ଜଟଣୀ: ଗତକାଲି ସ୍ୱାଧୀନତା ଦିବସ ପାଇଁ ଜଟଣୀ ସହର ଚଳଚଞ୍ଚଳ ଥିବା ବେଳେ ଅପରାହ୍ଣରେ ଘଟିଥିଲା ଏକ ବୀଭତ୍ସ ହତ୍ୟାକାଣ୍ଡ। ୨ଜଣ ନାବାଳକ ଓ ଜଣେ ଯୁବକ ମିଶି ଜଟଣୀ ଗୋଡ଼ାଧର୍ମସାଗର ଅଞ୍ଚଳରେ ରହୁଥିବା ଜଟଣୀ କଲେଜ ଛାତ୍ର ସ୍ମୃତିରଞ୍ଜନ ନାୟକ(୧୯)ଙ୍କୁ ଦକ୍ଷିଣୀ କଟୁରିରେ ହାଣି ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଦୁର୍ବୃତ୍ତମାନେ ସ୍ମୃତିରଞ୍ଜନଙ୍କୁ ଘରୁ ଡାକିନେଇ ହାଣି ପକାଇଥିବା ଜଣାପଡ଼ିଛି। ଏହି ମାମଲାରେ ଜଟଣୀ ଥାନା ପୁଲିସ ବାଛରା ତଳସାହିର ଶୁଭରଞ୍ଜନ ବାରିକ ଓରଫ ପେଣ୍ଡୁ(୧୯)କୁ କୋର୍ଟ ଚାଲାଣ କରିବା ସହ ୨ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଇଛି। ପେଣ୍ଡୁକୁ ଝାରପଡ଼ା ଜେଲ୍ ହାଜତ ଓ ୨ନାବାଳକଙ୍କୁ ବ୍ରହ୍ମପୁର ବାଳସୁଧାର ଗୃହକୁ ପଠାଇଦିଆଯାଇଛି। ୨ନାବାଳକଙ୍କ ମଧ୍ୟରୁ ଜଣେ ଏହି ହତ୍ୟାକାଣ୍ଡର ଖଳନାୟକ ବୋଲି ପୁଲିସ କହିଛି। ପ୍ରେମିକା ହରାଇବାର ପ୍ରତିଶୋଧ ନେବାକୁ ଯାଇ ନାବାଳକଜଣକ ଦୁଇ ସହଯୋଗୀଙ୍କ ସହ ମିଶି ଯୋଜନାବଦ୍ଧ ଭାବେ ସ୍ମୃତିରଞ୍ଜନଙ୍କୁ ହତ୍ୟା କରିଥିବା ପ୍ରମାଣ ମିଳିବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତମାନଙ୍କଠାରୁ ପୁଲିସ ଗୋଟିଏ ଦକ୍ଷିଣୀ କଟୁରି, ମୋବାଇଲ୍ ଓ ସ୍କୁଟି ଜବତ କରିଛି।
ବାଳସୁଧାର ଗୃହରେ ୨ ନାବାଳକ, ଜେଲ୍ ହାଜତରେ ଜଣେ
ଗତକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ ଜଟଣୀ ଗୋରୁହାଟ ନିକଟ ହନୁମାନ ମନ୍ଦିର ନିକଟରେ ଜଣେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଓ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। କେହି ତାଙ୍କୁ ମାରଣାସ୍ତ୍ରରେ ହାଣି ପକାଇଥିବା ସ୍ପଷ୍ଟ ବାରିହୋଇ ପଡ଼ୁଥିଲା। ଜଟଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେପରେ ସ୍ମୃତିରଞ୍ଜନଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ତାଙ୍କୁ ଚିହ୍ନଟ କରିଥିଲେ। ବଞ୍ଚିଥିବା ଭାବି ପୁଲିସ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ପଠାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବାଧୀନତା ଦିବସ ଭଳି ଦିନରେ ଏଭଳି ହତ୍ୟାକାଣ୍ଡ ଘଟିଥିବାରୁ ଲୋକଙ୍କ ଭିତରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରିବା ଦାବିକରି ଲୋକେ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ। ସେପଟେ ପୁଲିସ ତଦନ୍ତ କରି ୩ଜଣଙ୍କୁ ଉଠାଇ ଆଣିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପେଣ୍ଡୁ ତା’ ସ୍କୁଟିରେ ସ୍ମୃ୍ତିରଞ୍ଜନଙ୍କୁ ବସାଇ ନେଉଥିବା କିଛି ଲୋକ ଦେଖିଥିଲେ ଏବଂ ସେହି ସୂଚନା ଆଧାରରେ ପୁଲିସ ପ୍ରଥମେ ପେଣ୍ଡୁକୁ ଉଠାଇଥିଲା। ସେହିଭଳି ମୃତ ସ୍ମୃତିରଞ୍ଜନଙ୍କ କିଛି ସାଙ୍ଗ ମୁଖ୍ୟ ଅଭିଯୁକ୍ତର ଇନ୍ଷ୍ଟାଗ୍ରାମ୍ ପୋଷ୍ଟ ବାବଦରେ ପୁଲିସକୁ ସୂଚନା ଦେଇଥିଲେ। ‘ଆଜି ଶେଷ’ ବୋଲି ସେ ପୋଷ୍ଟରେ ଲେଖିଥିଲା।
ମୃତ ସ୍ମୃତିରଞ୍ଜନ ଓ ମୁଖ୍ୟ ଅଭିଯୁକ୍ତ ନାବାଳକ ଜଟଣୀ କଲେଜର ଛାତ୍ର। ପାଖାପାଖି ୨ମାସ ପୂର୍ବେ ମୁଖ୍ୟ ଅଭିଯୁକ୍ତର ପ୍ରେମିକା ବ୍ରେକ୍ଅପ୍ କରି ସ୍ମୃତିରଞ୍ଜନଙ୍କ ସହ ସମ୍ପର୍କରେ ଆସିଲେ। ଏହା ଜାଣିବା ପରେ ମୁଖ୍ୟ ଅଭିଯୁକ୍ତ ରାଗରେ ଜଳିଥିଲା ଏବଂ ସବୁଦିନ ପାଇଁ ସ୍ମୃତିରଞ୍ଜନଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ଏଥିରେ ତାକୁ ବାଛରାର ପେଣ୍ଡୁ ଓ ଅନ୍ୟଜଣେ ନାବାଳକ ସହଯୋଗ କରିଥିଲେ। ୧୩ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ଜଟଣୀ ମାର୍କେଟ୍ରୁ ଏକ ଦକ୍ଷିଣୀ କଟୁରି କିଣିଥିଲା ଏବଂ ଗୋରୁହାଟ ହନୁମାନ ମନ୍ଦିର ନିକଟରେ ଏକ ଗଛମୂଳେ ଲୁଚାଇ ରଖିଥିଲା। ଯୋଜାନନୁସାରେ ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୧ଟା ବେଳେ ପେଣ୍ଡୁ ସ୍କୁଟି ନେଇ ସ୍ମୃତିରଞ୍ଜନଙ୍କ ଘରକୁ ଯାଇ ଡାକିଥିଲା ଏବଂ ସାଙ୍ଗରେ ଧରି ହନୁମାନ ମନ୍ଦିର ନିକଟକୁ ଆଣିଥିଲା। ପୂର୍ବରୁ ସେଠାରେ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ନାବାଳକଜଣକ ଛକି ରହିଥିଲେ। ସ୍ମୃତି, ପେଣ୍ଡୁ ସ୍କୁଟିରୁ ଓହ୍ଲାଇବା ମାତ୍ରେ ସେମାନେ କଟୁରିରେ ହାଣି ପକାଇଥିଲେ।