ରେଭେନ୍ସାର ପ୍ରାକ୍ତନ ଅର୍ଥନୀତି ପ୍ରଫେସର ଝରଣା ରାୟଙ୍କ ପରଲୋକ

ଭୁୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟ (ତତ୍କାଳୀନ ମହାବିଦ୍ୟାଳୟ)ରେ ଅର୍ଥନୀତି ବିଭାଗର ପ୍ରଫେସର ଥିବା ଝରଣା ରାୟଙ୍କର ଗତ ୧୦ ତାରିଖରେ ତାଙ୍କର ଭୁବନେଶ୍ୱର ନୂଆପଲ୍ଲୀ ଆଇଆରସି ଭିଲେଜ ସ୍ଥିତ ବାସଭବନରେ ପରଲୋକ ହୋଇ ଯାଇଛି। ଗତ କଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।

ଶ୍ରୀମତୀ ରାୟଙ୍କର ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସ୍ୱାମୀ ତଥା ଆଇନଜୀବୀ ଦିନେଶ ରାୟ, ଆତ୍ମୀୟ ମୀର ସିହ୍ନା, ସୁରଭି ମୁଖାର୍ଜୀ, ରାଜଶେଖର ପଣମାଣିକ୍‌, ବବିତା ପରମାଣିକ, ସୁପ୍ରିୟା ପଟ୍ଟନାୟକ, ତିମିରବରଣ ପଟ୍ଟନାୟକ, ସୁପର୍ଣ୍ଣା ନନ୍ଦ, ଶକ୍ତି ନନ୍ଦ, ରିଙ୍କୁ ରାୟ, ଦେବପ୍ରିୟ ପ୍ରିୟଦର୍ଶୀ, ଡାକ୍ତର ସିଦ୍ଧାର୍ଥ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ।

ଜଣେ ସ୍ୱନାମଧନ୍ୟା ଅଧ୍ୟାପିକା ରହିବା ସହ ସେ ମଧ୍ୟ ଜଣେ ସମାଜସେବୀ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ତାଙ୍କର ଛାତ୍ରଛାତୀ ମହଲରେ ଶୋକର ଛାୟା ଖେଳି ଯାଇଥିଲା। ଏବେ ସମାଜରେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ସାରିଥିବା ତାଙ୍କର ବହୁ ଛାତ୍ରଛାତ୍ରୀ ତାଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କର ଆଇଆରସି ସ୍ଥିତ ବାସ ଭବନକୁ ଯାଇ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ସ୍ୱର୍ଗତା ଆତ୍ମା ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସ୍ୱର୍ଗତା ପ୍ରଫେସର ଝରଣା ରାୟଙ୍କର ଶେଷକୃତ୍ୟ ସ୍ଥାନୀୟ ସତ୍ୟନଗର ଶ୍ମଶାନ ଠାରେ ସଂପନ୍ନ ହୋଇଥିଲା। ସ୍ୱାମୀ ତଥା ଆଇନଜୀବୀ ଦିନେଶ ରାୟ ମୁଖାଗ୍ନି ଦେଇଥିଲେ।

ସ୍ୱର୍ଗତା ପ୍ରଫେସର ରାୟଙ୍କ ସ୍ମୃତିରେ ଏକ ସ୍ମୃତିସଭା ଆସନ୍ତା ମାର୍ଚ୍ଚ ୨୦ ତାରିଖ (ଶୁକ୍ରବାର) ସନ୍ଧ୍ୟାରେ ତାଙ୍କର ଭୁବନେଶ୍ୱର ଏନ୍‌୧/୨୮୨ ଆଇଆର୍‌ସି ଭିଲେଜ ସ୍ଥିତ ବାସଭବନରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର