ଭୁବନେଶ୍ବର: ‘ସ୍କୁଲ ବନ୍ଦ କରାଗଲା। ଯେତିକି ପିଲା ଥିଲେ, ସେମାନଙ୍କୁ ଅନ୍ୟତ୍ର ପଠାଇ ଦିଆଗଲା। ୫୩ ବର୍ଷର ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ହଜାର ହଜାର ପୁରାତନ ଛାତ୍ରଙ୍କ କଥା ବିଚାର ନ କରି ତାଲା ପକାଗଲା। ଏହାଦ୍ବାରା ଯେ କେବଳ ଶିକ୍ଷାନୁଷ୍ଠାନ ବନ୍ଦ ହେଲା ତାହା ନୁହେଁ, ବରଂ ପୁରାତନ ଛାତ୍ରଙ୍କ ସ୍ବାଭିମାନ ମାଟିରେ ମିଶାଇ ଦିଆଗଲା। ଦିନେ ୟୁନିଟ୍-୨ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ଭାବେ ଆମେ ଗର୍ବ କରୁଥିଲୁ। ଏବେ କେଉଁ ପରିଚୟ ନେଇ ବଞ୍ଚିବୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉନ୍ନତି ପାଇଁ ଲକ୍ଷାଧିକ ଟଙ୍କା ଦେଇଛୁ। ଆହୁରି ଟଙ୍କା ଦେବାକୁ ଆଲୋଚନା ଜାରି ରହିଛି। ଏଭଳି ସମୟରେ ବିଦ୍ୟାଳୟକୁ ବନ୍ଦ କରାଯିବା ଆମ ଆତ୍ମସମ୍ମାନକୁ ବହୁତ ବାଧିଛି। ତେଣୁ ବିଦ୍ୟାଳୟ ବିକାଶ ପାଇଁ ‘ମୋ ସ୍କୁଲ’ ଅଧୀନରେ ଆମେ ଯେତିକି ଟଙ୍କା ଦେଇଥିଲୁ, ତାହାର ସୁଧମୂଳ ସହ ଫେରାଅ।’
ଆବଶ୍ୟକ ପିଲା ନ ଥିବାରୁ ବିଦ୍ୟାଳୟ ବନ୍ଦ ପରେ ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ୟୁନିଟ୍-୨ ବାଳକ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରମାନେ। ପୁରାତନ ଛାତ୍ର ସଂଘ ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ ସ୍କୁଲକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଆଦୌ ଠିକ୍ ହୋଇନାହିଁ। ସ୍କୁଲରେ କାହିଁକି ଉପସ୍ଥାନ ବଢ଼ୁ ନଥିଲା, ସେ ଦିଗରେ କେହି ସମୀକ୍ଷା କଲେ ନାହିଁ। ଆମେ ବାରମ୍ବାର ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ଚିଠି ଲେଖିବା ପରେ ମଧ୍ୟ କେହି ଶୁଣିଲେ ନାହିଁ। ପୂର୍ବରୁ ୟୁନିଟ୍-୨ ବାଳକ ଉଚ୍ଚ ବିଦ୍ୟାଳୟରେ ଛାତ୍ର ଓ ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ କେବଳ ଛାତ୍ରୀ ପଢ଼ୁଥିଲେ। ମାତ୍ର ରାଜ୍ୟ ସରକାର ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ଉଭୟ ଛାତ୍ରଛାତ୍ରୀଙ୍କ ପଢ଼ିବା ଲାଗି ବ୍ୟବସ୍ଥା କଲେ। ଫଳରେ ଏହି ଅଞ୍ଚଳର ଛାତ୍ରମାନେ ବାଳକ ଉଚ୍ଚ ବିଦ୍ୟାଳୟ ବଦଳରେ ଉଭୟ ଛାତ୍ରଛାତ୍ରୀ ପଢ଼ୁଥିବା ବିଦ୍ୟାଳୟକୁ ଯିବାକୁ ଆଗ୍ରହ ପ୍ରକାଶ କଲେ। ତେଣୁ ଏଠାରେ ପିଲାଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇଲା। ଏନେଇ ପୁରାତନ ଛାତ୍ର ସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ମାତ୍ର କିଛି ସୁଫଳ ମିଳିଲା ନାହିଁ। ପଦକ୍ଷେପ ନେବା ବଦଳରେ ଛୁଟି ପରେ ଗଣଶିକ୍ଷା ବିଭାଗ ସଚିବ ହଠାତ୍ ବିଦ୍ୟାଳୟ ପରିଦର୍ଶନରେ ଆସି ସ୍କୁଲରେ ତାଲା ପକାଇବାକୁ ନିଷ୍ପତ୍ତି ନେଲେ। ଯାହାକି ଆଦୌ ଗ୍ରହଣୀୟ ନୁହେଁ।
ନିଷ୍ପତ୍ତି ନେଲେ, ପଚାରିଲେ ନାହିଁ: ପୁରାତନ ଛାତ୍ର
୨ କୋଟିର ସମ୍ପତ୍ତି ଭୂତକୋଠି ହେବନି ତ?
ଆଉ ଜଣେ ପୁରାତନ ଛାତ୍ର କହିଛନ୍ତି ଯେ ବିଦ୍ୟାଳୟକୁ ୫-ଟି ରୂପାନ୍ତରଣରେ ସାମିଲ କରିବା ସମୟରେ ପିଲାଙ୍କ ଉପସ୍ଥାନ କାହିଁକି ଦେଖାଗଲା ନାହିଁ। ଉନ୍ନତୀକରଣ ଲାଗି ୪୫ ଲକ୍ଷ ଟଙ୍କା ଆସିଥିବା ବେଳେ ସେଥିରୁ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବାକି ଅର୍ଥ ଖର୍ଚ୍ଚ ହେବାକୁ ଯୋଜନା ହୋଇଛି। ଯଦି ପିଲା ହେଉ ନ ଥିଲେ, ରାଜ୍ୟ ସରକାର ଏହାକୁ ମଡେଲ୍ ବିଦ୍ୟାଳୟରେ ପରିବର୍ତ୍ତନ କରାଯାଇ ପିଲାଙ୍କୁ ଆକୃଷ୍ଟ କରାଯାଇପାରିଥା’ନ୍ତା। ସେଭଳି ନ କରି ପିଲାଙ୍କୁ ଅନ୍ୟତ୍ର ପଠାଯିବା, ଶିକ୍ଷକମାନଙ୍କୁ ବଦଳି କରିବା, ସମ୍ପୂର୍ଣ୍ଣ କ୍ୟାମ୍ପସରେ ତାଲା ପକାଇବା ଠିକ୍ ହୋଇନାହିଁ। ସ୍କୁଲ ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ରାଜ୍ୟ ସରକାର କହୁଥିବା ବେଳେ ବିଦ୍ୟାଳୟ ବନ୍ଦ ପୂର୍ବରୁ ଏଠାକାର ପୁରାତନ ଛାତ୍ରଙ୍କ ସହ କାହିଁକି ଆଲୋଚନା କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ସୂଚନା ଅନୁଯାୟୀ କିଛି ମାସ ପୂର୍ବରୁ ପାଖାପାଖି ୨୫ ହଜାର ଟଙ୍କାର ଚେୟାର ଟେବୁଲ ସହ ଆକ୍ବାଗାର୍ଡ, କମ୍ପ୍ୟୁଟର୍ ପ୍ରିଣ୍ଟର୍, ଇଣ୍ଡକ୍ସନ ଚୁଲା ଆଦି ଲଗାଇବା ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ ପାଖାପାଖି ୨ କୋଟି ଟଙ୍କାର ସମ୍ପତ୍ତି ରହିଛି। ବିଦ୍ୟାଳୟ ଚେୟାର, ଟେବୁଲ୍, ବିଜ୍ଞାନ ସାମଗ୍ରୀ, ଏନ୍ସିସି, ସ୍କାଉଡ୍, କ୍ରୀଡ଼ା ସାମଗ୍ରୀ ଆଦି ପଡ଼ି ରହିଛି। ସେଗୁଡ଼ିକ ଯତ୍ନ ନିଆ ନ ଗଲେ କିଛି ମାସ ପରେ ଏହା ଭୂତକୋଠିରେ ପରିଣତ ହେବ। ତେଣୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।