କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ଅତ୍ୟାଧୁନିକ ରେଟିନା ଚିକିତ୍ସା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ଆରମ୍ଭ ହେବ ଅତ୍ୟାଧୁକି ରେଟିନା ଚିକିତ୍ସା। ଘରୋଇ ହସ୍ପିଟାଲରେ ଏହି ଚିକିତ୍ସା ବ୍ୟୟବହୁଳ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଏହା ମାଗଣାରେ ଉପଲବ୍ଧ ହେବ। ହସ୍ପିଟାଲର ଚକ୍ଷୁ ଵାର୍ଡର ନୂତନ ଅସ୍ତ୍ରୋପଚାର ଗୃହରେ ୪ଟି ଅତ୍ୟାଧୁନିକ ମାଇକ୍ରୋସ୍କୋପ୍‌ ବ୍ୟବସ୍ଥା ସହିତ ମୋତିଆବିନ୍ଦୁ ଓ ରେଟିନା ରୋଗୀମାନଙ୍କ ପାଇଁ ପୃଥକ ପୃଥକ ଅସ୍ତ୍ରୋପଚାରର ସୁବିଧା ରହିବ ବୋଲି ସୂଚନା ମିଳିଛି। ମଧୁମେହରେ ଆକ୍ରାନ୍ତ ଚକ୍ଷୁରୋଗୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏଥିପାଇଁ ଆବଶ୍ୟକ ପଡ଼ୁଥିବା ବ୍ୟୟବହୁଳ ଇଞ୍ଜେକସନ୍‌ ବଜାରରେ ୨୦/୨୫ହଜାର ଟଙ୍କା ପଡ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ମାଗଣାରେ ଦିଆଯାଉଛି। ଏହି ଇଞ୍ଜେକସନ୍‌ ନେବା ପରେ ମଧୁମେହ ଆକ୍ରାନ୍ତ ଚକ୍ଷୁରୋଗୀ ଯେଉଁମାନଙ୍କର ଗ୍ଲୁକୋମା ଜନିତ ସମସ୍ୟା ରହିଛି ସେମାନେ ତୁରନ୍ତ ଦେଖିବାରେ ସକ୍ଷମ ହୋଇପାରୁଛନ୍ତି। ଅପରପକ୍ଷରେ ଆସନ୍ତା ମାସକ ମଧୢରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କୁ ରେଟିନା ଚିକିତ୍ସା ମାଗଣାରେ ମିଳିପାରିବ। ଘରୋଇ ହସ୍ପିଟାଲରେ ଏଥିପାଇଁ ଜଣକୁ ୪୦/୫୦ହଜାର ଟଙ୍କା ଖର୍ଚ କରିବାକୁ ପଡ଼ୁଥିବା ବେଳେ ରାଜ୍ୟ ସରକାର ‘ସୁନେତ୍ର’ ଯୋଜନାରେ ଏହି ସୁବିଧା ଯୋଗାଇ ଦେବେ। ପ୍ରାୟ ୬୦ଲକ୍ଷ ଟଙ୍କ ବ୍ୟୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଓଟିରେ ଆହୁରି ଅଧିକ ରୋଗୀଙ୍କ ଅସ୍ତ୍ରୋପଚାର ହୋଇପାରିବ ବୋଲି ଆଶା କରାଯାଉଛି। ଏହାସହ ଅତ୍ୟାଧୁନିକ ଗ୍ରିନଲେଜର୍‌ ମାଧୢମରେ ମଧୢ ଚକ୍ଷୁ ଚିକିତ୍ସା କରାଯାଉଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ଉଲ୍ଲେଖ ଯେ, ‘ସୁନେତ୍ର’ ଯୋଜନାରେ ରାଜ୍ୟ ସରକାର ଚକ୍ଷୁ ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ସହିତ ଚଷମା ଯୋଗାଇ ଦେଉଛନ୍ତି। ଏଥିପାଇଁ ୫୦ଟି ଦୃଷ୍ଟିକେନ୍ଦ୍ର ସ୍ଥାପନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୧୦ଟି ଜିଲ୍ଲାରେ ଭ୍ରାମ୍ୟମାଣ ଦୃଷ୍ଟିକେନ୍ଦ୍ର ମଧୢ ଆରମ୍ଭ ହେବ। ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷାକୁ ବ୍ୟାପକ କରାଯିବା ସହିତ ସାର୍ବଜନୀନ ଚକ୍ଷୁସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ଡିଜିଟାଲ କରାଯିବାକୁ ବ୍ୟବସ୍ଥା କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର