ଖୁଆଡ଼କୁ ଫେରିଲେ ହଳଦିଆ ଆନାକୋଣ୍ଡା

ବାରଙ୍ଗ: ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଚିକିତ୍ସାଧୀନ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୫ଟି ହଳଦିଆ ଆନାକୋଣ୍ଡାଙ୍କୁ ଆଜି ସେମାନଙ୍କ ପୂର୍ବ ଖୁଆଡ଼ ୪୭ ‘କ’କୁ ଫେରାଇ ଅଣାଯାଇଛି। ସେମାନେ ସୁସ୍ଥ ହେବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ସେମାନଙ୍କୁ ପ୍ରାଣୀ ଚିକିତ୍ସାକେନ୍ଦ୍ରରୁ ଫେରାଇ ଆଣିଛନ୍ତି। ମହାମାରୀ କରୋନା କଟକଣା ପାଇଁ ୭ ମାସ କାଳ ବନ୍ଦ ଥିବା ନନ୍ଦନକାନନ ନିକଟରେ ଖୋଲିଥିବାରୁ ଏଣିକି ପର୍ଯ୍ୟଟକମାନେ ହଳଦିଆ ଆନାକୋଣ୍ଡା ଦେଖିବାର ସୁଯୋଗ ପାଇବେ। ତେବେ ଆଜି ଗୋଟିଏ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୮ ତାରିଖରେ ସୂକ୍ଷ୍ମ କୃମିଜନିତ ରକ୍ତ ସଂକ୍ରମଣ କାରଣରୁ ଅନ୍ତଃନଳୀରେ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ (ହାମରାଟାଇଜ୍ ଏମ୍ଫୋଥାଇଟାଇଜ୍) କାରଣରୁ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା। ଏହାପରେ ଆଉ ଏକ ହଳଦିଆ ଆନାକୋଣ୍ଡା ମଧ୍ୟ ସଂକ୍ରମିତ ହେବାରୁ ତରଳ ଝାଡ଼ାରେ ଆକ୍ରାନ୍ତ ହୋଇଥିଲ। ତେଣୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସମସ୍ତ ୫ଟି ଯାକ ହଳଦିଆ ଆନାକୋଣ୍ଡାଙ୍କୁ ଖୁଆଡ଼ରୁ ନେଇ ଚିକିତ୍ସାକେନ୍ଦ୍ରରେ ପୃଥକ ପୃଥକ ପେଟିରେ ରଖାଯାଇଥିଲା। ନନ୍ଦନକାନନର ଚିକିତ୍ସକମାନେ ନିୟମିତ ସେମାନଙ୍କ ସ୍ବାସ୍ଥ୍ୟ ଅନୁଧ୍ୟାନ କରୁଥିଲେ। ସେମାନଙ୍କର ରକ୍ତ ନମୁନା ପରୀକ୍ଷା କରାଯିବା ପରେ ନିୟମିତ ରୋଗ ପ୍ରତିଷେଧକ ଟିକା ଦିଆଯାଉଥିଲା। ଫଳରେ ସଂକ୍ରମିତ ଆନାକୋଣ୍ଡାଟି ସୁସ୍ଥ ହୋଇଥିଲା। ଏବେ ସମସ୍ତ ଆନାକୋଣ୍ଡା ସଂକ୍ରମଣ ମୁକ୍ତ ହୋଇଥିବା ଜଣା ପଡ଼ିଛି। ସୂଚନାଯୋଗ୍ୟ, ୨୦୧୯ ଅକ୍ଟୋବର ୨୨ରେ ପ୍ରଥମ କରି ଚେନ୍ନାଇସ୍ଥିତ କ୍ରକୋଡାଇଲ ବ୍ୟାଙ୍କ୍‌ ଅଫ୍‌ ଟ୍ରଷ୍ଟରୁ ୮ଟି ହଳଦିଆ ଆନାକୋଣ୍ଡାଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା। ୨୦୧୯ ନଭେମ୍ବର ୨୮ ଓ ୩୦ ତାରିଖରେ ଲାଗ ଲାଗ ଦୁଇଟି ଆନାକୋଣ୍ଡାଙ୍କ ସଂକ୍ରମଣଜନିତ ମୃତ୍ୟୁ ହୋଇଥିଲା। ଆଜି ଆଉ ଗୋଟିକର ମୃତ୍ୟୁ ଘଟିଥିବାରୁ ଏବେ ଏହି ପ୍ରଜାତିର ଆଉ ୫ଟି ଆନାକୋଣ୍ଡା ରହିଛନ୍ତି।

ସମ୍ବନ୍ଧିତ ଖବର