ବାଧ୍ୟତାମୂଳକ ଅବସର ପାଇଁ ସମୀକ୍ଷା : ତାଲିକାରେ କମିସନରେଟ୍‌ ପୁଲିସର ୫ ଇନ୍ସପେକ୍ଟର

ଭୁବନେଶ୍ବର : ପୁଲିସ ସେବା ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ(ଜିଏ) ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ପୁଲିସ ପକ୍ଷରୁ ୩୦ବର୍ଷ ଚାକିରି କରିସାରିଥିବା କିମ୍ବା ୫୫ବର୍ଷ ବୟସରେ ପହଞ୍ଚି ସାରିଥିବା ଅଧିକାରୀମାନଙ୍କର ତାଲିକା କରାଯାଇଛି। ଏହି ତାଲିକାରେ କମିସନରେଟ୍‌ ପୁଲିସରେ ୫ଜଣ ଇନ୍‌ସପେକ୍ଟରଙ୍କର ନାମ ରହିଛି। ପ୍ରିମାଚ୍ୟୁଓର ରିଭ୍ୟୁ କମିଟି ମିଟିଂ ଏମାନଙ୍କର କାର୍ଯ୍ୟାବଳୀର ସମୀକ୍ଷା କରିସାରିବା ପରେ ଡିଜିଙ୍କ ପାଖକୁ ରିପୋର୍ଟ ପଠାଇ ସାରିଛି। ଖୁବ୍‌ଶୀଘ୍ର ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ହେବ। କିଏ ଫସିବ, କିଏ ମୁକ୍ତି ପାଇବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଜିଏ ବିଭାଗର ବିଜ୍ଞପ୍ତି ମୁତାବକ, ରାଜ୍ୟ ପୁଲସ ପକ୍ଷରୁ ୨୨୪ ଜଣ ଇନ୍‌ସ୍‌ପେକ୍ଟରଙ୍କର ତାଲିକା କରାଯାଇଛି। ଏଥିରେ ଭିଜିଲାନ୍ସ ୧୯ଜଣ ଥିବା ବେ‌ଳେ ଜିଆରପି, ଗୁଇନ୍ଦା, ବିଭିନ୍ନ ଜିଲ୍ଲା ପୁଲିସ, ଟ୍ରେନିଂ ସ୍କୁଲ ଆଦିରୁ ଅଧିକାରୀ ରହିଛନ୍ତି। ପ୍ରିମାଚ୍ୟୁଓର ରିଭ୍ୟୁ କମିଟି ମିଟିଂ ଏମାନଙ୍କର କାର୍ଯ୍ୟଧାରା ସମୀକ୍ଷା କରିଛି। ଚାକିରି କାଳରେ ଏମାନଙ୍କ ନାମରେ ଥିବା ଅଭିଯୋଗ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନଗୁଡ଼ିକୁ ତର୍ଜମା କରି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟକୁ ଆଧାର କରି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ। ‌ତେବେ ଗତ ନଭେମ୍ବର ମାସରୁ ଏହି ସମୀକ୍ଷା ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଏହି ତାଲିକାରେ କମିସନରେଟ୍‌ ପୁଲିସରୁ ୫ ଜଣ ଇନ୍‌ସ୍‌ପେକ୍ଟର ଲକ୍ଷ୍ମୀନାରାୟଣ ତିୱାରୀ, ଲକ୍ଷ୍ମୀସାଗର ଥାନା ଇନ୍‌ସ୍‌ପେକ୍ଟର ଭରତ ଚନ୍ଦ୍ର ସାହୁ, ଅକ୍ଷୟ କୁମାର ପଣ୍ଡା, ଶରତ ଚନ୍ଦ୍ର ପାତ୍ର ଓ ଲକ୍ଷ୍ମୀଧର ସେଠୀଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରୁ ଭରତ ଚନ୍ଦ୍ର ସାହୁଙ୍କ ନାମରେ ଅଭିଯୋଗ ରହିଥିଲା। ସେ ଯେତେବେଳେ ଜିଆର୍‌ପି ଥାନାରେ ଥିଲେ, ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ ଶ୍ରୀ ସାହୁ ଜବତ ଗଞ୍ଜେଇ ହଡ଼ପ କରିନେଇଥିବା ଅଭିଯୋଗ କରିଥିଲେ। ରେଳବାଇ ଏସ୍‌ପି ଏହାର ତଦନ୍ତ କରି ଭରତଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ସମ୍ପୃକ୍ତ କର୍ମଚାରୀ ମୁଖ୍ୟାଳୟ ବଦଳି ହେବା ସହ ନିଲମ୍ବିତ ହୋଇଥିବା ବେଳେ ଭରତ ସାହୁ ଏବେ ପଦୋନ୍ନତି ପାଇଛନ୍ତି। ଲିଙ୍ଗରାଜ ଥାନା ଇନ୍‌ସ୍‌ପେକ୍ଟର ଶରତ ଚନ୍ଦ୍ର ପାତ୍ର ଯାଜପୁରରେ ଥିବା ବେଳେ ତାଙ୍କ ନାମରେ ମଧ୍ୟ ଅଭିଯୋଗ ଆସିଥିଲା। ତେବେ ସେସବୁ ମଧ୍ୟ ପରେ ମିଛ ବୋଲି ପ୍ରମାଣିତ ହୋଇଛି। ଏହି ସବୁ ଅଭିଯୋଗ ଉପରେ ସମୀକ୍ଷା କମିଟି ବିଚାର କରିଛି। ଏବେ ସରକାରଙ୍କ ନିଷ୍ପତ୍ତିକୁ ‌ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର