ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ୪୪ ନମ୍ବର ୱାର୍ଡ ଅନ୍ତର୍ଗତ ବଡ଼ଗଡ଼ରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏନ୍ଫୋର୍ସମେଣ୍ଟ ଟିମ୍ରେ ଥିବା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ଼ ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ କରି ଆଜି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ଙ୍କ ସହ ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟ ଘେରଉ କରିଛନ୍ତି। ପ୍ରବେଶପଥରେ ଗଣଧାରଣା ଦେଇଛନ୍ତି। ଏହାକୁ କେନ୍ଦ୍ର କରି ବିଏମ୍ସି ମୁଖ୍ୟାଳୟରେ ପ୍ରବଳ ପାଟିତୁଣ୍ଡ ଦେଖିବାକୁ ମିଳିଛି। ଅବସରପ୍ରାପ୍ତ ସେନା କର୍ମଚାରୀମାନେ ମେୟର ଓ କର୍ପୋରେଟର୍ଙ୍କ ଇସ୍ତଫା ଦାବି କରିଛନ୍ତି।
ବିବାଦ ଜୋର ଧରିବାରୁ ମେୟରଙ୍କ ଚାମ୍ବରରେ ମେୟର ସୁଲୋଚନା ଦାସ, କମିସନର୍ ରାଜେଶ ପ୍ରଭାକର ପାଟିଲ୍ ପ୍ରମୁଖଙ୍କ ଉପସ୍ଥିତିରେ ଆପୋସ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ନେଇ ବୈଠକ ଡକାଯାଇଥିଲା। ବୈଠକରେ ଉଭୟ ମେୟର ଶ୍ରୀମତୀ ଦାସ ଓ କର୍ପୋରେଟର୍ ଅଜିତ ବେହେରା ଘଟଣା ପାଇଁ ହାତଯୋଡ଼ି କ୍ଷମା ପ୍ରାର୍ଥନା କରିଥିଲେ। ଏହା ସତ୍ତ୍ବେ ବି ଅବସରପ୍ରାପ୍ତ ସେନା କର୍ମଚାରୀମାନେ ବୁଝିନାହାନ୍ତି। ଦାବି ପୂରଣ ନ ହେଲେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଭୁବନେଶ୍ବର ମହାନଗର ନିଗମର ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଜବରଦଖଲ ଉଚ୍ଛେଦ ବେଳେ ଏହି ସ୍କ୍ବାଡ୍ ବିଏମ୍ସି ଅଧିକାରୀଙ୍କ ସହ ଯାଉଛନ୍ତି। ଆନ୍ଦୋଳନରେ ଥିବା ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଓ ଅବସରପ୍ରାପ୍ତ ସେନା କର୍ମଚାରୀ ଅଭିଯୋଗ କରିଛନ୍ତି, ଗତକାଲି ବଡ଼ଗଡ଼ରେ ଜବରଦଖଲ ଉଚ୍ଛେଦ ବେଳେ କର୍ପୋରେଟର୍ ଶ୍ରୀ ବେହେରା ଓ ଅନ୍ୟମାନେ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ଙ୍କୁ ମାଡ଼ ମାରିଥିଲେ। ଏଥିରେ ଅବସରପ୍ରାପ୍ତ ସେନା ଅଧିକାରୀ ସଞ୍ଜୟ ସ୍ବାଇଁ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହା ବିରୋଧରେ ଥାନାରେ ଅଭିଯୋଗ ହୋଇଛି।
ଅପରପକ୍ଷେ ଘଟଣା ସଂପର୍କରେ ମେୟର ଓ କମିସନର୍ଙ୍କୁ ଅଭିଯୋଗ କରିଥିଲୁ। କିନ୍ତୁ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଦେଶ ପାଇଁ ଲଢ଼ି ଅବସର ପରେ ସେନା କର୍ମଚାରୀମାନେ ପେଟପାଟଣା ପାଇଁ ଏଠାରେ ଆସି ସମ୍ମାନର ସହ କାମ କରୁଛନ୍ତି। ଉଚ୍ଛେଦ ବେଳେ ଆଇନଶୃଙ୍ଖଳା ପରିସ୍ଥିତିରେ ସବୁବେଳେ ଆଗରେ ଛିଡ଼ା ହେଉଛନ୍ତି। ତେଣୁ ବଡ଼ଗଡ଼ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ୪୪ ନମ୍ବର ୱାର୍ଡ କର୍ପୋରେଟର୍ ଶ୍ରୀ ବେହେରା କହିଛନ୍ତି, ଗତକାଲି ଜବରଦଖଲ ଉଚ୍ଛେଦ ବେଳେ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ରେ ଥିବା ଅବସରପ୍ରାପ୍ତ ସେନା କର୍ମଚାରୀମାନେ ଲୋକଙ୍କୁ ଯେଉଁଭଳି ବ୍ୟବହାର କଲେ, ତାହା ଗ୍ରହଣଯୋଗ୍ୟ ନୁହେଁ। ଲୋକଙ୍କୁ ତୁ..ତା.. କରି କହି ନାଲିଆଖି ଦେଖାଇଥିଲେ। ଯାହାକୁ ଲୋକେ ସହଜରେ ଗ୍ରହଣ କରି ପାରିନଥିଲେ। ଏଥିପାଇଁ ଲୋକଙ୍କ ସହ ସ୍କ୍ବାଡ୍ଙ୍କ ଯୁକ୍ତିତର୍କ ହୋଇଥିଲା। ଏହା ସେଭଳି ବଡ଼ ଘଟଣା ନୁହେଁ ବୋଲି ସେ କହିଛନ୍ତି। ବିଏମ୍ସି ଡେପୁଟି କମିସନର୍(ଏନ୍ଫୋର୍ସମେଣ୍ଟ) ଅଜୟ ମହାନ୍ତି କହିଛନ୍ତି, ଗତକାଲିର ଘଟଣାକୁ ନେଇ ଆନ୍ଦୋଳନ ପରେ ଆପୋସ ବୁଝାମଣା ପାଇଁ ମେୟର ଓ କମିସନର୍ ଦୁଇପକ୍ଷଙ୍କୁ ଡାକିଥିଲେ। କିନ୍ତୁ ଆଜି ଘଟଣାର ସମାଧାନ ହୋଇପାରିନି। ପରବର୍ତ୍ତୀ ସମୟରେ ପୁନର୍ବାର ଆଲୋଚନା ହେବ। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।