ରେଟିନା ଅସ୍ତ୍ରୋପଚାର ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ରେ ନୂଆ ଓଟି

ବେସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନର ଡାକ୍ତରଙ୍କୁ ମିଳିବ ସୁଯୋଗ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଭାଗରେ ଏକ ନୂତନ ଓଟି ବା ଅସ୍ତ୍ରୋପଚାର ଗୃହ ଆରମ୍ଭ ହେବ। ଏହି ଓଟିରେ କେବଳ ରେଟିନା ଅସ୍ତ୍ରୋପଚାର କରାଯିବ। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଥିବା ଓଟିରେ କେବଳ ମୋତିଆବିନ୍ଦୁ ଆସ୍ତ୍ରୋପଚାର ହେଉଥିଲା। ଯାହାଫଳରେ ରେଟିନା ଅସ୍ତ୍ରୋପଚାର ପାଇଁ ରୋଗୀଙ୍କୁ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ତେବେ କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ ଏହି ସୁବିଧା ମିଳିପାରିବ। ଖୁବଶୀଘ୍ର ଏହି ଓଟି ଉଦ୍‌ଘାଟିତ ହେବ ବୋଲି ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ବିଶ୍ୱ ବ୍ୟାଙ୍କ ସହାୟତାରେ ମୋତିଆବିନ୍ଦୁର ଅସ୍ତ୍ରୋପଚାର ପାଇଁ ଏକ ଓଟି ଖୋଲିଥିଲା। ମୋତିଆବିନ୍ଦୁ ରୋଗୀଙ୍କ କ୍ଷେତ୍ରରେ ସଂକ୍ରମଣର ଅଧିକ ଆଶଙ୍କା ଥିବାରୁ ସେହି ଓଟିରେ ଅନ୍ୟ କୌଣସି ଅସ୍ତ୍ରୋପଚାର ନ ହେବାର ନିୟମ ରହିଛି। ଯାହାଫଳରେ ଯେଉଁ ରୋଗୀଙ୍କ ରେଟିନା ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ତାହା କ୍ୟାପିଟାଲ ହସ୍ପିଟାଲରେ ସମ୍ଭବ ହୋଇପାରୁ ନ ଥିଲା। ମାସକୁ ୨୦/୨୫ଜଣ ଏଭଳି ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଘରୋଇ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର ୨୫/୩୦ ହଜାର ଟଙ୍କା ଖର୍ଚ କରିବାକୁ ପଡ଼ୁଛି। ତେବେ ନୂତନ ଓଟି କାର୍ଯ୍ୟକ୍ଷମ ହେବା ପରେ ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ଖର୍ଚାନ୍ତ ହେବାକୁ ପଡ଼ିବ ନାହିଁ। ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ପକ୍ଷରୁ ଏଥିପାଇଁ ଅର୍ଥ ଯୋଗାଇ ଦିଆଯାଇଛି। ନିକଟରେ ଓଟି ପାଇଁ ଆବଶ୍ୟକ ଯନ୍ତ୍ରପାତି ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହୋଇଛି। ଏଥିପାଇଁ ହସ୍ପିଟାଲର ଚକ୍ଷୁ ବିଭାଗର ଜଣେ ଡାକ୍ତର ସ୍ୱତନ୍ତ୍ରଭାବେ ଦିଲ୍ଲୀରେ ତାଲିମ ଗ୍ରହଣ କରିଛନ୍ତି। ଅପରପକ୍ଷରେ ପ୍ରଥମଥର ଲାଗି ଏହି ଓଟିରେ ଘରୋଇ ଚକ୍ଷୁ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ଅସ୍ତ୍ରୋପଚାରର ସୁଯୋଗ ମିଳିବ। ଯେଉଁ ଡାକ୍ତରଙ୍କ ଆବଶ୍ୟକ ଯୋଗ୍ୟତା ସହିତ ଅଭିଜ୍ଞତା ରହିଛି ସେମାନେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ କରିବା ପରେ ହସ୍ପିଟାଲ କର୍ତୃପକ୍ଷ ଏ ନେଇ ବିଚାର କରିବେ। ତେବେ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଘରୋଇ ଡାକ୍ତରଙ୍କ ଅନୁମତି ଦିଆଯିବା ଫଳରେ ଅସ୍ତ୍ରୋପଚାରର ମାତ୍ରା ବଢ଼ିବ। ପ୍ରଥମଥର ଲାଗି ଘରୋଇ ହସ୍ପିଟାଲର ଡାକ୍ତରଙ୍କୁ ସରକାରୀ ଡାକ୍ତରଖାନାରେ ଅସ୍ତ୍ରୋପଚାର କରିବାର ସୁଯୋଗ ମିଳିବ ବୋଲି ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର