରୀ ତ୍ରିପାଠୀ ଶର୍ମାଙ୍କ କଥାକୁ ହିସାବକୁ ନେଲେ ଏ ଫିଲ୍ମର ଶେଷତମ ପ୍ରଦର୍ଶନ ୧୯୬୯ ବା ତା’ ପୂର୍ବରୁ ହିଁ ହୋଇଥିଲା। ତେଣୁ ଅତିକମ୍‌ରେ ଦୀର୍ଘ ୫୩ ବର୍ଷ ପରେ ‘ପରିଣାମ’ ପରଦା ଉପରକୁ ଆସୁଛି। ଏହି ଅବସରରେ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ୨ଜଣ ଓଡ଼ିଆ- ‘ପ୍ରତୀକ୍ଷା’ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଓ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ହିଲିଂ ଟଚ୍‌’ର ନିର୍ଦ୍ଦେଶକ ଶ୍ୱେତ କୁମାର ଦାଶଙ୍କୁ ଫୋରମ୍ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ। ‘ପରିଣାମ’ର କେତେକ ସ୍ଥିରଚିତ୍ର ମଧ୍ୟ ଉତ୍ସବସ୍ଥଳରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।