ଭୁବନେଶ୍ବର: ଗ୍ରହ ପଥର ମାୟାରେ ପଡ଼ି ଅବସରପ୍ରାପ୍ତ ଡିଏସ୍‌ପି ବରେନ୍ଦ୍ର ନାରାୟଣ ମହାପାତ୍ର ୪୦ ହଜାର ଟଙ୍କା ହରାଇଛନ୍ତି। ଜଣେ ଜ୍ୟୋତିଷ ତାଙ୍କୁ ନକଲି ଗ୍ରହ ପଥର ଦେଇ ୪୦ ହଜାର ଟଙ୍କା ଠକି ନେଇଛି ବୋଲି ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ ଗତ ଜୁଲାଇ ୧୦ତାରିଖରେ ସେ ସିଆର୍‌ପିସ୍ଥିତ ଜ୍ୟୋତିର୍ବିଦ୍ ଭକ୍ତ ଦାସଙ୍କୁ ଏକ ହଳଦିଆ ନୀଳମଣି(ୟେଲୋ ସାଫିୟର୍) ପଥର ପାଇଁ ବରାଦ ଦେଇଥିଲେ।

Advertisment

ଏହି ଗ୍ରହ ପଥର ପାଇଁ ଜ୍ୟୋତିର୍ବିଦ୍‌ ଶ୍ରୀ ଦାସ ୪୦ ହଜାର ଟଙ୍କା ଦାବି କରିଥିଲେ। ଦାବି ମୁତାବକ ଶ୍ରୀ ମହାପାତ୍ର ୪୦ ହଜାର ଟଙ୍କା ଦେଇଥିଲେ ଓ ଗ୍ରହ ପଥର ନେଇଥିଲେ। ବିନିମୟରେ ଉକ୍ତ ଗ୍ରହ ପଥର ନେଇଥିଲେ। ପଥରଟି ଅସଲି ବୋଲି ପ୍ରମାଣ କରିବାକୁ ଜ୍ୟୋତିର୍ବିଦ ଶ୍ରୀ ଦାସ ତାଙ୍କୁ ଖାରବେଳନଗରସ୍ଥିତ ଅନନ୍ୟା ଜେମ୍ସ ଲାବରୋଟୋରିରେ ପରୀକ୍ଷଣ ହୋଇଥିବାର ଏକ ସାର୍ଟିଫିକେଟ୍ ମଧ୍ୟ ଦେଇଥିଲେ। ତେବେ ମାସକ ପରେ ଶ୍ରୀ ମହାପାତ୍ର କୌଣସି କାରଣରୁ ପଥରକୁ ନେଇ ସନ୍ଦେହ କଲେ ଓ ୟୁନିଟ୍-୬ସ୍ଥିତ ଭୂବିଜ୍ଞାନ ଭବନରେ ଯାଞ୍ଚ୍ କରାଇଥିଲେ। ପଥରଟି ନକଲି ବୋଲି ସେଠାରୁ ଜାଣିବା ପରେ ଶ୍ରୀ ମହାପାତ୍ର ଟଙ୍କା ଫେରସ୍ତ କରିବାକୁ କହିଥିଲେ। କିନ୍ତୁ ଜ୍ୟୋତିର୍ବିଦ ଶ୍ରୀ ଦାସ ଧରାଛୁଆଁ ଦେଇନଥିଲେ।