କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ରେଟିନା ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ଅତ୍ୟାଧୁନିକ ପଦ୍ଧତିରେ ହେଉଥିବା ଏହି ଜଟିଳ ଅସ୍ତ୍ରୋପଚାର ରୋଗୀଙ୍କୁ ମାଗଣାରେ ମିଳିପାରିବ। ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ ବା ଓଟିର ବ୍ୟବସ୍ଥା କରିଛନ୍ତି। ହସ୍ପିଟାଲରେ ରେଟିନା ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ କ୍ୟାପିଟାଲ ହସ୍ପିଟାଲର ଚକ୍ଷୁରୋଗ ବିଶେଷଜ୍ଞ ଡା. ଅଶ୍ବିନୀ ମେହେର୍ଦା ଏଥିପାଇଁ ଦିଲ୍ଲୀ ଏମ୍‌ସରେ ସ୍ବତନ୍ତ୍ର ଭାବେ ତାଲିମ ଗ୍ରହଣ କରିଥିଲେ। ଗତକାଲିଠାରୁ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର ଆରମ୍ଭ ହେବା ସହ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ହୋଇଛି। ଏହାସହ ହସ୍ପିଟାଲରେ ଦିନକୁ ୧୦/୧୫ଜଣ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଉଛି। ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ଚକ୍ଷୁରେ ଗ୍ଲୁକୋମା ସମସ୍ୟା ଭୋଗୁଥିବା ରୋଗୀଙ୍କୁ ମଧ୍ୟ ରାନିବିଜୁମା ଇଞ୍ଜେକସନ୍ ମାଗଣାରେ ଦିଆଯାଉଛି। ଏହି ଇଞ୍ଜେକସନ୍‌ର ମୂଲ୍ୟ ବଜାରରେ ୨୦/୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଘରୋଇ ଡାକ୍ତରଖାନାରେ ରେଟିନା ଅସ୍ତ୍ରୋପଚାର ପାଇଁ ରୋଗୀଙ୍କୁ ୪୦/୫୦ହଜାର ଟଙ୍କା ଖର୍ଚ କରିବାକୁ ପଡ଼ୁଥିବା ବେଳେ ଏଠାରେ ମାଗଣାରେ ଉପଲବ୍ଧ ହେବ।

ଉଲ୍ଲେଖ ଯେ, ରାଜ୍ୟରେ ସୁନେତ୍ର ଯୋଜନା ଆରମ୍ଭ ହୋଇଥିବା ବେଳେ ଏହି ଯୋଜନାରେ ଚକ୍ଷୁ ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଯୋଜନା ଆରମ୍ଭ ହେବାର ୫ବର୍ଷ ମଧ୍ୟରେ ରାଜ୍ୟରେ ୨୫ ପ୍ରତିଶତ ଅନ୍ଧତ୍ବ ଦୂରୀକରଣ ଲକ୍ଷ୍ୟ ରଖାଯାଇଛି। ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା ଏହାର ତଦାରଖ କରୁଛନ୍ତି। ରାଜ୍ୟ ଔଷଧ ନିଗମ ପକ୍ଷରୁ ଏଥିପାଇଁ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତ କ୍ୟାପିଟାଲ ହସ୍ପିଟାଲ ସମେତ ମେଡିକାଲ କଲେଜଗୁଡ଼ିକୁ ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର