ଭୁବନେଶ୍ବର : ଆର୍ଥିକ ବର୍ଷ ଶେଷରେ ବିଏମ୍ସି ଆଦାୟ କରିଥିବା ରାଜସ୍ବର ହିସାବ ନିକାଶ କରିଛି। ଟାର୍ଗେଟ୍ ପୂରଣ କରିବାକୁ ବର୍ଷ ସାରା ଲାଗିଥିବା ଧାଁ ଧଉଡ଼ରେ କେତେ ଲାଭ ହୋଇଛି ତାହାର ସମୀକ୍ଷା କରିଛି। ହୋଲ୍ଡିଂ ଟ୍ୟାକ୍ସ ପଛରେ ପଡ଼ି ବିଏମ୍ସି ଧାର୍ଯ୍ୟ ଲକ୍ଷ୍ୟ ଠାରୁ ପଛରେ ଥିଲେ ମଧ୍ୟ ବିଏମ୍ସି ରେକର୍ଡ କରିଥିଲା। ପୂର୍ବ ବର୍ଷ ଅପେକ୍ଷା ୨୦ କୋଟି ଅଧିକ ରାଜସ୍ବ ଆଦାୟ କରିଥିଲା। କିନ୍ତୁ ଏପଟେ ଅନ୍ୟାନ୍ୟ ରାଜସ୍ବ ଆଦାୟରେ ପଛରେ ରହିଗଲା।
ଗତ ଆର୍ଥିକ ବର୍ଷ(୨୦୨୨-୨୩)ରେ ୧୫୭ କୋଟି ୫୦ ଲକ୍ଷ ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ପ୍ରାୟ ୫୦ କୋଟି ଟଙ୍କା ଆଦାୟ ହୋଇଛି। ତେବେ କେବଳ ପାର୍କିଂ ଫି ଆଦାୟରେ ଧାର୍ଯ୍ୟ ଲକ୍ଷ୍ୟରୁ ଆଗରେ ରହିଛି ବିଏମ୍ସି। ଟ୍ରେଡ୍ ଲାଇସେନ୍ସ ଫି ବାବଦକୁ ବିଏମ୍ସି ୧୪ କୋଟି ୮୨ଲକ୍ଷ ୨୧ ହଜାର ୫୦ ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ୨୦୨୨ଡିସେମ୍ବର ସୁଦ୍ଧା ୪ କୋଟି ୧୨ ଲକ୍ଷ ୬୮ ହଜାର ୪୦୨ ଟଙ୍କା ଆଦାୟ କରିଥିବା ବେଳେ ବାକି ୩ ମାସରେ କୋଟିଏରୁ କମ୍ ଆଦାୟ କରିଥିଲା। ଅର୍ଥାତ୍ ଗତ ବର୍ଷ ଟ୍ରେଡ୍ ଲାଇସେନ୍ସ ବାବଦରୁ ବିଏମ୍ସି ୫ କୋଟି ୧୯ ଲକ୍ଷ ୪୦ ହଜାର ୬୫୪ ଟଙ୍କା ଆଦାୟ ହୋଇଛି। ଧାର୍ଯ୍ୟ ଲକ୍ଷ୍ୟ ଠାରୁ ପ୍ରାୟ ୯ କୋଟି ଟଙ୍କା ପଛରେ ରହିଥିଲେ ମଧ୍ୟ ୨୦୨୧-୨୨ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ୩ କୋଟି ୭୯ ଲକ୍ଷ ୬୭ ହଜାର ୩୨୯ ଟଙ୍କା ଠାରୁ ଆଗରେ ରହିଛି।
ସେହିଭଳି ପାର୍କିଂରୁ ଗତ ବର୍ଷ ୨ କୋଟି ୪୭ ଲକ୍ଷ ୭୧ ହଜାର ୧୦୫ ଟଙ୍କାର ରାଜସ୍ବ ଆସିଛି। ଧାର୍ଯ୍ୟ ଲକ୍ଷ୍ୟ ୧ କୋଟି ୪୩ ଲକ୍ଷ ୨୭ ହଜାର ୩୯୭ ଟଙ୍କା ଠାରୁ ପ୍ରାୟ କୋଟିଏ ଟଙ୍କା ଆଗରେ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ୧କୋଟି ୯୬ ଲକ୍ଷ ୫୫ ହଜାର ୩୮୦ ଟଙ୍କା ଠାରୁ ମଧ୍ୟ ଆଗରେ ରହିଛି। ତେବେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୨୦୨୧-୨୨ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ଅର୍ଥ ଠାରୁ କିଭଳି କମ୍ ରହିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସ୍ବଚ୍ଛ ଭାରତ ମିସନ ୟୁଜର୍ସ ଫି’ ଆଦାୟରେ ବିଏମ୍ସି ବିଫଳ ହୋଇଛି। ଏ ବାବଦରେ ୭୬ କୋଟି ୪୧ ଲକ୍ଷ ୨୭ ହଜାର ୮୫୬ ଟଙ୍କା ଟାର୍ଗେଟ୍ ରହିଥିବା ବେଳେ ପ୍ରାୟ ୨ କୋଟି ଆଦାୟ ହୋଇଛି। ସେହିଭଳି ମାର୍କେଟ୍ ରେଣ୍ଟ ବି କମ୍ ଆଦାୟ ହୋଇଛି। ଏଥିରେ ୭ କୋଟି ୯୮ ଲକ୍ଷ ୫୩ ହଜାର ୨୨୦ ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ପ୍ରାୟ ୪ କୋଟି ଆଦାୟ ହୋଇଛି। ବିଜ୍ଞାପନ ବାବଦକୁ ୭ କୋଟି ୬୪ ଲକ୍ଷ ୧୨ ହଜାର ୭୮୫ ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ପ୍ରାୟ ୩ କୋଟି ଆଦାୟ ହୋଇଛି।