ଭୁବନେଶ୍ୱର:  ବିଏମ୍‌ସି କମିସନର ଚଞ୍ଚଳ ରାଣା  ଏକାମ୍ର ପ୍ରକଳ୍ପର ସମୀକ୍ଷା କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ସହ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପ୍ରକଳ୍ପ ଅନ୍ତର୍ଭୁକ୍ତ ପାର୍କିଂ, ରାସ୍ତାଘାଟ, ଷ୍ଟ୍ରିଟ୍‌ଲାଇଟ୍, ଜମି ଅଧିଗ୍ରହଣ ଏବଂ ପ୍ରକଳ୍ପର ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରାଯାଇଥିଲା। ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

୨୦୧୯ ମସିହାରେ ଏକାମ୍ର ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ୨୦୨୩ ମସିହା ଜୁନ ୨୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ପକାଇଥିଲେ। ଏ ବାବଦରେ ୨୦୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି। ୧୧ଶହ ଶତାବ୍ଦୀର ଐତିହାସିକ ଲିଙ୍ଗରାଜ ମନ୍ଦିରର ଆଖପାଖ ଅଞ୍ଚଳ ସହ ଏକାମ୍ର କ୍ଷେତ୍ରର ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନାବଦ୍ଧ ଭାବେ କରିବା, ଭୁବନେଶ୍ୱର ଐତିହ୍ୟର ସଂରକ୍ଷଣ ଓ ସହରାଞ୍ଚଳ ବିକାଶ ଏହି ପ୍ରକଳ୍ପର ଲକ୍ଷ୍ୟ। ବିଏମ୍‌ସି ଏକାମ୍ର ପ୍ରକଳ୍ପର ନୋଡାଲ୍‌ ଏଜେନ୍ସି ଭାବେ କାମ କରୁଛି। ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି) ଅଧୀନରେ ପ୍ରାୟ ୨୦୦ କୋଟି ଟଙ୍କାର ଏହି ପ୍ରକଳ୍ପ କାମ କରାଯାଉଛି। ରାଞ୍ଚିର ବିପିସି ଇନ୍‌ଫ୍ରା ପ୍ରୋଜେକ୍ଟକୁ ଏହି କାମ ଦିଆଯାଇଛି। ଏକାମ୍ର ପ୍ରକଳ୍ପକୁ ୭ଟି ବିଭାଗରେ ବିଭକ୍ତ କରାଯାଇଥିଲା। ରାସ୍ତା ଓ ପାର୍କିଂ, ପ୍ଲାଜା, ପ୍ରଶସ୍ଥ ସ୍ଥାନ, ମନ୍ଦିର ପାଇଁ ସମସ୍ତ ସୁବିଧା ସହ ସହଜ ଦର୍ଶନ ବ୍ୟବସ୍ଥା, ଭଜନ ମଣ୍ଡପ, ସୂଚନା କେନ୍ଦ୍ର ଓ ଅନନ୍ତ ବାସୁଦେବ ରୋଷଘର ଇତ୍ୟାଦି ଯୋଜନା କରାଯାଇଥିଲା।

ଏଥିରେ ଯାନବାହନ ଚଳାଚଳକୁ ସୁଗମ କରିବା ନିମନ୍ତେ ୧୨ରୁ ୧୮ ମିଟର ଚଉଡ଼ା ରାସ୍ତା, ପଥଚାରୀଙ୍କ ପାଇଁ ୪ରୁ ୧୦ ମିଟର ଚଉଡ଼ା ଚଲାପଥ ଏବଂ ପାର୍କିଂ ବ୍ୟବସ୍ଥା ସହ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଆନ୍ତଃସଂଯୋଗ କରୁଥିବା ମୁକ୍ତସ୍ଥାନ, ୩୦୦ ବର୍ଗମିଟରର ଦର୍ଶନ ସୁବିଧା, ଜରୁରୀକାଳୀନ ସେବା ନିମନ୍ତେ ୧୬୦୦ ବର୍ଗମିଟରର ସୂଚନା ଓ ନିୟନ୍ତ୍ରଣ କେନ୍ଦ୍ର, ବିନ୍ଦୁସାଗର ଚତୁଃପାର୍ଶ୍ବରେ ଉତ୍ସର୍ଗୀକୃତ ଚଲାପଥ ନିର୍ମାଣ ପାଇଁ ଯୋଜନା ରହିଛି। ଏହି ଅଞ୍ଚଳକୁ ୟୁନିସ୍କୋରେ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପାଇଁ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୫ ମସିହା ପହିଲା ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ବୋଲି ପୂର୍ବ ସରକାର ଘୋଷଣା କରିଥିଲେ। କିନ୍ତୁ ସରକାର ବଦଳିବା ପରେ କାମ ମନ୍ଥର ପଡିଯାଇଛି। ଆବଶ୍ୟକ ଜମି ବି ଅଧିଗ୍ରହଣ ହୋଇପାରିନି। ୧୬ ଏକର ବେସରକାରୀ ଜମିରୁ ଆହୁରି ୭ ଏକର ଜମି ଅଧିଗ୍ରହଣ ବାକି ରହିଛି। ଏବେ ପ୍ରାୟ ୭ ଏକର ଘରୋଇ ଜମି ଅଧିଗ୍ରହଣ ସହ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଜମି ଅଧିଗ୍ରହଣ ପାଇଁ ବିଏମ୍‌ସି ଶୀଘ୍ର ଓବିସିସି ସହ ଆଲୋନଚା କରି ଏ ସଂପର୍କିତ ଯୋଜନାର ରୂପରେଖ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିବ। ସଂପୃକ୍ତ ଅଞ୍ଚଳରେ ସ୍ବେରେଜ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ କରିବାକୁ ଵାଟକୋକୁ ନିର୍ଦେଶ ଦିଆଯାଇଛି। ଲିଙ୍ଗରାଜ ମହାପ୍ରଭୁଙ୍କର ଜାଗର ଯାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ନିଜ ନିଜର କାର୍ଯ୍ୟ ଏବେଠାରୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଛି। ଏହି ବୈଠକରେ ବିଏମ୍‌ସିର ଅତିରିକ୍ତ କମିସନର, ଭୁବନେଶ୍ୱର ଉପଜିଲ୍ଲାପାଳ, ଓବିସିସି ମୁଖ୍ୟଯନ୍ତ୍ରୀ ଓ ସାଧାରଣ ପରିଚାଳକ, ଲିଙ୍ଗରାଜ ମନ୍ଦିର ପ୍ରଶାସନର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଏସ୍ଆଇର ପ୍ରତିନିଧି, ବିଏମ୍‌ସିର ଭୂ-ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।