ଭୁବନେଶ୍ବର: ଏକଦା ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ଆଞ୍ଚଳିକ ପ୍ରବନ୍ଧକ ଭଳି ଉଚ୍ଚ ପଦବିରେ ଅଧିଷ୍ଠିତ ଥିଲେ। ତେଣୁ କହିବା ନିଷ୍ପ୍ରୟୋଜନ ସେ କେତେ ଟଙ୍କା ଦରମା ପାଉଥିଲେ ଏବଂ କେତେ ଧନୀ ଥିଲେ। ରାଜଧାନୀରେ ଥିଲା ଏକାଧିକ କୋଠା। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରିବିହାରସ୍ଥିତ ଜିଏ ପ୍ଲଟ୍ରେ ଥିଲା ଏକ ଦାମୀ ଘର। ପୈତୃକ ଭିଟାମାଟି ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଥିଲା ଅମାପ ସମ୍ପତ୍ତି। ମାତ୍ର ଶେଷ ଜୀବନ ଥିଲା ବଡ଼ ଦୟନୀୟ। ଶେଷ ୫ବର୍ଷର ନିଃସଙ୍ଗ ଜୀବନ ବଡ଼ କଦର୍ଯ୍ୟରେ କଟିଥିଲା। ଘରେ ନଥିଲା ବିଜୁଳି, ନ ଥିଲା ପାଣି। ଏକାଏକା ରହୁଥିଲେ ଘନ ଅନ୍ଧାର ଭିତରେ। ପର ହାତଟେକାକୁ ଘୃଣା କରୁଥିଲେ। ତେଣୁ କାଠଜାଳରେ ନିଜ ହାତରେ ରାନ୍ଧି ଦର ସିଝା ଖାଇ ବଞ୍ଚୁଥିଲେ। କେତେବେଳେ କ’ଣ ଖାଉଥିଲେ କି ଉପାସରେ ରହୁଥିଲେ, ଦେଖିବାକୁ ପାଖରେ କେହି ନଥିଲେ। ସ୍ତ୍ରୀ, ପିଲାପିଲି ଥାଇ ବି ନଥିଲା ଭଳି। ସମସ୍ତେ ପର କରି ଦେଇଥିଲେ। ଶେଷରେ ସମସ୍ତଙ୍କ ଅଲକ୍ଷ୍ୟରେ ତାଙ୍କର ଅତି ଆପଣାର ପ୍ରାଣବାୟୁ ବି ତାଙ୍କୁ ଛାଡ଼ି ଚାଲିଯାଇଛି। ପ୍ରାୟ ୪ ଦିନ ପରେ ଆଜି ତାଙ୍କ ଗଳିତ ମୃତଦେହ ମିଳିଛି। ଆଜି ନୀଳାଦ୍ରିବିହାର ଜିଏ ପ୍ଲଟ୍ରୁ ଜବତ ହୋଇଥିବା ଏହି ବରିଷ୍ଠ ନାଗରିକ ହେଲେ ରବିନ୍ ଶତପଥୀ। ଚନ୍ଦ୍ରଶେଖରପୁର ଥାନା ପୁଲିସ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ।
କଟିଯାଇଥିଲା ଘରର ବିଜୁଳି ଓ ପାଣି ସଂଯୋଗ
ଆଜି ଅପରାହ୍ଣରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରିବିହାର ଜିଏ ପ୍ଲଟ୍ ୧୭୫ରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଅବସର ପରେ ପ୍ରାୟ ୫ବର୍ଷ ହେଲା ଏକାକୀ ରହୁଥିବା ରବିନ ଶତପଥୀଙ୍କ ମୃତ୍ୟୁ ହୋଇଛି ବୋଲି ପଡ଼ୋଶୀମାନେ ନିଶ୍ଚିତ ହେବା ପରେ ପୁଲିସକୁ ଫୋନ୍ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ସତ ହୋଇଥିଲା। ପ୍ରାୟ ୪/୫ ଦିନ ତଳୁ ରବିନଙ୍କ ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଇଛି। ପୁଲିସ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲା। ଜଣେ ପଡ଼ୋଶୀଙ୍କ କହିବା କଥା ମହାମାରୀ କରୋନା ପରଠୁ ସେ ଏଠାରେ ଏକାକୀ ରହୁଥିଲେ। ପରିବାର ଲୋକେ ତାଙ୍କ ପାଖକୁ ଆସୁନଥିଲେ। ପାରିବାରିକ ବିବାଦ କ’ଣ ଥିଲା, ସେନେଇ କେହି କିଛି ଜାଣିନାହାନ୍ତି। କାରଣ ରବିନ ସବୁବେଳେ ଏକାଏକା ରହିବାକୁ ପସନ୍ଦ କରୁଥିଲେ। କାହା ସହ ମିଳାମିଶା କରୁନଥିଲେ। ଏକଦା ତାଙ୍କ ଘରର ବିଜୁଳି ଓ ପାଣି ସଂଯୋଗ କାଟି ଦିଆଗଲା। ସେ ସେମିତି ସେଇ ଘରେ ରହୁଥିଲେ। ବାହାରୁ କାଠଜାଳ ଗୋଟାଇ ନେଇ ଘର ଭିତରେ କ’ଣ ସବୁ ରାନ୍ଧୁଥିଲେ। କେହି କେବେ ଯାଚିଲେ ମଧ୍ୟ ଖାଦ୍ୟ ଗ୍ରହଣ କରୁନଥିଲେ। ତାଙ୍କ ମାନସିକ ସ୍ଥିତି ସୁସ୍ଥ ନଥିବାରୁ ପଡ଼ୋଶୀମାନେ ମଧ୍ୟ ତାଙ୍କ କଥାରେ ମୁଣ୍ଡ ଖେଳାଉ ନଥିଲେ। ଆଜି ତାଙ୍କ ମୃତ୍ୟୁରେ ନୀଳାଦ୍ରିବିହାରରେ ଶୋକର ଛାୟା ଖେଳିଯାଇଛି। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଥିଲା, ‘ରହସ୍ୟ ହୋଇ ରହିଗଲେ ରବିନ।’