ଜୟଦେବବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତାର ସମୀକ୍ଷା, ଜୁନ୍‌ ସୁଦ୍ଧା ବାଟ ଫିଟାଅ

୪ ଥାକିଆ ହେବ ଏଟିଏମ୍‌ ଛକରୁ କେୟାର ହସ୍ପିଟାଲ ରାସ୍ତା, ଖର୍ଚ୍ଚ ହେବ ସାଢ଼େ ୩ କୋଟି

ଚନ୍ଦ୍ର‌ଶେଖରପୁର: ଜୟଦେବବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତା କାର୍ଯ୍ୟ ଶୀଘ୍ର ଶେଷ କର। ଜୁନ୍‌ ସୁଦ୍ଧା ଉଭୟ ରାସ୍ତାକୁ ଟ୍ରାଫିକ୍‌ ଉପଯୋଗୀ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୂର୍ତ୍ତ ବିଭାଗ ଓ ବିଡିଏ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଜନଗହଳିପୂର୍ଣ୍ଣ ଏହି ରାସ୍ତାରୁ ଭିଡ଼ କମାଇବା ଲାଗି ଡାହାଣ ଓ ବାମ ପାର୍ଶ୍ବରେ ସମାନ୍ତରାଳ ଭାବେ ଦୁଇଟି ରାସ୍ତା ନିର୍ମାଣ ହେଉଥିଲେ ମଧ୍ୟ ମନ୍ଥର ଗତିରେ ଚାଲିଛି। କେଉଁଠି ଜବରଦଖଲ ସମସ୍ୟା ସୃଷ୍ଟି କରୁଛି ତ ଆଉ କେଉଁଠି ଜଙ୍ଗଲ ଜମି ପ୍ରତିବନ୍ଧକ ସାଜିଛି। ଏ ସମ୍ପର୍କରେ ‘ସମ୍ବାଦ’ରେ ଲଗାତାର ଭାବେ ଖବର ପ୍ରକାଶ ପାଇବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମାନ୍ତରାଳ ରାସ୍ତାର କ୍ଷେତ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି। ଯେଉଁଠି ପ୍ରତିବନ୍ଧକ ରହିଛି, ତାହାର ତୁରନ୍ତ ସମାଧାନ କରିବା ସହ ଜୁନ୍‌ ସୁଦ୍ଧା ଉଭୟ ସମାନ୍ତରାଳ ରାସ୍ତା କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି।
ବର୍ତ୍ତମାନ ସମୟରେ ଜୟଦେବବିହାର-ନନ୍ଦନକାନନ ରାସ୍ତାର ବାମ ଓ ଦକ୍ଷିଣ ପଟେ ଦୁଇଟି ସମାନ୍ତରାଳ ରାସ୍ତା ନିର୍ମାଣଧୀନ ରହିଛି। ବାମ ପଟେ ଚନ୍ଦକା-ଖଣ୍ଡଗିରି ରାସ୍ତାର ସୁନ୍ଦରପୁରଠାରୁ ପଥରଗାଡ଼ିଆ-ଇନ୍‌ଫୋସିଟି-ଲୁମ୍ବିନୀବିହାର-ଶୈଳଶ୍ରୀବିହାର-ରେଳବିହାର ଦେଇ ଜାଭିଅର ଛକ ପର୍ଯ୍ୟନ୍ତ ସଂଯୋଗକାରୀ ପ୍ରାୟ ୧୨କିମି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ରାସ୍ତାରେ ଜବରଦଖଲରେ ଥିବା ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ସହ ପୁନଃ ଥଇଥାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଥିବା ସମୀକ୍ଷା ବେଳେ ଜଣାପଡ଼ିଛି।

ଅନ୍ୟପକ୍ଷରେ ଦକ୍ଷିଣ ପଟରେ ଆଚାର୍ଯ୍ୟ ବିହାରଠାରୁ ସୈନିକ ସ୍କୁଲ ପାଖ ଦେଇ ୟୁନିଟେକ୍‌ ମଲ୍‌(ପ୍ରେସ୍‌ ଛକ)-ରେଲ୍‌ୱେ ଷ୍ଟାଡିଅମ୍‌-କେଳୁଚରଣ ପାର୍କ-ଡମଣା ପର୍ଯ୍ୟନ୍ତ ରାସ୍ତା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାକି ଯେଉଁ କାମ ରହିଛି, ତାହାକୁ ଆସନ୍ତା ୩ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ଆଚାର୍ଯ୍ୟ ବିହାରରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତା ଫିଟିଯିବ। ଜୟଦେବ ବିହାର-ନନ୍ଦନକାନନ ରାସ୍ତାର କଳିଙ୍ଗ ହସ୍ପିଟାଲରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତାରେ ଆଉ ପୂର୍ବଭଳି ଭିଡ଼ ହେବ ନାହିଁ। ଯାତ୍ରୀଙ୍କୁ ଟ୍ରାଫିକ୍‌ରେ ଫସିବାକୁ ପଡ଼ିବନି। ଏହି କାମ ଶେଷ ହେବା କ୍ଷଣି କେଳୁଚରଣ ପାର୍କରୁ ପଟିଆ ଷ୍ଟେସନ ଦେଇ ବିଗ୍‌ ବଜାର ଛକ ପର୍ଯ୍ୟନ୍ତ ଏକ ରାସ୍ତା ସଂଯୋଜିତ ହେବ। ଖୁବ୍‌ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଦକ୍ଷିଣ ପାର୍ଶ୍ବରେ ଆଚାର୍ଯ୍ୟବିହାରରୁ ୭ମ ବାଟାଲିଅନ୍‌ ଓ ପ୍ରେସ୍‌ ଛକ ଦେଇ ଡମଣା ପର୍ଯ୍ୟନ୍ତ ଏବଂ ବାମ ପାର୍ଶ୍ବରେ ସୁନ୍ଦରପୁରରୁ ଜାଭିଅର ଛକ ପର୍ଯ୍ୟନ୍ତ ରାସ୍ତାକୁ ଜୁନ୍‌ ସୁଦ୍ଧା ଶେଷ କରି ଟ୍ରାଫିକ୍‌ ଉପଯୋଗୀ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି। ଏହି ରାସ୍ତା ନିର୍ମାଣ ସରିଲେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଭିଡ଼ ଅନେକ ପରିମାଣରେ କମିବ। ଦୈନିକ ଯିବା ଆସିବା କରୁଥିବା ଲୋକେ ତୁଳନାତ୍ମକ ଭାବେ ସୁବିଧାରେ ଯିବା ଆସିବା କରିପାରିବେ।

କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ
ଆଚାର୍ଯ୍ୟବିହାର-ଡମଣା, ସୁନ୍ଦରପୁର-ଜାଭିଅର ଛକ ରାସ୍ତା ଖୋଲିବ

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ଏଟିଏମ୍‌ ଛକରୁ କେୟାର ହସ୍ପିଟାଲ ଛକ ପର୍ଯ୍ୟନ୍ତ ରାସ୍ତା ହେବ ଚାରି ଥାକିଆ। ୫୮୦ ମିଟର ଏହି ରାସ୍ତାର ନିର୍ମାଣ ଲାଗି ୩ କୋଟି ୫୬ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନ୍‌, ଫୁଟ୍‌ପାଥ ଓ ସର୍ଭିସ୍‌ ରୋଡ୍‌ ରହିବ। ଏହି ରାସ୍ତା ନିକଟରେ କେନ୍ଦ୍ରୀୟ ବିଦ୍ୟାଳୟ, ହସ୍ପିଟାଲ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଥିବାରୁ ଲୋକଙ୍କ ଗମନାଗମନରେ ସୁବିଧା ହେବ ବୋଲି ଏହି ରାସ୍ତାର ଶିଳାନ୍ୟାସ କରିବା ଅବସରରେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି।
ନୀଳାଦ୍ରିବିହାର ଅଞ୍ଚଳର ଏହି ପ୍ରମୁଖ ରାସ୍ତା ୪ ଲେନ୍‌ ବିଶିଷ୍ଟ ହେବା ଦ୍ବାରା ଚନ୍ଦ୍ରଶେଖପୁର, ଶୈଳଶ୍ରୀବିହାରରେ ବସବାସ କରୁଥିବା ଲୋକେ ବେଶ୍‌ ଉପକୃତ ହେବେ। କାରଣ ପ୍ରତିଦିନ ପୂର୍ବାହ୍ନ ଓ ସନ୍ଧ୍ୟା ସମୟରେ ଏଟିଏମ୍‌ ଛକରେ ପ୍ରବଳ ଭିଡ଼ ହୋଇଥାଏ। ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପୂର୍ବରୁ ‌ନୀଳାଦ୍ରିବିହାରରୁ ଶୈଳଶ୍ରୀବିହାର ରାସ୍ତା ୪ ଲେନ୍‌ ବିଶିଷ୍ଟ ହୋଇସାରିଛି। ଏହି ୪ ଲେନ୍‌ ବିଶିଷ୍ଟ ରାସ୍ତାର ଉଭୟ ପାର୍ଶ୍ବରେ ୨.୫୦ ମିଟରର ସାଇକେଲ୍‌ ଟ୍ରାକ୍‌ ରହିବ। ୩ ମିଟର ଲେଖାଏଁ ଡ୍ରେନ୍‌ ସହ ୟୁଟିଲିଟି କରିଡର/ଫୁଟପାଥ୍‌ ନିର୍ମାଣ ହେବ। ଡାହାଣ ପାର୍ଶ୍ବରେ ୭.୫୦ ମିଟରର ସର୍ଭିସ୍‌ ରୋଡ ହେବ। ଦୁଇଟି କଲଭର୍ଟ ରହିବ। ୨୦୨୧ ଜୁଲାଇ ୨୮ ସୁଦ୍ଧା କାମ ଶେଷ ହେବ ବୋଲି ସୂଚନା ମିଳିଛି।

ଶିଳାନ୍ୟାସ ଉତ୍ସବରେ ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ସମରେନ୍ଦ୍ର ସାହୁ, ଯୁବନେତା‌ ମନୋଜ ସାହୁ, ପୂର୍ବତନ କର୍ପୋରେଟର୍‌ ମୋନାଲିସା ସାହୁ, ସୌଭାଗ୍ୟ ବାରିକ, କଳ୍ପନା ସାମଲ, ସମାଜସେବୀ କଳିଚରଣ ସିଂଙ୍କ ସମେତ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ବି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର