ଜୁନିୟର୍‌ ମାଥ୍‌ମେଟିକ୍ସ ଅଲିମ୍ପିଆଡ୍‌ ପରୀକ୍ଷାଫଳ, ଡିଏଭି ଚନ୍ଦ୍ରଶେଖରପୁରର ଅର୍ଣ୍ଣବ ରାଜ୍ୟ ଟପର୍‌

ଭୁବନେଶ୍ବର: ସଂପ୍ରତି ପ୍ରକାଶ ପାଇଥିବା ଜୁନିୟର୍‌ ମାଥ୍‌ମେଟିକ୍ସ ଅଲିମ୍ପିଆଡ୍‌ ପରୀକ୍ଷାଫଳରେ ସ୍ଥାନୀୟ ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଚନ୍ଦ୍ରଶେଖରପୁରର ଛାତ୍ର ଅର୍ଣ୍ଣବ କୁମାର ବିଶୋୟୀ ରାଜ୍ୟରେ ଟପର୍‌ ହୋଇଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଥ୍‌ମେଟିକ୍ସ ଏଣ୍ଡ ଆପ୍ଲିକେସନ୍‌ ଆନୁକୂଲ୍ୟରେ ଓଡ଼ିଶା ମାଥ୍‌ମେଟିକାଲ୍‌‌ ସୋସାଇଟି ଉତ୍କଳ ବିଶ୍ବବିଦ୍ୟାଳୟ ଗଣିତ ବିଭାଗ ଦ୍ବାରା ପରିଚାଳିତ ‌ଏହି ସମ୍ମାନଜନକ ପରୀକ୍ଷା‌ରେ ଓଡ଼ିଶାର ବିଭିନ୍ନ ବର୍ଗର ବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସମୁଦାୟ ୧୩୨ଜଣ ଏଥିରେ କୃତିତ୍ବ ଅର୍ଜନ ସହ ଉତ୍ତୀର୍ଣ୍ଣ ହୋଇଥିବା ସ୍ଥଳେ କେବଳ ଡିଏଭି ଚନ୍ଦ୍ରଶେଖରପୁରରୁ ସର୍ବାଧିକ ୩୭ଜଣ ଏଥିରେ ସ୍ଥାନ ପାଇଛନ୍ତି। ଜାନୁଆରି ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀଯାଏ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ସ୍ବତନ୍ତ୍ର ଭାବେ ଉଚ୍ଚତର ଅଲିମ୍ପିଆଡ୍‌ ନିମନ୍ତେ ବିଶାରଦମଣ୍ଡଳୀ ଦ୍ବାରା ପ୍ରଶିକ୍ଷିତ ହେବାର କାର୍ଯ୍ୟକ୍ରମ ରହିଛି। ଗଣିତ ବିଷୟ ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ ସୃଷ୍ଟି ସହ ଉଚ୍ଚତର ଗବେଷଣା ସକାଶେ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି ଅଲିମ୍ପିଆଡ୍‌ରେ ଡିଏଭି ଚନ୍ଦ୍ରଶେଖରପୁର ଲଗାତାର ଭାବରେ ଶୀର୍ଷସ୍ଥାନ ମଣ୍ଡନ କରି ଆସୁଛି। ଏହି ଅନୁପମ କୃତିତ୍ବ ନିମନ୍ତେ ବିଦ୍ୟାଳୟ ଚେୟାରମ୍ୟାନ୍‌ ମଦନମୋହନ ପଣ୍ଡା, ପ୍ରିନ୍ସିପାଲ ଡ. କେଶବ ଚନ୍ଦ୍ର ଶତପଥୀ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟାଳୟ ଗଣିତ ବିଭାଗ ଓ ଇନ୍‌ଚାର୍ଜ ଶିକ୍ଷକ ଜିତେନ୍ଦ୍ର କୁମାର ହୋତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର